ଲକଡାଉନ ନୁହେଁ ଲକ୍ଷ୍ମଣରେଖା: କରୋନାକୁ ହରାଇବା ପାଇଁ ସାମାଜିକ ଦୂରତା ହିଁ ବଡ ଅସ୍ତ୍ର । ଘରେ ରୁହନ୍ତୁ, ସାରା ଦେଶକୁ ସଂକ୍ରମଣରୁ ରକ୍ଷା କରନ୍ତୁ… ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

942

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ଆଜି ଠାରୁ ୨୧ ଦିନ ସାରା ଦେଶରେ ତାଲାବନ୍ଦ । ଆଜି ରାତି ୧୨ଟା ଠାରୁ ପୂରା ଦେଶ ଲକ ଡାଉନ ରହିବ । ସାମାଜିକ ଦୂତରା ପାଇଁ ଏଭଳି ବଡ ପଦକ୍ଷେପ ନିଆଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

କରୋନାର ମୁକାବିଲା କରିବା ପାଇଁ ସାମାଜିକ ଦୂରତା ସବୁଠାରୁ ବଡ ଦିଗ । ଜଣେ ଅନ୍ୟ ଜଣଙ୍କ ଠାରୁ ଦୂରରେ ରହିଲେ ହିଁ ଆମେ କରୋନାର ଚକ୍ରକୁ ଭାଙ୍ଗି ପାରିବା । କୋରାନ ମୁକାବିଲା ପାଇଁ କେହି ଘରୁ ବାହାରନ୍ତୁନି । ୨୧ ଦିନ ଯାଏଁ ନିଜ ନିଜ ଘରେ ରହି ମାନବ ଜାତିକୁ ସଙ୍କଟରୁ ରକ୍ଷା କରନ୍ତୁ । ଭାବିନିଅନ୍ତୁ ଏହି ୨୧ ଦିନ ଆପଣଙ୍କ ଘର ଆଗରେ ଲକ୍ଷ୍ମଣରେଖା ଟଣାହୋଇଛି । ଆମେ ଯଦି ଏହି ୨୧ ଦିନ କଡାକଡି ଭାବେ ନମାନିବା କିମ୍ବା ଲକ ଡାଉନ ପାଳନ ନକରିବା ତେବେ ପୂରା ଦେଶ ୨୧ ବର୍ଷ ପଛକୁ ପଳାଇବ । ଆଉ କିଛି ପରିବାର ସବୁଦିନ ପାଇଁ ଲୋପ ପାଇଯିବ ।

ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ କଡାକଡି ଭାବେ ମାନିବାକୁ ଜନତାଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି । ୨୨ ମାର୍ଚ୍ଚରେ ଦେଶବାସୀ କରୋନା ବିରୋଧରେ ଲଢିବା ପାଇଁ ସମର୍ଥ ବୋଲି ଜଣାଇ ଦେଇଥିଲେ । ଜନତା କର୍ଫ୍ୟୁକୁ ପାଳନ କରି ସଙ୍କଟ ସମୟରେ ସମସ୍ତେ ଏକ ହୋଇ ଲଢିବେ ବୋଲି ସଙ୍କେତ ଦେଇଥିଲେ । ତେଣୁ ଜନତା କର୍ଫ୍ୟୁ ଭଳି ୨୧ ଦିନ ସମସ୍ତେ ମାନିବେ । ତାଲାବନ୍ଦ କର୍ଫ୍ୟୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ଜନତା କର୍ଫ୍ୟୁ ଠାରୁ ଆହୁରି କଡାକଡି ହେବ ତେଣୁ ଆପଣ ଯିଏ ଯେଉଁଠି ରହିଛନ୍ତି ସେଇଠି ରୁହନ୍ତୁ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ସେପଟେ ସବୁ ରାଜ୍ୟକୁ ସ୍ୱାସ୍ଥ୍ୟ ସେବା ଉପରେ ଅଧିକ ଗୁରୁତ୍ୱ ଦେବାକୁ ମୋଦି ରାଜ୍ୟ ମାନଙ୍କୁ ଅନୁରୋଧ କରିଥିବା ଜରୁରୀସେବା ଯୋଗାଉଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି, ଆପଣଙ୍କ ଜୀବନ ବଞ୍ଚାଇବା ପାଇଁ କାମ କରୁଥିବା ଲୋକଙ୍କ କଥା ଭାବନ୍ତୁ । ପୋଲିସ, ଡାକ୍ତର ନିଜ ଜୀବନକୁ ବିପଦରେ ପକାଇ ଆପଣଙ୍କ ସେବା କରୁଛନ୍ତି । ଗଣମାଧ୍ୟମ ଆପଣଙ୍କ ପାଖରେ ଖବର ପହଞ୍ଚାଉଛନ୍ତି । ସଫେଇ କର୍ମଚାରୀ ସଫା ସୁତୁରା କରି ଦେଶର ସେବା କରୁଛନ୍ତି ତେଣୁ ସେମାନଙ୍କୁ ଧନ୍ୟବାଦ ଦିଅନ୍ତୁ, ତାଙ୍କ କଥା ଭାବି ଘରେ ରୁହନ୍ତୁ ।