ଖରସ୍ରୋତା ପାଣି ପାଇଁ ଓଡିଶାରେ କଳି : ରାଜକନିକାରେ ଆନ୍ଦୋଳନ, ୨ କିଲୋମିଟର ଯାଏଁ ମାନବ ଶୃୃଙ୍ଖଳ । ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ନଦେବାକୁ ଦାବି

288

କନକ ବ୍ୟୁରୋ : ପାଣି ପାଇଁ ଓଡିଶା ଭିତରେ କଳି । କେନ୍ଦ୍ରାପଡା ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବାକୁ ନେଇ ମୁଣ୍ଡ ଟେକୁଛି ବଡ ଧରଣର ଆନ୍ଦୋଳନ । ଭଦ୍ରକ ଜିଲ୍ଲାରେ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ଖରସ୍ରୋତା ନଦୀରୁ ପାଣି ଦେବାକୁ ବିରୋଧ କରି ଖରସ୍ରୋତା ବଂଚାଓ ସଂଗ୍ରାମ ସମିତି ଜାରି ରଖିଛି ଆନ୍ଦୋଳନ ।

ରାସ୍ତା କଡରେ ହାତ ଧରାଧରି ହୋଇ ଠିଆ ହୋଇଛନ୍ତି ମହିଳା, ଯୁବକ, ଛାତ୍ର ଓ କୃଷକ । ପାଣି କଳିକୁ ନେଇ ରାଜକନିକା ଗଡଗଡି ସେତୁ ଉପରୁ କଟକ ଚାନ୍ଦବାଲି ରାସ୍ତାରେ ପ୍ରାୟ ୨ କିଲୋମିଟର ଯାଏଁ ଏହି ମାନବ ଶୃଙ୍ଖଳ ଲମ୍ବିଛି । କେନ୍ଦ୍ରାପଡା ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ନଦେବାକୁ ଦାବି କରି ପ୍ରତିବାଦ କରିଛନ୍ତି ଲୋକେ । ଲୋକଙ୍କ ଅଭିଯୋଗ, ଖରୋସ୍ରୋତା ପାଣି ଭଦ୍ରକକୁ ଦିଆଗଲେ ନଦୀରୁ ଜଳସ୍ତର କମିଯିବ, ଲୁଣା ପାଣି ମାଡି ଆସିବ ଏବଂ ଚାଷ ଉଜୁଡି ଯିବ ।

ବସୁଧା ଯୋଜନାରେ ପାଇପ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାର ଭଦ୍ରକ ଜିଲ୍ଲା ପାଇଁ ୮୯୨ କୋଟି ଟଙ୍କା ବ୍ୟୟରେ ଏକ ପ୍ରକଳ୍ପ ହାତକୁ ନେଇଛନ୍ତି । ରାଜକନିକାର ଭାରିଗଦାରୁ ପାଣି ନେଇ ଏହି ପ୍ରକଳ୍ପ କରି ଭଦ୍ରକକୁ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଏହାକୁ ବିରୋଧ କରୁଛି ଖରସ୍ରୋତା ବଂଚାଓ ସଂଗ୍ରାମ ସମିତି । ତେବେ ପାଣିକୁ ନେଇ କିଛି ବିବାଦ ନାହିଁ, କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀର ଲୋକ ଏହା କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ।

କେବଳ ଭଦ୍ରକ ନୁହେଁ କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜକନିକାକୁ ପାଣି ଯୋଗାଇବା ପାଇଁ ସରକାର ୨୬୮ କୋଟି ୧୧ ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ଘୋଷଣା କରିଛନ୍ତି । ଖରସ୍ରୋତା ନଦୀର ପାଣିକୁ ବିଶୋଧନ କରି ଆଳିର ୩୨ଟି ଓ ରାଜକନିକାର ୨୯ଟି ପଂଚାୟତର ଲୋକଙ୍କୁ ଯୋଗାଇ ଦେବାରୁ ଯୋଜନା ହୋଇଛି ।