କନକ ବ୍ୟୁରୋ: ଉକ୍ରଳ ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଛି ଜେଏନୟୁ ତାତି । ଦିଲ୍ଲୀ ଜବାହାର ନେହରୁ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ସମୟରେ ଯେମିତି ଉତେଜନା ଦେଖିବାକୁ ମିଳେ, ଠିକ୍ ସେମିତି ଦୃଶ୍ୟ ସାମନାକୁ ଆସିଛି ଉକ୍ରଳ ବିଶ୍ୱବିଦ୍ୟାଳୟରୁ । ସେମିନାର ଚାଲିଥିବାବେଳେ ଜେଏନୟୁ ପ୍ରଫେସରଙ୍କ ମନ୍ତବ୍ୟକୁ ବିରୋଧ କରି କିଛି ଛାତ୍ର ପାଟିତୁଣ୍ଡ କରିଥିଲେ । ଜେଏନୟୁ ପ୍ରଫେସର ଦେଶ ବିରୋଧୀ କଥା କହୁଥିବା ଅଭିଯୋଗ କରି ସେମିନାର ବନ୍ଦ କରିବାକୁ ଦାବି କରିଥିଲେ । ଯାହାକୁ ନେଇ ମୁହାଁମୁହିଁ ହୋଇଥିଲେ ସେମିନାର ଆୟୋଜନ କରିଥିବା ସିଟିଜେନ ଫୋରମର ସଦସ୍ୟ ଓ ଛାତ୍ର । ଯୁକ୍ତିତର୍କ ପରେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏପିରିକି ପିଟାପିଟି ମଧ୍ୟ ହୋଇଥିଲେ । ଏନେଇ ସିଟିଜେନ୍ ଫୋରମ ପକ୍ଷରୁ ସହୀଦନଗର ଥାନାରେ ଏତଲା ଦିଆଯାଇଛି ।

Advertisment

ସିଟିଜେନ୍ ଫୋରମ ପକ୍ଷରୁ ବିଶ୍ୱବିଦ୍ୟାଳୟରେ ଜାତୀୟ ଶିକ୍ଷାନୀତି ଓ ତାର ପ୍ରଭାବ ଉପରେ ଚାଲିଥିଲା ସେମିନାର । ସେମିନାରରେ ଦ୍ୱିତୀୟ ଅଧିବେଶନରେ ଜେଏନୟୁ ଅର୍ଥନୀତି ବିଭାଗର ପ୍ରଫେସର ସୂରଜିତ ମଜୁମଦାର ଲେକଚର ଦେଉଥିଲେ । ଲେକଚର ଦେଇ କହିଥିଲେ, ବର୍ତମାନ ଦେଶ ବିପରୀତ ଦିଗରେ ଗତି କରୁଛି । ଯାହାକୁ ବିରୋଧ କରିଥିଲେ ସେମିନାରରେ ଉପସ୍ଥିତ ଥିବା କିଛି ଛାତ୍ର । ପ୍ରଫେସର ସୂରଜିତ ସମ୍ବିଧାନ ଆଲୋଚନା ଚକ୍ର ଆଳରେ ଦେଶ ବିରୋଧୀ ମନ୍ତବ୍ୟ ଦେଉଥିବା ଛାତ୍ରମାନେ ଅଭିଯୋଗ ଆଣିଛନ୍ତି ।

କେନ୍ଦ୍ରର ମୋଦୀ ସରକାରଙ୍କ ନିଷ୍ପତିକୁ ନେଇ ବିଭିନ୍ନ ସମୟରେ ଜେଏନୟୁରେ ବିବାଦ ହୋଇଥାଏ । ନିକଟରେ ବିବିସି ଡକ୍ୟୁମେଂଟାରୀ ସ୍କ୍ରିନିଂକୁ ନେଇ ବିବାଦ ହୋଇଥିଲା । ବିରୋଧୀ ଦଳର ଛାତ୍ର ସଂଗଠନ ବିବିସି ଡକ୍ୟୁମେଂଟାରୀ ସ୍କ୍ରିନିଂ କରିବାକୁ ନେଇ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ପୂର୍ବରୁ ମଧ୍ୟ ଜେଏନୟୁରୁ ଏଭଳି ଅନେକ ଘଟଣା ଘଟିଛି । କିନ୍ତୁ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଏଭଳି ଘଟଣା ପ୍ରାୟତଃ କେବେ ଦେଖିବାକୁ ମିଳିନଥିଲା । ଆଉ ଜେଏନୟୁ ପ୍ରଫେସର ଆସିଥିବାବେଳେ ଏଭଳି ଘଟଣା ଘଟିବା, ଚର୍ଚ୍ଚାର ବିଷୟ ହୋଇଛି ।