ଆସନ୍ତାକାଲି ସାରା ଦେଶରେ ‘ଜନତା କର୍ଫ୍ୟୁ’ । ସକାଳ ୭ରୁ ରାତି ୯ଟା ଯାଏଁ ଘରେ ରହି କରୋନା ସହ ଲଢିବ ସାରା ଦେଶ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଚାରିଆଡୁ ସମର୍ଥନ

2,137

କନକ ବ୍ୟୁରୋ: କାଲି ଦେଶରେ ହେବ ଜନତା କର୍ଫ୍ୟୁ । ଦେଶବାସୀଙ୍କୁ ଜନତା କର୍ଫ୍ୟୁ ପାଳିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନତା କର୍ଫ୍ୟୁ ଜରିଆରେ କରୋନା ମୁକାବିଲା ପାଇଁ ସତର୍କ ରହିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେଣୁ ଆସନ୍ତାକାଲି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ଦେଶବାସୀଙ୍କୁ ପରାମର୍ଶ ଦିଆଯାଇଛି ।

ତେବେ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ବିଭିନ୍ନ ରାଜ୍ୟରୁ ସମର୍ଥନ ମିଳିଛି । ଦେଶର ସବୁ ରାଜ୍ୟ ସରକାର ଏହାକୁ ସଫଳ କରନ୍ତୁ ଆଉ ଏହାର ନେତୃତ୍ୱ ନିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଆଉ ମୋଦିଙ୍କ ଉକ୍ତ ଆହ୍ୱାନକୁ ସମର୍ଥନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅସାଧାରଣ ପରିସ୍ଥିତି ପାଇଁ ଅସାଧାରଣ ମୁକାବିଲାର ଆବଶ୍ୟକତା ରହିଛି କହି କରୋନା ମୁକାବିଲା ନେଇ କେନ୍ଦ୍ରର କିଛି ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ ନବୀନ ।

ସେପଟେ ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ସାରା ଦେଶରେ ପ୍ରାୟ ୩ ହଜାର ୭ ଶହ ଟ୍ରେନ୍ ଚଳାଚଳ ବନ୍ଦ ରହିବ । ନିର୍ଦ୍ଦିଷ୍ଟ ଷ୍ଟେସନରୁ ବାହାରୁଥିବା ଟ୍ରେନ୍ ଗୁଡ଼ିକ ସେହି ଷ୍ଟେସନରୁ ବାହାରିବ ନାହିଁ ବୋଲି ରେଲୱ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । କୌଣସି ପାସେନଜର ଟ୍ରେନ୍ କିମ୍ବା ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ ନାହିଁ । ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ୧୦ଟା ଯାଏଁ ଏହି ଟ୍ରେନ୍ ଚଳାଚଳ ବନ୍ଦ ରହିବ । ଦେଶରେ ପ୍ରାୟ ୨ ହଜାର ୪ଶହ ପାସେନଜର ଟ୍ରେନ୍ ପ୍ରାୟ ୧୩ ଶହ ମେଲ କିମ୍ବା ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ବନ୍ଦ ରହିବ ।

ଅନ୍ୟପଟେ ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଗଡିବନି ବସ । ସାରା ଓଡିଶାରେ ୧୪ ହଜାର ଘରୋଇ ବସ ବନ୍ଦ ରହିବ । ସକାଳ ୭ରୁ ରାତି ୯ଟା ଯାଏଁ ବସ ଚଳାଚଳ ଠପ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଘରୋଇ ମାଲିକ ସଂଘ । ତେବେ ଆସନ୍ତାକାଲି କେହି ବି ଘରୁ ନବାହାରି କର୍ଫ୍ୟୁ ପାଳିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଆଉ କରୋନା ମୁକାବିଲା ପାଇଁ ନିଜକୁ ସମର୍ପି ଦେଇଥିବା ରାଷ୍ଟ୍ର ରକ୍ଷକଙ୍କୁ ସମ୍ମାନ ଜଣାଇବାକୁ କହିଛନ୍ତି । ସନ୍ଧ୍ୟା ୫ଟାରେ ୫ ମିନିଟ ପାଇଁ ସବୁ ଦେଶବାସୀ ନିଜ ଝରକା ଫାଙ୍କରେ, ଛାତ ଉପରେ ଥାଳି ବଜାଇ, ତାଳି ମାରି ଧନ୍ୟବାଦ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।