କନକ ବ୍ୟୁରୋ: ସମୟ ଗଡୁଛି, ଗଣତି ସରୁଛି । ହେଲେ ସ୍ପଷ୍ଟ ହେଉନି ନେତାଙ୍କ ଭାଗ୍ୟ । ତିର୍ତ୍ତୋଲର ବିଜେଡି ଏକତରଫା ଭାବେ ଭୋଟ୍ ହାତେଇ ଚାଲିଥିବା ବେଳେ ବାଲେଶ୍ୱରରେ କିନ୍ତୁ ବିଜେପି-ବିଜେଡି ଭିତରେ ଚାଲିଛି ଛକାପଂଝା । କେତେବେଳେ ବିଜେପି ଆଗରେ ରହୁଛି ତ ପୁଣି କେତେବେଳେ ବିଜେଡି ଆଗରେ । ହେଲେ ଏସବୁ ଭିତରେ ବାଲେଶ୍ୱରର ବାଜିଗର କିଏ ହେବ ? ତା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରୁନି ।
ଯଦି ୧୫ ଏବଂ ୧୬ ରାଉଣ୍ଡର ଭୋଟ୍ ଗଣତିକୁ ଦୃଷ୍ଟି ଦିଆଯାଏ ତେବେ ଏହି ଦୁଇଟି ରାଉଣ୍ଡରେ ବାଲେଶ୍ୱର ସଦର ଆସନରେ ବିଜେଡିଠାରୁ ବିଜେପି ରହିଛି ଆଗୁଆ । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଏହି ରାଉଣ୍ଡରେ ୨୬୨୫ ଭୋଟ୍ ମିଳିଥିଲା ବେଳେ ମାନସ କୁମାର ଦତ୍ତ ପାଇଛନ୍ତି ୨୮୫୦ ଖଣ୍ଡ ଭୋଟ୍ । ସେହିଭଳି କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ପାଇଛନ୍ତି ମାତ୍ର ୨୫୬ଟି ଭୋଟ୍ । ଅନ୍ୟପକ୍ଷରେ ୧୬ ପର୍ଯ୍ୟାୟ ଭୋଟ ଗଣତିରେ ବିଜେପିକୁ ୨୭ ଶହ ୩୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡି ପାଇଛି ୨୫ଶହ ୯୧ ଖଣ୍ଡ ଭୋଟ୍ । ସେହିଭଳି ଏହି ରାଉଣ୍ଡରେ କଂଗ୍ରେସ ମାତ୍ର ୧୨୦ଟି ଭୋଟ ପାଇଛି ।
ଅନ୍ୟପଟେ, ୧୬ ରାଉଣ୍ଡ ଶେଷ ସୁଦ୍ଧା ବାଲେଶ୍ୱରରେ ମାତ୍ର ୬ ହଜାର ୧୦୮ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ସ୍ୱୂରୂପ ଦାସ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କଠାରୁ ଆଗରେ ରହିଛନ୍ତି ।