ନନ୍ଦିଗ୍ରାମରୁ ଲଢିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୂର୍ବତନ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ହୋଇପାରେ ଲଢେଇ ।

184

କନକ ବ୍ୟୁରୋ: ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ହେବ ସବୁଠାରୁ ବଡ ଲଢେଇ । ଟିଏମସି ଛାଡି ବିଜେପିରେ ଯୋଗଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ଗଡରୁ ଲଢିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥର ଭବାନୀପୁର ବଦଳରେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବେ ମମତା । ଆସନ୍ତା ୧୦ ତାରିଖରେ ସେ ଏହି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ ।

ଏହାସହ ମମତା ତାଙ୍କର ପାରମ୍ପରିକ ଆସନ ଭବାନୀପୁରରୁ ନିର୍ବାଚନ ଲଢିବେ ନାହିଁ । ଅର୍ଥାତ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ସହ ଏଥର ମମତା ବାନାର୍ଜୀଙ୍କ ମୁହାଁମୁହିଁ ଲଢେଇ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ୨୯୧ ପ୍ରାର୍ଥୀଙ୍କ ତାଲିକା ଜାରି କରି ଏହି ଘୋଷଣା କରିଛି ତୃଣମୂଳ କଂଗ୍ରେସ । ୨୯୧ ପ୍ରାର୍ଥୀଙ୍କ ମଧ୍ୟରୁ ୫୦ ମହିଳା, ୭୯ ଏସସି, ୧୭ ଏସଟି ଓ ୪୨ ଜଣ ମୁସଲିମ୍ ପ୍ରାର୍ଥୀ ରହିଛନ୍ତି । ଗୋର୍ଖା ଜନମୁକ୍ତି ମୋର୍ଚ୍ଚାକୁ ୩ଟି ଆସନରେ ଲଢ଼ିବାକୁ ଛାଡ଼ିଦେଇଛି ଟିଏମସି ।

ତେବେ ନନ୍ଦିଗ୍ରାମରୁ ଶୁଭେନ୍ଦୁ ଅଧିକାରୀ ଲଢ଼ି ବିଧାୟକ ହୋଇଥିଲେ । ତେଣୁ ଏଠାରେ ମମତା-ଶୁଭେନ୍ଦୁଙ୍କ ମଧ୍ୟରେ ମୁହାଁମୁହିଁ ଟକ୍କର ହେବା ଏକପ୍ରକାର ସ୍ପଷ୍ଟ ହୋଇସାରିଛି । ପଶ୍ଚିମବଂଗ ରାଜନୀତିରେ ନନ୍ଦୀଗ୍ରାମ ଏକ ବଡ଼ ଭୂମିକା ଗ୍ରହଣ କରିଆସିଛି ।
କାହିଁକି ଗୁରୁତ୍ୱପୂର୍ଣ୍ଣ ନନ୍ଦିଗ୍ରାମ ?

• ନନ୍ଦିଗ୍ରାମରୁ ମମତାଙ୍କ ରାଜନୈତିକ କ୍ୟାରିୟରର ବଡ଼ ଧରଣର ଅଗ୍ରଗତି ହୋଇଥିଲା
• ନନ୍ଦିଗ୍ରାମରେ ସେତେବେଳର କମ୍ୟୁନିଷ୍ଟ ସରକାରକୁ ସିଧାସଳଖ ରଣହୁଙ୍କାର ଦେଇଥିଲେ ମମତା
• ନନ୍ଦିଗ୍ରାମରେ ମମତାଙ୍କ ରାଲି ବେଳେ ତାଙ୍କର ପ୍ରମୁଖ ସହଯୋଗୀ ଥିଲେ ଶୁଭେନ୍ଦୁ
• ନନ୍ଦିଗ୍ରାମକୁ ତୃଣମୂଳ କଂଗ୍ରେସର ଗଡ଼ ବୋଲି କୁହାଯାଏ
• ଶୁଭେନ୍ଦୁ ଅଧିକାରୀଙ୍କ ନନ୍ଦିଗ୍ରାମରେ ବେଶ୍ ପ୍ରଭାବ ରହିଛି
• ଶୁଭେନ୍ଦୁ ବିଜେପିକୁ ଯିବା ପରେ ତୃଣମୂଳର ଭୋଟ ବ୍ୟାଙ୍କ ପ୍ରଭାବିତ ହେବା ଆଶଙ୍କା
• ନନ୍ଦିଗ୍ରାମରେ ସଂଖ୍ୟା ଲଘୁ ଭୋଟରଙ୍କ ପ୍ରତିଶତ ଗୁରୁତ୍ୱପୂର୍ଣ୍ଣ

ପଶ୍ଚିମବଙ୍ଗରେ ଲଗାତାର ତୃତୀୟ ଥର ଲାଗି କ୍ଷମତାସୀନ ହେବାକୁ ଲକ୍ଷ୍ୟ ରଖିଥିବା ମମତା ବାନାର୍ଜୀ ଏଥର ନିଜ ରାଜନୈତିକ କ୍ୟାରିୟର ସବୁଠାରୁ ବଡ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି । ମମତାଙ୍କ ତୃଣମୂଳ କଂଗ୍ରେସକୁ କଡା ଟକ୍କର ଦେଉଛି ବିଜେପି । ମମତା ବାନାର୍ଜୀଙ୍କ ସରକାରରେ ନମ୍ବର-୨ ଥିବା ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ଅନେକ ମନ୍ତ୍ରୀ ଓ ଟିଏମସି ବିଧାୟକ ଦଳ ଛାଡି ବିଜେପିରେ ସାମିଲ ହୋଇସାରିଛନ୍ତି । ପଶ୍ଚିମବଙ୍ଗ ବିଧାନସଭାର ନିର୍ବାଚନ ଫଳାଫଳ ମେ ୨ରେ ଘୋଷଣା ହେବ ।