ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା । ପିଏ ଦେବନାରାୟଣ ପଣ୍ଡାଙ୍କ ପରିବାରର ଅଭିଯୋଗ ଆଧାରରେ ନିର୍ଦ୍ଦେଶ ଦେଲେ ଏସଡିଜେଏମ୍ କୋର୍ଟ 

210

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାମରେ ହତ୍ୟା ମାମଲା ରୁଜୁ କଲା ମାଲକାନଗିରି ପୁଲିସ । ଗତ ବର୍ଷ ଡିସେମ୍ବର ମାସରେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ମିଳିଥିଲା । ପରେ ଏହା ଏକ ହତ୍ୟା ମାମଲା ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ । ଏବେ ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ମାଲକାନଗିରି ପୁଲିସ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଛି ।

ସତୀଗୁଡା ଜଳଭଣ୍ଡାରରୁ ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ । କୂଳରେ ପଡିଥିଲା ବାଇକ, ହେଲମେଟ, ଜୋତା । ଡିସେମ୍ବର ୨୭ ଅପରାହ୍ନ ୨ଟାରେ ଘରୁ ଖାଇ ଅଫିସକୁ ବାହାରିଥିଲେ ଦେବନାରାୟଣ, କିନ୍ତୁ ଅଫିସ ପହଂଚିନଥିଲେ । ହେଲେ ଦିନକ ପରେ ଜଳଭଣ୍ଡାରରୁ ମିଳିଥିଲା ତାଙ୍କ ମୃତଦେହ । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ ବସିଗଲା ।

ଘଟଣାର ପ୍ରାୟ ୭ ମାସ ପରେ ଦେବନାରାୟଣଙ୍କ ପରିବାର ସାମ୍ବାଦିକ ସମ୍ମିଳନୀ କରି ହତ୍ୟା ଅଭିଯୋଗ ଆଣିଥିଲେ । ଏବଂ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଦେବନାରାୟଣ ପଣ୍ଡାଙ୍କ ପରିବାର ଲୋକଙ୍କ ଅଭି୍ଯୋଗ ଉପରେ ଶୁଣାଣି କରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ସମେତ ୪ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ପୁଲିସ ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି ।

ଆଇପିସିର ଧାରା ୩୦୨ ଅର୍ଥାତ୍ ହତ୍ୟା ଉଦ୍ୟମ କରିବା 

ଧାରା ୨୦୧  ଅର୍ଥାତ୍ ପ୍ରମାଣ ନଷ୍ଟ କରିବା 

ଧାରା ୨୦୪ ଅର୍ଥାତ୍ ବୈଦ୍ୟୁତିକ ଓ ତଥ୍ୟଭିତ୍ତିକ ପ୍ରମାଣ ନଷ୍ଟ କରିବା

ଧାରା ୫୦୬  ଅର୍ଥାତ୍ ଧମକ ଦେବା  

ଧାରା ୧୨୦-ବି ଅର୍ଥାତ୍ ଅପରାଧିକ ଷଡଯନ୍ତ୍ର

ଧାରା ୩୪ ଅର୍ଥାତ୍ ଗୋଟିଏ ଉଦ୍ଦେଶ୍ୟର ଅପରାଧ ପାଇଁ ସହାୟତା

କୋର୍ଟଙ୍କ ଆଦେଶ ପରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଷ୍ଟେନୋ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଷ୍ଟେନୋ ଭି. ବେଣୁ ଓ ଅବସରପ୍ରାପ୍ତ କର୍ମଚାରୀ ଭଗବାନ ପାଣିଗ୍ରାହୀଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ ।