ଚୁଡ଼ି ପାଇଁ ପାଟିତୁଣ୍ଡ କରି ଫିନାଇଲ୍ ପିଇଲା ଝିଅ । କୋଠାରୁ ଡେଇଁ ଆତ୍ମହତ୍ୟା କଲେ ମା’ ।

970

କନକ ବ୍ୟୁରୋ : ଚୁଡ଼ି ପାଇଁ ପାଟିତୁଣ୍ଡ କରିବା ପରେ ଝିଅ ଫିନାଇଲ୍‌ ପିଇ ଦେବାରୁ ଜଣେ ମାଆ ସାତ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ରବିବାର ସନ୍ଧ୍ୟାରେ ଘଟଣାଟି ଘଟିଛି ମୁମ୍ବାଇର ଓଶିଓ୍ଵାରା ମେଟ୍ରୋପଲିସ୍‌ ଅନ୍ତର୍ଗତ ଲୋକହଣ୍ଡଓ୍ଵାଲା ମାର୍କେଟ୍‌ ଅଞ୍ଚଳରେ ।

ଓଶିଓ୍ଵାରା ପୁଲିସ କହିବା ଅନୁସାରେ, ଘରେ ଥିବା ସୁନା ଚୂଡ଼ି ଓ କେତେକ ଗହଣା ନ ମିଳିବାରୁ ୩୨ ବର୍ଷୀୟ ଝିଅ ଓ ୫୨ ବର୍ଷୀୟ ମାଆ ପାଟିତୁଣ୍ଡ ଲାଗିଥିଲେ । ଝିଅ ସ୍ୱାମୀ ସହ ଅନ୍ୟତ୍ର ରହିବାକୁ ଚାହୁଁଥିଲା  । ସେଥିପାଇଁ ମାଆ ତା’ର ଗହଣା ଲୁଚାଇ ନେଇଯାଇଛି ବୋଲି ତା’ର ସନ୍ଦେହ ହୋଇଥିଲା । ଏ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା । ରାଗରେ ଝିଅ ବାଥ୍‌ରୁମ୍‌କୁ ଯାଇ ଆତ୍ମହତ୍ୟା କରିବାକୁ ଫିନାଇଲ୍‌ ପିଇଦେଇଥିଲା । ଘର ଲୋକମାନେ ତୁରନ୍ତ ଝିଅକୁ ଡାକ୍ତରଖାନା ନେଇଯାଇଥିଲେ । ଚିକିତ୍ସା କରାଯିବା ପରେ ସେ ବିପଦମୁକ୍ତ ବୋଲି ଡାକ୍ତରମାନେ କହିଥିଲେ ।

ଏହାପରେ, ପରିବାର ଲୋକେ ଘରକୁ ଫେରିଥିଲେ। କିନ୍ତୁ, ଘରେ ମାଆଙ୍କୁ ପାଇ ନ ଥିଲେ । ବହୁ ଖୋଜାଖୋଜି ପରେ କୋଠାର ଦ୍ୱିତୀୟ ମହଲାର ଟେରାସ୍‌ରୁ ତାଙ୍କ ମୃତଦେହ ମିଳିଥିଲା ।  ପୁଲିସ ଘଟଣାର ତଦନ୍ତ କରୁଛି ।