ଆଳି ରାଜା ବନାମ କନିକା ବୋହୂ । ଦୁର୍ଗାଦେବୀ ପଦ୍ମ ଧରିବା ପରେ ଆଳିରେ ବଢିଲା ଚର୍ଚ୍ଚା । ଏଥର ହୋଇପାରେ ରାଜ ପରିବାର ଭିତରେ ଲଢେଇ
ବିଜେଡିର ପ୍ରତାପ ଦେବଙ୍କୁ ଟକ୍କର ଦେଇପାରନ୍ତି ବିଜେପିର ଦୁର୍ଗା ଦେବୀ
କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ଅନେକ ରାଜ ପରିବାରର ରାଜନୈତିକ ଲଢେଇ ସମସ୍ତଙ୍କୁ ଜଣା । ଏବେ କିନ୍ତୁ ଆସନ୍ତା ନିର୍ବାଚନରେ କେନ୍ଦ୍ରାପଡାରେ ରାଜପରିବାର ମଧ୍ୟରେ ରାଜନୈତିକ ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି । ଆଳି ରାଜା ତଥା ମନ୍ତ୍ରୀ ପ୍ରତାପ ଦେବ ଏବଂ ତାଙ୍କ କନିକା ରାଜ ପରିବାରର ବୋହୂ ପଦ୍ମ ଶିବିରରେ ପାଦ ଥାପିବା ପରେ ରାଜ୍ୟ ଆଗାମୀ ଦିନରେ ଆଉ ଏକ ରାଜ ପରିବାରର ଲଢେଇ ଦେଖିବ ବୋଲି କୁହାଯାଉଛି ।

Kanak News is now on WhatsApp
Join and get latest news updates delivered to you via WhatsApp
- ଆଳି ନିର୍ବାଚନମଣ୍ଡଳିରେ ବଢିଲା ଚର୍ଚ୍ଚା
- ଏଥର ହେବ ଦୁଇ ରାଜ ପରିବାରର ଲଢେଇ?
କନିକା ରାଜ ପରିବାରର ବୋହୂ ଦୁର୍ଗାଦେବୀ ପଦ୍ମ ଧରିବା ପରେ ଆଳି ନିର୍ବାଚନ ମଣ୍ଡଳିରେ ଚର୍ଚ୍ଚା ବଢିଛି । ୨୦୨୪ ନିର୍ବାଚନରେ ଆଳି ବିଧାନସଭା ଆସନରେ କଣ ହେବ ରାଜନୈତିକ ସମୀକରଣ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । କାରଣ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି ବିଜେଡିର ହେଭିୱେଟ ନେତା ତଥା ଆଳି ରାଜା ପ୍ରତାପ କେଶରୀ ଦେବ । କିନ୍ତୁ ବିଜେପିରେ ଦୁର୍ଗା ଦେବୀ ସାମିଲ ହେବା ପରେ ସେ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇ ପାରନ୍ତି ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ଯଦି ଏହା ସତ ହୁଏ ଆଉ ତାଙ୍କୁ ବିଜେପିରୁ ଟିକେଟ ମିଳେ ତେବେ ଏଥର ଆଳି ବିଧାନସଭା ନିର୍ବାଚନରେ ଆଳି ରାଜା ଓ କନିକା ରାଜ ପରିବାରର ବୋହୂଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ ।
ଆଳି ନିର୍ବାଚନମଣ୍ଡଳିରେ ବିଜେଡିର ଦୃଢ ସଂଗଠନ ସହ ନିଜସ୍ୱ ଲୋକପ୍ରିୟତା ଯୋଗୁଁ ପ୍ରତାପ ଦେବ ଦୃଢ ସ୍ଥିତିରେ ଅଛନ୍ତି । ଅନ୍ୟପଟେ କନିକା ରାଜ ପରିବାରର ବୋହୂ ମଧ୍ୟ ଜନସମର୍ଥନ ଯୋଗାଡ ପାଇଁ ଲୋକଙ୍କ ପାଖକୁ ଯାଉଛନ୍ତି । ପୂର୍ବରୁ କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ଆଳି ଓ ରାଜନଗର ଆସନରୁ ୫ଥର ନିର୍ବାଚିତ ହୋଇ ଓଡିଶା କ୍ୟାବିନେଟର ମନ୍ତ୍ରୀ ହୋଇଥିଲେ । ତାଙ୍କ ପଥକୁ ଅନୁସରଣ କରି ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇ ପାରନ୍ତି କନିକା ରାଜ ପରିବାରର ବୋହୂ ଦୁର୍ଗାଦେବୀ ।
ଜାଣିରଖିବା ଉଚିତ୍ ଯେ, କେନ୍ଦ୍ରାପଡାରେ ସବୁଠୁ ବଡ ରାଜ ପରିବାର ହେଉଛି କନିକା ରାଜ ପରିବାର । ଆଉ କନିକା ରାଜ ପରିବାର ପ୍ରତି ସାଧାରଣ ଲୋକଙ୍କ ଶ୍ରଦ୍ଧା ଓ ସମ୍ମାନ ରହିଛି । ତାହାକୁ ଆଧାର କରି ଦୁର୍ଗା ଦେବୀ ଜନମତକୁ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ କରିବେ । ତେବେ ଯିଏ ପ୍ରତିଦ୍ୱନ୍ଦ୍ୱିତା କଲେ ମଧ୍ୟ ପ୍ରତାପ ଦେବଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ତାଙ୍କ ସମର୍ଥକ କହିଛନ୍ତି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ରାଜ ପରିବାରରେ ବିଜେପି-ବିଜେଡି ଲଢେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ଏଥର କେନ୍ଦ୍ରାପଡାର ରାଜପରିବାରର ଲଢେଇ ଦେଖିପାରେ ସାରା ଓଡିଶା ।