କନକ ବ୍ୟୁରୋ : ବିଜେପୁର ନିର୍ବାଚନ ପାଇଁ ଏବେ ସାରା ରାଜ୍ୟରେ ତତଲା ହାୱା ବୋହିବାରେ ଲାଗିଛି । କିନ୍ତୁ ଏହି ତତଲା ହାୱାର ପ୍ରଭାବ କେବଳ ରାଜ୍ୟରେ ସୀମିତ ନ ରହି ଦିଲ୍ଲୀରେ ପହଞ୍ଚିଗଲାଣି । ବିଜେପୁର ନିର୍ବାଚନ ପାଇଁ ଦିନ ଯେତିକି ପାଖେଇ ଆସୁଛି ନିର୍ବାଚନ କମିଶନଙ୍କ ଅଫିସ ଆଗରେ ବିଭିନ୍ନ ଦଳର ପ୍ରତିନିଧିଙ୍କ ଭିଡ ସେତିକି ବଢିବାରେ ଲାଗୁଛି । ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ନେଇ ବିଭିନ୍ନ ଦଳ ପକ୍ଷରୁ ଅଭିଯୋଗର ଫର୍ଦ୍ଦ ମଧ୍ୟ ଲମ୍ବିବାରେ ଲାଗିଛି । କେହି କାହାରିକୁ ଛାଡିବା ମୁଡରେ ନାହାନ୍ତି । ପ୍ରତିଦ୍ୱନ୍ଦୀ ଦଳର ପ୍ରତ୍ୟେକ ସଭା ସମିତି ଓ କାର୍ଯ୍ୟକଳାପ ଉପରେ କଡା ନଜର ରଖୁଛନ୍ତି ବିପକ୍ଷ ଦଳ । ନିର୍ବାଚନ ସମୟରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିବା କିଛି ନୂଆ କଥା ନୁହେଁ । କିନ୍ତୁ ଉପନିର୍ବାଚନ ପୂର୍ବରୁ ବିଜେଡି –ବିଜେପି ମଧ୍ୟରେ ଯେପରି ଆରୋପ-ପ୍ରତ୍ୟାରୋପ ରାଜନୀତି ଚାଲିଛି ତାହା ବିଜେପୁର ଭୋଟରଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପରିକି ବିଜେପି-ବିଜେଡି ମଧ୍ୟରେ ଲାଗିଥିବା ଲଢେଇ ଏବେ ପଲ୍ଲୀରୁ ଯାଇ ଦିଲ୍ଲୀରେ ପହଞ୍ଚି ସାରିଲାଣି ।

Advertisment

bijepurବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ନିବାର୍ଚନ କମିଶନଙ୍କ ନିକଟରେ ପ୍ରଥମେ ଅଭିଯୋଗ ନେଇ ପହଞ୍ଚିଥିଲା ବିଜେପି । ବିଜେପୁର ବାଜି ଜିତିବା ଲାଗି ବିଜେଡି ସମସ୍ତ କଳବଳ ଲଗାଇ ଦେଇଥିବାବେଳେ ଜିଲ୍ଲା ପ୍ରଶାସନକୁ ଉପନିର୍ବାଚନ ଜିତିବା ଲାଗି ବ୍ୟବହାର କରୁଥିବା ଅଭିଯୋଗରେ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ବାଢିଥିଲା ।ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ନିର୍ବାଚନ ପରିଚାଳନାରେ ହେଉଥିବା ପକ୍ଷପାତିତା ବାବଦରେ ଅଭିଯୋଗ କରିଥିଲେ । ଯେଉଁଥିରେ ବିଜେପି କର୍ମୀଙ୍କୁ ହୋଇଥିବା ଗୁଳିମାଡ ମଧ୍ୟ ଉଲ୍ଲେଖ ଥିଲା । ସେହିଭଳି ମୋଦିଙ୍କ ମନ୍ କି ବାତ୍ ସମୟରେ ହୋଇଥିବା ଅପ୍ରିତୀକର ସ୍ଥିତି ବାବଦରେ ମଧ୍ୟ ବିଜେପି ଫେରାଦ୍ ହୋଇଥିଲା । ତେଣୁ ବିଜେପୁରର ସମସ୍ତ ୨୭୦ ବୁଥକୁ ସମ୍ବେଦନଶୀଳ ଘୋଷଣା କରିବା ସହ ସରକାରୀ କଳର ଅପବ୍ୟବହାର ରୋକିବା ଦିଗରେ ପଦକ୍ଷେପ ପାଇଁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଥିଲେ ।

