କନକ ବ୍ୟୁରୋ : ପାଣି ପାଇଁ ଓଡିଶା ଭିତରେ କଳି । କେନ୍ଦ୍ରାପଡା ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବାକୁ ନେଇ ମୁଣ୍ଡ ଟେକୁଛି ବଡ ଧରଣର ଆନ୍ଦୋଳନ । ଭଦ୍ରକ ଜିଲ୍ଲାରେ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ଖରସ୍ରୋତା ନଦୀରୁ ପାଣି ଦେବାକୁ ବିରୋଧ କରି ଖରସ୍ରୋତା ବଂଚାଓ ସଂଗ୍ରାମ ସମିତି ଆନ୍ଦୋଳନ ଜାରି ରହିଛି । ଏଥିରେ ସାମିଲ ହୋଇଛନ୍ତି ସ୍ଥାନୀୟ ଅଂଚଳର ଛାତ୍ର, ମହିଳା, ଯୁବକ ଓ କୃଷକ ।

Advertisment

ଗଡଗଡି ସେତୁ ଉପରୁ କଟକ ଚାନ୍ଦବାଲି ରାସ୍ତାରେ ୨ କିମି ପର୍ଯ୍ୟନ୍ତ ମାନବ ଶୃଙ୍ଖଳ କରି ପ୍ରତିବାଦ କରିଛନ୍ତି । ପାଣି ଦେଲେ ଲୁଣା ପାଣି ମାଡି ଆସିବ ଓ ଚାଷ ଉଜୁଡି ଦେବ ବୋଲି ପ୍ରତିବାଦକାରୀମାନେ କହିଛନ୍ତି । ବସୁଧା ଯୋଜନାରେ ପାଇପ ପାଣି ପ୍ରତ୍ୟକଙ୍କ ଘରକୁ ଦେବା ଲାଗି ରାଜ୍ୟ ସରକାର ଭଦ୍ରକ ଜିଲ୍ଲା ପାଇଁ ୮୯୨ କୋଟି ଟଙ୍କା ବ୍ୟୟରେ ଏକ ପ୍ରକଳ୍ପ ହାତକୁ ନେଇଛନ୍ତି । ରାଜ୍ୟ ସରକାର ଯୋଜନା କରିଛନ୍ତି ରାଜକନିକାର ଭାରିଗଦାରୁ ପାଣି ନେଇ ଏହି ପ୍ରକଳ୍ପ କରିବେ ।

ଏହାକୁ ବିରୋଧ କରୁଛି ଖରସ୍ରୋତା ବଂଚାଓ ସଂଗ୍ରାମ ସମିତି । ଏଥିସହ କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜକନିକାକୁ ପାଣି ଯୋଗାଣ ପାଇଁ ସରକାର ୨୬୮ କୋଟି ୧୧ ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ଘୋଷଣା କରିଛନ୍ତି । ଖରସ୍ରୋତା ନଦୀରୁ ପାଣି ନେଇ ତାହାକୁ ବିଶୋଧନ କରାଯିବ । ଏହି ପାଣିକୁ ଆଳିର ୩୨ଟି ଓ ରାଜକନିକାର ୨୯ଟି ପଂଚାୟତର ଲୋକଙ୍କୁ ଯୋଗାଇ ଦିଆଯିବ ।