ଭାବର ଠାକୁରଙ୍କୁ ନେଇ ଅନୁଭୂତି ବଖାଣିଲେ ସବ୍ୟସାଚ୍ଚୀ । ଫିଲ୍ମ ସୁଟିଂ ସେଟରେ ମହାପ୍ରସାଦକୁ ନେଇ ଅନୁଭୂତି ବଖାଣିଲେ, କହିଲେ ମନର କଥା ଶୁଣନ୍ତି ମହାପ୍ରଭୁ ।

203

କନକ ବ୍ୟୁରୋ : ଜଗତର ନାଥ ଜଗନ୍ନାଥ । ଯାହାଙ୍କ ଟିକିଏ ଝଲକ ପାଇବା ପାଇଁ କାହିଁ କେତେ ଦୂରରୁ ଚାଲି ଆସନ୍ତି ଭକ୍ତ । ଆଉ ଯେଉଁ ଭକ୍ତ ଶ୍ରୀମନ୍ଦିର ଭିତରେ ବଡ ଠାକୁରଙ୍କୁ ଦେଖିବାର ସୁଯୋଗ ପାଇନଥାନ୍ତି ସେମାନଙ୍କୁ ଦର୍ଶନ ଦେବା ପାଇଁ ମହାପ୍ରଭୁ ବଡଦାଣ୍ଡକୁ ଓହ୍ଲାଇ ଆସନ୍ତି । ବଡଦାଣ୍ଡରେ ଏକାକାର ହୋଇଯାଆନ୍ତି ଭକ୍ତ ଓ ଭଗବାନ । ଘଣ୍ଟା ଘଣ୍ଟା ମହାପ୍ରଭୁଙ୍କ ମୁଖକୁ ଚାହିଁ ରହିଥିଲେ ମଧ୍ୟ ଭକ୍ତ ଆଖିରେ ପଲକ ପଡିନଥାଏ । କାଳିଆ ଠାକକ୍ର ଶ୍ରୀମୁଖକୁ ଚାହିଁ ଭକ୍ତ ଆଖିରେ ଲୁହ ଜକେଇ ଆସିଥାଏ । ଆଉ ଭକ୍ତ ନିଜର ମନର କଥା ବଡ ଠାକୁରଙ୍କୁ କହିବାକୁ ଭୁଲିନଥାଏ । ଭାବର ଠାକୁର ହୋଇଥିବାରୁ ଭକ୍ତର ଭାବନାକୁ ବେଶ ଭଲ ଭାବରେ ବୁଝି ନେଇଥାନ୍ତି କାଳିଆ ଠାକୁର । ଏହିଭଳି ଅନେକ ଭକ୍ତ ରହିଛନ୍ତି ଯେଉଁମାନେ ମହାପ୍ରଭୁଙ୍କ ନିକଟରେ ନିଜର ମନର କଥା କହିଛନ୍ତି ଓ ତାହା ପୂରଣ ହୋଇଛି ମଧ୍ୟ । ସେହିଭଳି ଅନୁଭୂତି ସାଉଁଟିଥିବା ଭକ୍ତଙ୍କ ମଧ୍ୟରୁ ଜଣେ ଭକ୍ତ ହେଉଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । କନକ ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ ମହାପ୍ରଭୁଙ୍କ ଅଲୌକିକତାର ଅନୁଭୂତି କହିଛନ୍ତି ସବ୍ୟସାଚୀ ।

ମହାପ୍ରଭୁଙ୍କ ବିନା ଆର୍ଶୀବାଦରେ କୌଣସି କାମ ଆରମ୍ଭ କରୁନଥିବା ସବ୍ୟସାଚୀ ନିଜର ଅନୁଭୂତି ବଖାଣିବା ବେଳେ ବେଶ ଭାବବିହ୍ୱଳ ହୋଇପଡିଥିଲେ । ମହାପ୍ରଭୁଙ୍କୁ ନିଜ ପରିବାରର ସଦସ୍ୟ ବୋଲି କହିବା ସହ ପ୍ରତ୍ୟେକ କାମରେ ଜଗନ୍ନାଥଙ୍କ ନିକଟରେ ଆର୍ଶୀବାଦ ଭିକ୍ଷା କରିଥାନ୍ତି । ଭାବର ଠାକୁର ଭକ୍ତର ମନର କଥା ଜାଣିପାରନ୍ତି । କାରଣ ଯେତେବେଳେ ମହାପ୍ରଭୁଙ୍କ ପ୍ରସାଦ ଅବଢା ଖାଇବାକୁ ଇଚ୍ଛା ହୋଇଛି କେଉଁ ନା କେଉଁ ବାଟରେ ତାହା ପୂରଣ ହୋଇଛି । ଯାହା ଜଗନ୍ନାଥଙ୍କ ପ୍ରତି ଥିବା ବିଶ୍ୱାସକୁ ଅଧିକ ଗଭୀର କରିଛି ।

ସେହିଭଳି ଏକ ଅନୁଭୂିତ ମନେ ପକାଇ ସବ୍ୟ କହିଛନ୍ତି, ଥରେ ଫିଲ୍ମ ସେଟରେ ସୁଟ୍ କରୁଥିବା ବେଳେ ମହାପ୍ରଭୁଙ୍କ ଅବଢା ଖାଇବାକୁ ବେଶ ଇଚ୍ଛା ହୋଇଥିଲା । ଢେର ଦିନ ହେଲା ମହାପ୍ରସାଦ ଖାଇନଥିବାରୁ ଭାରି ଇଚ୍ଛା ହୋଇଥିଲା । କିନ୍ତୁ ସୁଟିଂ ସେଟରେ କିଏ ବା ଅବଢା ଆଣି ଦେବ । ତେବେ ଭକ୍ତର ଇଚ୍ଛାକୁ ଭଗବାନ ମାରି ପାରନ୍ତେ ବା କିପରି । ସୁଟିଂ ଚାଲୁଥିବା ବେଳେ ଜଣେ ସିନିୟର କଳାକାର ଅବଢା ଧରି ସେଟରେ ପହଞ୍ଚିଥିଲେ । ଆଉ ଅବଢା ଆଣିଛି ଖାଇବୁ ବୋଲି ମୋତେ ପଚାରିବାରୁ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । କାରଣ କିଛି ସମୟ ପୂର୍ବରୁ ଅବଢା ଖାଇବି ବୋଲି ଭାବୁଥିବା ବେଳେ ହଠାତ୍ ସୁଟିଂ ସେଟକୁ ସିନିୟର କଳାକାର ଜଣକ ଅବଢା ଆଣିବା ମୋତେ ଆଶ୍ଚର୍ଯ୍ୟ କରିଥିଲା । ଆଉ ସେତେବେଳେ ଭାବିଥିଲି ଯେ, ମହାପ୍ରଭୁଙ୍କର ଆର୍ଶୀବାଦ ମୋ ପ୍ରତି ସବୁବେଳେ ରହିଛି ।

ସେହିଭଳି ଶ୍ରୀମନ୍ଦିରରେ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କଲା ବେଳେ ମୋ ଆଖି ସବୁବେଳେ ଛଳଛଳ ହୋଇଯାଏ । ଯେତେ ଭିଡ ଥିଲେ ମଧ୍ୟ ମୋତେ ସବୁବେଳେ ଲାଗେ ଯେ, ମହାପ୍ରଭୁଙ୍କ ସାମ୍ନାରେ ମୁଁ ଏକା ଛିଡା ହୋଇଛି ଆଉ ଭାବର ଠାକୁର ମୋ କଥା ଶୁଣୁଛନ୍ତି ।