ଏହାର କିଛି ଦିନ ପରେ ବିଜେପୁରରେ ପ୍ରଚାର ସମୟରେ ବିଜେଡି ନେତା ଲୋକଙ୍କୁ ପୁରସ୍କାର ଦେବାକୁ କହି ଭୋଟ ହାତେଇବାକୁ ଚେଷ୍ଟା କରୁଛି ବୋଲି ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା । ବିଜେପି ଅଭିଯୋଗ କରିଥିଲା ଯେ, ବିଜେଡି ନେତା ଅରୁଣ ସାହୁ ନିର୍ବାଚନୀ ସଭାରେ ପୂୁରସ୍କାର ଦେବାକୁ କହି ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି । ତେଣୁ ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଥିବା ନେଇ ପଦ୍ମଦଳ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା ।

publive-imageଆଉ ଏହି କ୍ରମରେ ଗତକାଲି ବିଜେପି ବିରୋଧରେ ଫେରାଦ ହୋଇଛି ବିଜେଡି । ମୁଖ୍ୟ ନିର୍ବାଚନ କମିଶନଙ୍କ ଆଗରେ ବିଜେପୁର ଉପନିର୍ବାଚନରେ ବିଜେପି ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରିଛନ୍ତି ଦଳୀୟ ସାଂସଦ । ସାଂସଦ ଭର୍ତୃହରି ମହତାବ, ପିନାକି ମିଶ ଓ ରବୀନ୍ଦ୍ର ଜେନା ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଅଭିଯୋଗ କରିଛନ୍ତି । ବିଜେଡି ଅଭିଯୋଗ କରିଛି ନିର୍ବାଚନ ପାଇଁ ଲୋକପ୍ରତିନିଧି ଆଇନର ଧାରା ୭୭ ଉପଧାରା-୧ ଉଲ୍ଲଘଂନର କରିଛି ବିଜେପି ।ଷ୍ଟାର କ୍ୟାମ୍ପେନର ତାଲିକା ମୁଖ୍ୟ ନିର୍ବାଚନ କମିଶନ ବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜ୍ଞପ୍ତି ପ୍ରକାଶର ୭ଦିନ ମଧ୍ୟରେ ଦାଖଲ କରିବାର ନିୟମ ରହିଛି । କିନ୍ତୁ ବିଜେପି ଏହାର ଉଲ୍ଲଙ୍ଘନ କରିଛି । ବିଜେପୁର ଉପନିର୍ବାଚନ ପାଇଁ ଗତ ଜାନୁୟାରୀ ୩୦ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବିଜେପି ଗତକାଲି ଅର୍ଥାତ ଫେବୃୟାରୀ ୮ତାରିଖରେ ତାର ଷ୍ଟାର କ୍ୟାମ୍ପେନର ତାଲିକା ଜାରି କରିଛି । ଯାହାକି ନିର୍ବାଚନ ଆଇନର ଉଲ୍ଲଙ୍ଘନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି । ଏହାସହ ବିଜେପି ଜାରି କରିଥିବା ଷ୍ଟାର କ୍ୟାମ୍ପେନର ପ୍ରଚାର କଲେ ଏହାର ଖର୍ଚ୍ଚ ପ୍ରାର୍ଥୀଙ୍କ ହିସାବରେ ଯୋଡା ହେବାର ନିୟମ ରହିଛି ବୋଲି ବିଜେଡି ନିଜ ଅଭିଯୋଗପତ୍ରରେ ଉଲ୍ଲେଖ କରିଛି ।

ବିଜେଡିର ଏହି ଅଭିଯୋଗକୁ କାଉଣ୍ଟର କରିବା ସହ ବିଜେପି କହିଛି ବିଜେପୁରରେ ମନ୍ତ୍ରୀଙ୍କ ସରକାରୀ ଗାଡି ନିର୍ବାଚନ ପ୍ରଚାର କରୁଛି । ଯାହା ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଛି । ତେଣୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ବିଜେପି ଦାବି କରିଛି । ବିଜେଡି-ବିଜେପି ପକ୍ଷରୁ ଆସିଥିବା ଅଭିଯୋଗକୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନିର୍ବାଚନ କମିଶନର ।