ମେଡିକାଲକୁ ତୁରନ୍ତ ଔଷଧ ଯୋଗାଣ ନେଇ ସରକାରଙ୍କ ପଦକ୍ଷେପ । ଶୀଘ୍ର ଔଷଧ ପହଞ୍ଚାଇଲେ ବିତରକଙ୍କୁ ମିଳିବ ପ୍ରୋତ୍ସାହନ । ସପ୍ତାହେ ଆଗରୁ ଦେଲେ ମିଳିବ ୫୦ % ଅଧିକ ଅର୍ଥ

3,037

କନକ ବ୍ୟୁରୋ: ସବୁ ଚିକିତ୍ସାଳୟକୁ ତୁରନ୍ତ ଜିନିଷପତ୍ର ଯୋଗାଇବା ନେଇ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ସମସ୍ତ ହସ୍ପିଟାଲକୁ ଔଷଧ ଏବଂ ମେଡିକାଲ ସାମଗ୍ରୀ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଠିକ ଭାବେ ଔଷଧ ଯୋଗାଇଲେ ବିତରକଙ୍କୁ ପ୍ରୋତ୍ସାହନ ମିଳିବ ବୋଲି ସରକାର ଘୋଷଣା କରିଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ତେବେ କରୋନା ମୁକାବିଲା ପାଇଁ ବିଭିନ୍ନ ମେଡିକାଲରେ ଔଷଧ ମହଜୁଦ ଉପରେ ଗୁରୁତ୍ୱ ଦିଆଯାଉଛି । ଡାକ୍ତରମାନେ ଅହରହ ମେଡିକାଲରେ ସେବା ଯୋଗାଇ ଆସୁଛନ୍ତି । ଆଉ ଏଭଳି ସ୍ଥିତିରେ ମେଡିକାଲରେ ଔଷଧ ଯୋଗାଣ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିବା ପାଇଁ ବିତରକମାନଙ୍କୁ ପୁରସ୍କାର ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଓଡିଶା ରାଜ୍ୟ ଔଷଧ ସେବା ନିଗମକୁ ଯେଉଁମାନେ ଔଷଧ ବିତରଣ କରୁଛନ୍ତି ସେମାନେ ଯଦି ଶୀଘ୍ର ଏବଂ ସୁଚାରରୂପେ ଯୋଗାଣ କରନ୍ତି ତେବେ ସେମାନଙ୍କୁ ପ୍ରୋତ୍ସାହନ ରାଶି ବାବଦକୁ ୫୦ ପ୍ରତିଶତ ଅଧିକ ଅର୍ଥ ଦିଆଯିବ । ୭ ଦିନ ଆଗରୁ ଔଷଧ ଯୋଗାଇଲେ ମିଳିବ ୫୦ ପ୍ରତିଶତ ଅଧିକ ଅର୍ଥ । ସେହିପରି ୧୫ ଦିନ ପାଇଁ ୨୫ ପ୍ରତିଶତ ଏବଂ ୩୦ ଦିନ ପାଇଁ ୧୦ ପ୍ରତିଶତ ପ୍ରୋତ୍ସାହନ ରାଶି ମିଳିବ । ଆଉ ଔଷଧ ଖର୍ଚ୍ଚ ପାଇଁ ସମସ୍ତ ପରିବହନ ଖର୍ଚ୍ଚ ସରକାର ଦେବେ । ଯେଉଁ ଜିନିଷ ସେମାନେ ଯୋଗାଇଥିବେ ତାର ସମସ୍ତ ଟଙ୍କା ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ଦିଆଯିବ ବୋଲି ସୁବ୍ରତ ସୂଚନା ଦେଇଛନ୍ତି ।

ତେବେ କରୋନା ମୁକାବିଲା ପାଇଁ ଆଜି ୩୦ ଜିଲ୍ଲାକୁ ସରକାର ସାଢେ ୪୪ କୋଟି ଟଙ୍କା ପଠାଇଛନ୍ତି । ପରିସ୍ଥିତିର ପ୍ରତିରୋଧ ପାଇଁ ବ୍ୟବସ୍ଥା କରିବାକୁ ଏ ସବୁ ଟଙ୍କା ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାକୁ ପଠାଇଥିବା ସୁବ୍ରତ ସୂଚନା ଦେଇଛନ୍ତି ।