କନକ ବ୍ୟୁରୋ : ଭୁବନେଶ୍ୱରରେ କିଏ ହେବ ପ୍ରଥମ ମହିଳା ମେୟର, ଆରମ୍ଭ ହେଲା କାଉଂଟଡାଉନ । ସୁଲୋଚନା ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ସୁନୀତି ମୁଣ୍ଡଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେପଟେ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାଁ ଘୋଷଣା କରିସାରିଛି କଂଗ୍ରେସ । ଭୁବନେଶ୍ୱର ମଇଦାନରେ ତିନି ରାଜନୈତିକ ଦଳ ମେୟର ପ୍ରାର୍ଥୀ ଘୋଷଣା କରିଛନ୍ତି । ତେବେ କଟକ ମେୟର ପଦ ପାଇଁ ରାଜ୍ୟସଭା ସାଂସଦ ସୁବାସ ସିଂଙ୍କୁ ପ୍ରାର୍ଥୀ କରିଛି ବିଜେଡି । ବ୍ରହ୍ମପୁର ପାଇଁ ଶାସକ ଦଳ ସଂଘମିତ୍ରା ଦଳେଇଙ୍କ ନାଁ ଘୋଷଣା କରିଛି । ଏଥର ମେୟର ପଦ ପାଇଁ ସିଧାସଳଖ ଭୋଟ୍ ଦେବେ ମହାନଗରବାସୀ ।
ଭୁବନେଶ୍ୱର ମେୟର ପ୍ରାର୍ଥୀ : ସୁଲୋଚନା ଦାସ, ବିଜେଡି । ସୁନୀତି ମୁଣ୍ଡ୍, ବିଜେପି । ମଧୁସ୍ମିତା ଆଚାର୍ଯ୍ୟ, କଂଗ୍ରେସ ।
କିଏ ହେବ ଭୁବନେଶ୍ୱର ମେୟର ? ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ଆରମ୍ଭ ହେଲା କାଉଣ୍ଟଡାଉନ । ବିଜେଡି ସୁଲୋଚନା ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ସୁନୀତି ମୁଣ୍ଡଙ୍କୁ କରିଛି ପ୍ରାର୍ଥୀ । ଆଉ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ ।
ଏଥର ପ୍ରଥମ ଥର ମେୟର ପଦ ପାଇଁ ହେବ ସିଧାସଳଖ ଭୋଟ । ଭୁବନେଶ୍ୱରର ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ରହିଛି । ତେଣୁ କିଏ ହେବ ଭୁବନେଶ୍ୱରର ପ୍ରଥମ ମହିଳା ମେୟର ତା’ ଉପରେ ସମସ୍ତଙ୍କ ନଜର ରହିଛି ।
ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ । ଏବେ ଭିନ୍ନକ୍ଷମ କମିସନର ଅଛନ୍ତି । ସାମ୍ବାଦିକା ଭାବେ କ୍ୟାରିୟର ଆରମ୍ଭ କରିବା ପରେ ରାଜନୀତିରେ ପାଦ ଦେଇଥିଲେ ସୁଲୋଚନା । ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ୍ । ଲେଖିକାରୁ ରାଜନୀତିକୁ ଆସିଛନ୍ତି ସୁନୀତି । ପୂର୍ବରୁ ସକ୍ରୀୟ ରାଜନୀତି ନଥିବା ଜଣେ ମହିଳାଙ୍କୁ ପ୍ରାର୍ଥୀ କରି ଚକମା ଦେଇଛି ବିଜେପି । ଏପଟେ ପୂର୍ବତନ ବିଧାୟକ କାଙ୍ଗାଳି ପଣ୍ଡାଙ୍କ ବୋହୂ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ଭୁବନେଶ୍ୱର ମେୟର ପଦ ପାଇଁ ପ୍ରାର୍ଥୀ କରିଛି କଂଗ୍ରେସ । ଛାତ୍ର ରାଜନୀତିରେ ସକ୍ରୀୟ ଥିଲେ ମଧୁସ୍ମିତା ।
ସେପଟେ କଟକ ମେୟର ପଦ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି ।
କଟକ ମେୟର ପ୍ରାର୍ଥୀ
ସୁବାସ ସିଂ, ବିଜେଡି
ଗିରିବାଳା ବେହେରା, କଂଗ୍ରେସ
କଟକ ମେୟର ପଦ ପାଇଁ ରାଜ୍ୟସଭା ସାଂସଦ ସୁବାସ ସିଂଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଶ୍ରମିକ ନେତା ଭାବେ କଟକରେ ବେଶ ଜଣାଶୁଣା ସୁବାସ ସିଂ, ଏବେ ବିଜେଡିର ଶ୍ରମିକ ସଂଗଠନର ସାଧାରଣ ସଂପାଦକ ରହିଛନ୍ତି ସୁବାସ । ସେପଟେ ଗିରିବାଳା ବେହେରାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ପୂର୍ବତନ କର୍ପୋରେଟର ଭାବେ କଂଗ୍ରେସ ରାଜନୀତିରେ ସକ୍ରୀୟ ଅଛନ୍ତି ଗିରିବାଳା । ସେହିପରି ବ୍ରହ୍ମପୁର ମେୟର ପଦ ପାଇଁ ସଂଘମିତ୍ରା ଦଳେଇଙ୍କୁ ପ୍ରାର୍ଥୀ କରିଛି ବିଜେଡି । ବିଜୁ ମହିଳା ଜନତା ଦଳର ଗଂଜାମ ଜିଲ୍ଲା ସଭାନେତ୍ରୀ ଅଛନ୍ତି ସଂଘମିତ୍ରା । ତେବେ ତିନି ରାଜନୈତିକ ଦଳ ଭୁବନେଶ୍ୱର ମେୟର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ରବିବାର ସୁଦ୍ଧା କଟକ ଓ ବ୍ରହ୍ମପୁରରେ କାହା କାହା ମଧ୍ୟରେ ଟକ୍କର ହେବ, ସ୍ପଷ୍ଟ ହୋଇଯିବ ।