ତାଲିବାନୀଙ୍କ ମଧ୍ୟରେ କ୍ଷମତା ଲଢ଼େଇ, ଗୃହ ଯୁଦ୍ଧ ନେଇ ଆଶଙ୍କା କଲା ଆମେରିକା

179

କନକ ବ୍ୟୁରୋ: ଆଫଗାନିସ୍ତାନର ପଞ୍ଜସିରରେ ଚାଲିଛି ଘମାଘୋଟ ଲଢ଼େଇ । ଶେଷ ପ୍ରଦେଶ ଭାବେ ପଞ୍ଜସିରକୁ ଦଖଲ କରିବା ପାଇଁ ସବୁ ବଳ ଲଗାଇ ଦେଇଛି ତାଲିବାନ । କିନ୍ତୁ ତାଲିବାନୀଙ୍କୁ ପଞ୍ଜସିରରେ କଡା ଟକର ଦେଉଛନ୍ତି ନର୍ଦନ ଆଲାଏନ୍ସ କମାଣ୍ଡର । ପଞ୍ଜସିର ସେନା ଆକ୍ରମଣରେ ୬ଶହ ତାଲିବାନୀ ନିହତ ହୋଇଥିବା ନର୍ଦନ ଆଲାଏନ୍ସ ପକ୍ଷରୁ ଦାବି କରାଯାଇଛି ।

ଏପରିକି ପ୍ରାୟ ୧ହଜାର ତାଲିବାନୀ ଆତ୍ମସମର୍ପଣ କରିଥିବା କିମ୍ବା ଅଟକ ଥିବା ନର୍ଦନ ଆଲାଏନ୍ସ ପକ୍ଷରୁ ଦାବି କରାଯାଇଛି । ଏନେଇ ରେଜିଷ୍ଟାନ୍ସ ଫୋର୍ସର ମୁଖପାତ୍ର ଫାଇମ୍ ଦାସ୍ତିଙ୍କ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ପଞ୍ଜସିର ଯୋଗୁଁ ଅନ୍ୟ ପ୍ରଦେଶ ସହ ତାଲିବାନୀଙ୍କ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛିି । ତାଲିବାନୀମାନେ ପଞ୍ଜସିର ଦଖଲ କରିବା ପାଇଁ ଚାରିପଟୁ ଘେରି ରହିଥିଲେ ବି ଲ୍ୟାଣ୍ଡମାଇନ୍ ବସ୍ଫୋରଣ ଭୟରେ ଆଗକୁ ବଢ଼ିବାକୁ ସାହାସ ଜୁଟାଇ ପାରୁ ନାହାଁନ୍ତି ।

ଅନ୍ୟପଟେ ତାଲିବାନୀଙ୍କ ପଛରେ ପାକିସ୍ତାନର ହାତ ଥିବା ପ୍ରାୟତଃ ସ୍ପଷ୍ଟ ହେବାରେ ଲାଗିଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ମୁଖ୍ୟ କାବୁଲରେ ପହଁଚିବା ପରେ ଏହା ଆହୁରି ଦୃଢ଼ ହୋଇଛି । ବିଶେଷକରି ତାଲିବାନୀ ସରକାର ଗଠନକୁ ନେଇ କୌଣସି ଚୂଡାନ୍ତ ନିଷ୍ପତି ହୋଇନଥିବାବେଳେ ଆଇଏସଆଇ ମୁଖ୍ୟ ସେଠାକୁ କାହିଁକି ଯାଇଛନ୍ତି?, ଯିବା ପଛର ଉଦେଶ୍ୟ କଣ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ପାକିସ୍ତାନ ଗୁଇନ୍ଦା ମୁଖ୍ୟ ଆଫଗାନିସ୍ତାନକୁ ଯିବା ନେଇ ଚର୍ଚ୍ଚା ଭିତରେ ପାକିସ୍ତାନ ସେନା ମୁଖ୍ୟ କମର ବାଜୱା କହିଛନ୍ତି ଆଫଗାନିସ୍ତାନରେ ସ୍ଥିର ସରକାର ପାଇଁ ଇସଲାମାବାଦ ସହଯୋଗ କରିବ । ବାଜୱାଙ୍କ ଏହି ବୟାନରୁ ସ୍ପଷ୍ଟ ହେଉଛି, ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପଛରେ କେମିତି ରହିଛି ପାକିସ୍ତାନର ହାତ ।