ହକି ବିଶ୍ୱକପ : ସେମିଫାଇନାଲରେ ଜର୍ମାନୀ ଓ ନେଦରଲାଣ୍ଡ୍ସ

Advertisment
ହକି ବିଶ୍ୱକପ : ସେମିଫାଇନାଲରେ ଜର୍ମାନୀ ଓ ନେଦରଲାଣ୍ଡ୍ସ

କନକ ବ୍ୟୁରୋ : ଓଡ଼ିଶାରେ ଚାଲିଥିବା ଚଳିତ ଏଫଆଇଏଚ ହକି ବିଶ୍ୱକପରେ ସେମିଫାଇନାଲକୁ ଯାଇଛନ୍ତି ଜର୍ମାନୀ ଓ ନେଦରଲାଣ୍ଡ୍ସ । କ୍ୱାଟର ଫାଇନାଲରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଇଂଲଣ୍ଡ-ଜର୍ମାନୀ ୨-୨ ଗୋଲ ଦେଇଥିଲେ । ଶେଷରେ ସୁଟଆଉଟ ୪-୩ରେ ଜିତିଥିଲା ଜର୍ମାନୀ । ଏହା ପୂର୍ବରୁ ମଧ୍ୟ ଇଂଲଣ୍ଡ ବିଶ୍ୱକପରେ ଜର୍ମାନୀଠୁ ଦୁଇ ଥର ହାରିସାରିଛି ।

ଚଳିତ ଏଫ୍‌ଆଇଏଚ୍‌ ହକି ବିଶ୍ବକପ୍‌ରୁ ଏସିଆ ମହାଦେଶର ଅଭିଯାନ ଶେଷ ହୋଇଛି। ଏସିଆରୁ ଏକ ମାତ୍ର ଦେଶ ଭାବେ ତିଷ୍ଟି ରହିଥିବା କୋରିଆ କ୍ବାର୍ଟରଫାଇନାଲ୍‌ରୁ ହାରି ବିଦାୟ ନେଇଛି। ବୁଧବାର କଳିଙ୍ଗ ‌ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଉପବିଜେତା ନେଦରଲାଣ୍ଡ୍ସ ୫-୧ ଗୋଲ୍‌ରେ କୋରିଆକୁ ମାତ୍‌ ଦେଇ ତୃତୀୟ ‌ୟୁରୋପୀୟ ଦେଶ ଭାବେ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛି । ଏସିଆରୁ ୩ ଦଳ ଭାରତ ସହ ଜାପାନ ଓ କୋରିଆ ଏହି ବିଶ୍ବକପ୍‌ ଖେଳିଥିଲେ।

ପ୍ରଥମ କ୍ବାର୍ଟରରେ ବିଶ୍ବର ତିନି ନମ୍ବର ନେଦରଲାଣ୍ଡ୍ସକୁ କଡ଼ା ଟକ୍କର ଦେଇ ଥିଲା ୧୦ ନମ୍ବର କୋରିଆ। ପ୍ରଥମ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣର ଅର୍ଜନ କରି ନେଦରଲାଣ୍ଡ୍ସକୁ ଚାପରେ ରଖିଥିଲା ଏହି ଦଳ। ଉଭୟ ଦଳ ଏହି କ୍ବାର୍ଟରରେ ଦୁଇଟି ଲେଖାଏଁ ପେନାଲ୍ଟି ପାଇଥିଲେ ମଧ୍ୟ ଗୋଲ୍‌ ଦେବାରେ ସଫଳ ହୋଇନଥିଲେ । ୨୬ତମ ମିନିଟ୍‌ରେ ଅଧିନାୟକ ଥିଏରି ବ୍ରିଙ୍କମାନ୍‌ଙ୍କ ପାସ୍‌କୁ ଗୋଲ୍‌ରେ ପରିଣତ କରି କୋଏନ ବିଜନ ନେଦରଲାଣ୍ଡ୍ସକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ । ଏହା ପର ମିନିଟ୍‌ରେ କୋରିଆ ଲଗାତାର ଦୁଇଟି ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ୍‌ କରିପାରିନଥିଲା । ପ୍ରଥମାର୍ଦ୍ଧ ୨-୦ରେ ଆଗୁଆ ରହିବା ପରେ ତୃତୀୟ କ୍ବାର୍ଟର ଆରମ୍ଭରୁ ନେଦରଲାଣ୍ଡ୍ସ ଆକ୍ରମଣାତ୍ମକ ଖେଳ ଖେଳିଥିଲା । ଏହାର ଫଳସ୍ବରୂପ ଏହି ଦଳ ପ୍ରଥମ ମିନିଟ୍‌ରେ‌ ପେନାଲ୍‌ଟି କର୍ଣ୍ଣର ଅର୍ଜନ କରି ନେଇଥିଲା । ଏହାକୁ ବିଜେନ  ଗୋଲ୍‌ରେ ପରିଣତ କରି ବ୍ୟକ୍ତିଗତ ଏବଂ ଦଳକୁ ଦ୍ବିତୀୟ ସଫଳତା ଭେଟି ଦେଇଥିଲେ।

ଏହା ପର ମିନିଟ୍‌ରେ ନେଦରଲାଣ୍ଡ୍ସ ଆଉ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ୍‌‌ ଦେଇପାରିନଥିଲା । ୩୫ତମ ମିନିଟ୍‌ରେ ଜଷ୍ଟେନ ବ୍ଲକ୍‌ ଫିଲ୍ଡ ଗୋଲ୍‌ ଦେଇ ନେଦରଲାଣ୍ଡ୍ସକୁ ୩-୦ରେ ଆଗୁଆ କରିଥିଲେ । ୦-୩ରେ ପଛୁଆ ରହିବା ପରେ କୋରିଆ ମ୍ୟାଚ୍‌କୁ ଫେରିବା ଲାଗି କଠିନ ଉଦ୍ୟମ କରିଥିଲା । ଏଥିସହ ଦଳ ୨ ମିନିଟ୍‌ ମଧ୍ୟରେ ୩ ପେନାଲ୍ଟି କର୍ଣ୍ଣର ଅର୍ଜନ କରି ଗୋଲ୍‌ ସୁଯୋଗ ପାଇଥିଲେ ମଧ୍ୟ ସଫଳ ହୋଇନଥିଲା । ତେବେ ଆଜି ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଜର୍ମାନୀ ଏବଂ ବେଲଜିୟମଙ୍କୁ ଭେଟିବ ନେଦରଲାଣ୍ଡ୍ସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe