ରାତି ପାହିଲେ ବିଶ୍ୱ କପ୍ ଉଦଘାଟନୀ : ଦୁଲୁକିବ ବାରବାଟୀ ଷ୍ଟାଡିୟମ; ଜଲୱା ଦେଖାଇବେ ବଲିଉଡ ଷ୍ଟାର ରଣବୀର ସିଂ ଓ ଦିଶା ପଟାନୀ

199

କନକ ବ୍ୟୁରୋ : ବାରବାଟୀ ଷ୍ଟାଡିୟମରେ ଯୋଡି ହେବାକୁ ଯାଉଛି ଆଉ ଏକ ଅଧ୍ୟାୟ । ଆସନ୍ତାକାଲି ବୁଧବାର ବାରବାଟୀ ମଇଦାନରେ ବାଜିବ ହକି ବିଶ୍ୱ କପର ବିଗୁଲ୍ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏହାର ଶୁଭାରମ୍ଭ ଦେଖିବ ସାରା ବିଶ୍ୱ । ଏନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ । ଆଉ ଏଥିରେ ମୁଖ୍ୟ ଆକର୍ଷଣ ପାଲଟିବେ ବଲିଉଡ ଷ୍ଟାର ଆଇକନ୍ । ଖାସ୍ କରି ଉଦଘାଟନୀ ଉତ୍ସବରେ ଧମାଲ କରିବେ ରଣବୀର ସିଂ ଓ ଦିଶା ପଟାନୀ ।

କିଛି ଦିନ ହେଲା କଳାକାର ମାନେ ନିଜର ଅଭ୍ୟାସ ଜାରି ରଖିଛନ୍ତି । ଶତାଧିକ ନୃତ୍ୟଶିଳ୍ପୀ ନିଜ ନିଜର ଅଭ୍ୟାସ କରୁଛନ୍ତି । ସେହିଭଳି ପ୍ରୀତମଙ୍କ ସଙ୍ଗୀତର ଯାଦୁରେ ଝୁମିବେ ଉପସ୍ଥିତ ଦର୍ଶକ । ଉଦଘାଟନୀ ଉତ୍ସବରେ ୩୦ ହଜାର ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଅତ୍ୟାଧୁନିକ ବିଶାଳ ମଂଚ କରାଯାଇଛି । ହକି ଉଦଘାଟନୀ ଉତ୍ସବ ପାଇଁ ବାରବାଟୀ ଷ୍ଟାଡିୟମ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଷ୍ଟାଡିୟମ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୫୦ ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯିବ । ସୁରକ୍ଷା ଦାୟିତ୍ୱ ତଦାରଖ କରିବାପାଇଁ ୪୦ ଜଣ ଡିଏସ୍ପି ସ୍ତରୀୟ ଅଧିକାରୀ , ୫୫ଜଣ ଇନସପେକ୍ଟର ସ୍ତରୀୟ ଅଧିକାରୀ ୩୦୦ ଜଣ ଏସଆଇଙ୍କ ସହିତ ୩୦୦ରୁ ଅଧିକ କନେଷ୍ଟବଳ ନିୟୋଜିତ ହେବେ ।

ତା ସହିତ ୫ଶହରୁ ଅଧିକ ହୋମଗାର୍ଡଙ୍କୁ ବି ନିଯୁୁକ୍ତ କରାଯାଇଛି । ସେହିଭଳି ଉଦଘାଟନୀ ଉତ୍ସବ ପାଇଁ ବାରବାଟୀ ଷ୍ଟାଡିୟମକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରଖାଯିବ । ଦ୍ୱିତୀୟ ସ୍ତରରେ ସୁରକ୍ଷା ବଳୟ ବିଭିନ୍ନ ଗେଟର ଭିତରପଟ ଓ ଗ୍ୟାଲେରୀ ରହିବ । ସମ୍ପୁର୍ଣ୍ଣ ବ୍ୟବସ୍ଥାକୁ ତଦାରଖ କରିବାକୁ କଣ୍ଟ୍ରୋଲ ରୁମ କରାଯାଇଛି । ସେପଟେ ଟ୍ରାଫିକ ପରିଚାଳନା ପାଇଁ ମଧ୍ୟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।