କରୋନା ପାଇଁ ରାଜ୍ୟ ସରକାରଙ୍କ ହଜାର ହଜାର କୋଟି ଖର୍ଚ୍ଚ ଭିତରେ ବଢିଲା ରାଜସ୍ୱ ଚିନ୍ତା । ଟିକସ କମିବା ପରେ ଏପ୍ରିଲ ମାସର ଧାର୍ଯ୍ୟ ଲକ୍ଷ୍ୟ ଠାରୁ ବହୁ ଦୂରରେ ରାଜସ୍ୱ ଆଦାୟ । କିଭଳି କରାଯିବ ଭରଣା ? ଉପାୟ ଖୋଜୁଛନ୍ତି ସରକାର

629

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ହେଲେ ସରକାରଙ୍କ ରୋଜଗାର ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି । ତାଲାବନ୍ଦ ଯୋଗୁଁ ରାଜସ୍ୱ ଆଦାୟ ସାଂଘାତିକ ଭାବେ କମିଯାଇଛି । ଏପ୍ରିଲ ମାସରେ ୧୨୭୦ କୋଟି ଟଙ୍କାର ରାଜସ୍ୱ ଲକ୍ଷ୍ୟ ରଖାଯାଇଥିଲା । ତେବେ ଏପ୍ରିଲ ୧୫ ସୁଦ୍ଧା ଆଦାୟ ହୋଇଛି ମାତ୍ର ୩୭୭ କୋଟି ଟଙ୍କା । କିପରି ଏହାର ଭରଣା କରାଯିବ, ଏ ନେଇ ଚିନ୍ତାରେ ପଡିଛନ୍ତି ସରକାର ।

କରୋନା ପାଇଁ ଖର୍ଚ୍ଚ ବଢୁଛି । ରାଜ୍ୟର ରୋଜଗାର ହ୍ରାସ ପାଉଛିି । କରୋନା ମହାମାରୀର ମୁକାବିଲା ପାଇଁ ସରକାରଙ୍କୁ ବିପୁଳ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ନମୁନା ପରୀକ୍ଷଣ ଠାରୁ ଆରମ୍ଭ କରି କ୍ୱାରେଂଟିନ୍ ସେଂଟର, କୋଭିଡ୍ ହସପିଟାଲ ନିର୍ମାଣ ପର୍ଯ୍ୟନ୍ତ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି । ଏହି ଅଦୃଶ୍ୟ ଶତ୍ରୁ କବଳରୁ ଲୋକଙ୍କ ଜୀବନ ରକ୍ଷା ପାଇଁ ଲାଗି ପଡିଛନ୍ତି ସରକାର । ଏପଟେ ତାଲାବନ୍ଦ ଯୋଗୁଁ ସବୁ କିଛି ବନ୍ଦ ହୋଇଯାଇଛି । ବଡ଼ ବଡ଼ କଳ କାରଖାନା ଠାରୁ ଆରମ୍ଭ କରି ଛୋଟ ମୋଟ ଦୋକାନ କାରବାର ବନ୍ଦ ରହିଛି । ଫଳରେ ସାଂଘାତିକ ଭାବେ ପ୍ରଭାବିତ ହୋଇଛି ବିଭିନ୍ନ ଉଦ୍ୟୋଗ ତଥା କୋଟି କୋଟି ଲୋକଙ୍କ ରୋଜଗାର । ଯାହାର ସିଧା ପ୍ରଭାବ ପଡ଼ିଛି ସରକାରଙ୍କ ରୋଜଗାର ଉପରେ ।

ମୁଖ୍ୟତଃ ଟିକସ, ସେସ୍ ଓ ରୟାଲିଟି ମଧ୍ୟମରେ ରାଜସ୍ୱ ଆସିଥାଏ । ଓଡ଼ିଶାର ରାଜସ୍ୱର ସିଂହ ଭାଗ ଆଦାୟ ହୋଇଥାଏ ଜିଏସଟି, ଖଣି ଓ ଅବକାରୀ ଭଳି କ୍ଷେତ୍ରରୁ । ଏବେ ଏସବୁ କାରବାର ବନ୍ଦ ହୋଇ ଯାଇଥିବାରୁ ସଂକୁଚିତ ହୋଇଛି ଆୟର ଉତ୍ସ ।

ଏବେ ନଜର ପକାନ୍ତୁ, କେତେ କମିଛି ଓଡ଼ିଶାର ରାଜସ୍ୱ ?

ଏପ୍ରିଲ ୨୦୧୯ରେ ଓଡ଼ିଶାରେ ମୋଟ ରାଜସ୍ୱ ଆଦାୟ ହୋଇଥିଲା ୩୦୩୪ କୋଟି ଟଙ୍କା । ଚଳିତ ବର୍ଷ ଏପ୍ରିଲ ମାସରେ ୧୨୭୦ କୋଟି ଟଙ୍କାର ରାଜସ୍ୱ ଲକ୍ଷ୍ୟ ରଖାଯାଇଥିଲା । ତେବେ ଏପ୍ରିଲ ୧୫ ସୁଦ୍ଧା ଆଦାୟ ହୋଇଛି ମାତ୍ର ୩୭୭ କୋଟି ଟଙ୍କା । ୧୩୩ କୋଟି ଟଙ୍କାର ଭାଟ ଆଦାୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ମାତ୍ର ୩ କୋଟି ୨୦ ଲକ୍ଷ ଟଙ୍କା ଆଦାୟ ହୋଇଛି । ସେହିପରି ଖଣିରୁ ୨୭୫ କୋଟି ଟଙ୍କା ପାଇବାକୁ ଲକ୍ଷ୍ୟ ରଖାଯାଇଥିଲା, ହେଲେ ମିଳିଛି ୧୫୦ କୋଟି ।

ଗତବର୍ଷ ଏହି ସମୟରେ ଓଡ଼ିଶାର ଆୟ ଯାହା ଥିଲା, ତା’ଠାରୁ ବହୁ କମ୍ ଆୟ ହୋଇଛି ଚଳିତ ବର୍ଷ । ଗୋଟିଏ ପଟେ କରୋନା ମୁକାବିଲା ପାଇଁ ବିପୁଳ ପରିମାଣର ଅର୍ଥ ଆବଶ୍ୟକ, ଅନ୍ୟପଟେ କମିଯାଉଛି ରାଜସ୍ୱ ଆଦାୟ । ଆଗାମୀ ଦିନରେ ଏହା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଂଜ ସୃଷ୍ଟି କରିବ ।