ନଗଦ କାରବାର ଛାଡ, ଡିଜିଟାଲ ପେମେଣ୍ଟ କର । ନୋଟ୍ ବ୍ୟବହାର ଆଣିପାରେ ବିପଦ । ନଗଦ ଛାଡି ଡିଜିଟାଲ କାରବାର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ

1,665

କନକ ବ୍ୟୁରୋ: ନଗଦ କାରବାର ଛାଡ, ଡିଜିଟାଲ ପେମେଣ୍ଟ କର । ଦେଶବାସୀଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିଜିଟାଲ ପେମେଣ୍ଟ ଦ୍ୱାରା ସାମାଜିକ ଦୂରତା ରଖିହେବ ଏବଂ ସଂକ୍ରମଣକୁ ନିୟନ୍ତ୍ରଣ କରିହେବ ବୋଲି ମୋଦି କହିଛନ୍ତି । ସେପଟେ ଜରୁରୀ କାମ ନଥିଲେ ବ୍ୟାଙ୍କ ନଆସିବାକୁ ଜନସାଧାରଣଙ୍କୁ ବ୍ୟାଙ୍କ ସଂଘ ନିବେଦନ କରିଛି । ଏହାରି ଭିତରେ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ବ୍ୟାଙ୍କରେ ସର୍ବାଧିକ ୧୦ ପ୍ରତିଶତ କର୍ମଚାରୀ କାମ କରିବେ ।

କରୋନା ମୁକାବିଲା ପାଇଁ ଜନସାଧାରଣଙ୍କୁ ଭାରତୀୟ ବ୍ୟାଙ୍କ ସଂଘର ଅପିଲ । ଜରୁରୀ କାମ ନଥିଲେ ବ୍ୟାଙ୍କ ନଆସିବାକୁ ନିବେଦନ କରାଯାଇଛି । ଅନଲାଇନରେ କାରବାର ପାଇଁ ଅନୁରୋଧ କରିଛି ବ୍ୟାଙ୍କ ସଂଘ । ମୋବାଇଲରେ ଅନଲାଇନ ବ୍ୟାଙ୍କିଙ୍ଗ ମାଧ୍ୟମରେ ଦେଶବାସୀ କାରବାର କରିବା ଉଚିତ ବୋଲି ସଂଘ ନିବେଦନ କରିଛି । ବ୍ୟାଙ୍କ ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସୋମବାର ଠାରୁ ବ୍ୟାଙ୍କରେ କେବଳ ଟଙ୍କା ଜମା, ଉଠାଣ, ଚେକ୍ କ୍ଲିୟର, ସରକାରୀ ଦେଣନେଣ, ଆରଟିଜିଏସ ଏବଂ ଏନଇଏଫଟି କରାଯିବ । ଏଭଳି ସ୍ଥିତିରେ ବ୍ୟାଙ୍କରେ କେବଳ ୧୦ ପ୍ରତିଶତ କର୍ମଚାରୀ କାମ କରିପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଡିଜିଟାଲ୍ ପେମେଣ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି । ଦେଶବାସୀଙ୍କୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତମାନ ସମୟରେ ସାମାଜିକ ଦୂରତା ରଖିବା ଅତ୍ୟନ୍ତ ଜରୁରୀ । ଡିଜିଟାଲ ପେମେଂଟ୍ ସମସ୍ତଙ୍କୁ ସାମାଜିକ ଦୂରତା ରଖିବାରେ ସହଯୋଗ କରିବ । ମହାମାରୀ ସ୍ଥିତିରେ ଏହା ଜନସାଧାରଣଙ୍କୁ ସଂକ୍ରମଣରୁ ଦୂରେଇ ରଖିବ ବୋଲି ମୋଦି ଟ୍ୱିଟ୍ କରିଛନ୍ତି ।

ସେପଟେ ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କରୋନା ପାଇଁ ଟଙ୍କାର ଅଭାବ ଉପୁଜିବା ଆଶଙ୍କା କରି ଲୋକେ ମନଇଛା ଟଙ୍କା ଉଠାଉଛନ୍ତି । ଏପରିକି ଗତ ସପ୍ତାହରେ ଟଙ୍କା ଉଠାଣ ୨୦ରୁ ୨୫ ପ୍ରତିଶତ ବଢିଯାଇଛି ।

ଖାଲି ସେତିକି ନୁହେଁ ଟଙ୍କା କାରବାର ପାଇଁ ଶହ ଶହ ସଂଖ୍ୟାରେ ଲୋକେ ବ୍ୟାଙ୍କରେ ମଧ୍ୟ ଭିଡ ଜମାଉଛନ୍ତି । ଫଳରେ ଭୂତାଣୁ ସଂକ୍ରମଣର ସମ୍ଭାବନା ଦେଖାଦେଇଛି । ଏହାରି ଭିତରେ ନଗଦ ଟଙ୍କା କାରବାର ବେଳେ ମଧ୍ୟ ସଂକ୍ରମଣ ଆଶଙ୍କା ରହିଛି । ତେଣୁ ଡିଜିଟାଲ୍ ପେମେଂଟ୍ ସଂକ୍ରମଣ ବ୍ୟାପିବାରେ କିଛି ମାତ୍ରାରେ ରୋକ ଲଗାଇପାରିବ ବୋଲି କୁହାଯାଉଛି ।