କନକ ବ୍ୟୁରୋ: ମେ ୨୦ ତାରିଖରେ ଦେଶରେ ପଂଚମ ପର୍ଯ୍ୟାୟ ନିର୍ବାଚନ ହେବାର ଅଛି । ୬ଟି ରାଜ୍ୟ ଦୁଇ କେନ୍ଦ୍ରଶାସିତ ଅଂଚଳର ୪୯ ଆସନ ପାଇଁ ଭୋଟିଂ ହେବ । ଆଉ ୪୯ ଆସନ ମଧ୍ୟରୁ ଏଥର ସବୁଠୁ ଚର୍ଚ୍ଚାରେ ରହିଛି ଉତରପ୍ରଦେଶର ଦୁଇ ଆସନ ଆମେଥି ଓ ରାଇବରେଲି । କଗ୍ରେସ ନେତା ରାହୁଲ ଗାନ୍ଧୀ ଏଥର ଆମେଥି ପରିବର୍ତେ ତାଙ୍କ ମା’ ସୋନିଆ ଗାନ୍ଧୀଙ୍କ ଆସନ ରାଇବରେଲିରୁ ପ୍ରାର୍ଥୀ ହୋଇଛନ୍ତି । ବିଜେପି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନିଙ୍କୁ ପୁଣି ଥରେ ଆମେଥିରୁ ପ୍ରାର୍ଥୀ କରିଥିବା ବେଳେ ରାହୁଲଙ୍କ ବଦଳରେ କଂଗ୍ରେସ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି ।

Advertisment

୨୦୦୪ରୁ ରାହୁଲ ଗାନ୍ଧୀ ଲଗାତାର ଭାବେ ଆମେଥିରୁ ଜିତିଆସୁଥିଲେ ମଧ୍ୟ ବିଜୟର ବ୍ୟବଧାନ କମି କମି ଆସୁଥିଲା । ଯାହାର ସୁଯୋଗ ନେଇ ୨୦୧୪ରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ରାହୁଲ ଗାନ୍ଧୀଙ୍କୁ ଭଲ ଟକ୍କର ଦେଇଥିଲେ । ଶେଷରେ ୨୦୧୯ରେ ସ୍ମୃତି ରାହୁଲକୁ ୫୫ ହଜାର ଭୋଟରେ ହରାଇ ବିଜୟୀ ହୋଇଥିଲେ । ଏଥରକ ଆମେଥିରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା କିଶୋରୀ ଲାଲ ଶର୍ମାଙ୍କୁ ସେଠିକାର ତୃଣମୂଳ ସ୍ତରର କର୍ମୀ ବୋଲି କୁହାଯାଏ । ତାଙ୍କ ପ୍ରଚାରର ଦାୟୀତ୍ୱ ନିଜେ ପ୍ରିୟଙ୍କା ଗାନ୍ଧୀ ନେଇଛନ୍ତି ।

ଅନ୍ୟପଟେ ନିଜ ତଥା ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ରାହୁଲ ଗାନ୍ଧୀ ରାଇବରେଲିରୁ ନିଜ ମା ସୋନିଆ ଗାନ୍ଧୀଙ୍କ ଭଲ ଭାବମୂର୍ତିରୁ ଫାଇଦା ପାଇବେ ବୋଲି ଆଶା ରଖିଛନ୍ତି । ମାତ୍ର ଏଠାରୁ ଜିତିବା ରାହୁଲ ଗାନ୍ଧୀଙ୍କ ପାଇଁ ଏତେ ସହଜ ହୋଇନପାରେ । ଗତ ତିନି ନିର୍ବାଚନର ଫଳାଫଳକୁ ଦେଖିଲେ ସୋନିଆ ଗାନ୍ଧୀଙ୍କ ବିଜୟ ବ୍ୟବଧାନ କ୍ରମାଗତ ଭାବେ କମୁଛି ।

ଲୋକସଭା ନିର୍ବାଚନ ସଂସଦୀୟ କ୍ଷେତ୍ର                 ସୋନିଆ ଗାନ୍ଧୀଙ୍କ ବିଜୟ ବ୍ୟବଧାନ
୨୦୦୯                ରାଏବରେଲି                      ୩, ୭୨, ୧୬୫
୨୦୧୪                ରାଏବରେଲି                      ୩, ୫୨, ୭୧୩
୨୦୧୯                ରାଏବରେଲି                      ୧, ୬୭, ୧୭୮

ଏହାସହିତ ୨୦୨୩ ଉତରପ୍ରଦେଶ ବିଧାନସଭା ନିର୍ବାଚନରେ ରାଇବରେଲି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ୫ ଆସନ ମଧ୍ୟରୁ ବିଜେପି ୩ଟି, ସମାଜବାଦୀ ପାର୍ଟି ୨ ଜିିତିଥିବା ବେଳେ କଂଗ୍ରେସ ଖାତା ଖୋଲିପାରିନଥିଲା । ଏଥର ଲୋକସଭା ନିର୍ବାଚନରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମେଂଟ କରିଛନ୍ତି । ଯାହା ଫଳରେ କଂଗ୍ରେସର ପ୍ରତ୍ୟେକ ନିର୍ବାଚନୀ ସଭା ତଥା ପ୍ରଚାର କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟି କର୍ମୀଙ୍କୁ ଯଥେଷ୍ଟ ସଂଖ୍ୟାରେ ଦେଖିବାକୁ ମିଳୁଛି । ଏହା କଂଗ୍ରେସ ପାଇଁ ଏକ ବଡ଼ ସହାୟକ ହୋଇପାରେ । ଅନ୍ୟପଟେ ରାଇବରେଲିରୁ ବିଜେପି ପ୍ରାର୍ଥୀ ହୋଇଥିବା ଉତରପ୍ରଦେଶର ମନ୍ତ୍ରୀ ଦିନେଶ ପ୍ରତାପ ସିଂଙ୍କୁ ତାଙ୍କ ଦଳ ମଧ୍ୟରୁ ବିରୋଧରେ ସାମ୍ନା କରିବାକୁ ପଡିଲାଣି ।

୨୦୧୯ ନିର୍ବାଚନରେ ଆମେଥିରୁ ହାରିବା ପରେ ରାହୁଲ ଏଥର ନିର୍ବାଚନ ମଣ୍ଡଳୀ ପରିବର୍ତନ କରିଛନ୍ତି । କଂଗ୍ରେସ ଅବା ଇଣ୍ଡିଆ ମେଂଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରେସରେ ଆଗୁଆ ଥିବା ରାହୁଲ ଗାନ୍ଧୀଙ୍କୁ ହରାଇ ବିଜେପି ବିରୋଧୀଙ୍କୁ ଚେକ ଦେବାକୁ ନିଶ୍ଚୟ ଚେଷ୍ଟା କରିବ । ଆଉ ଦଳ, ପରିବାର ଏବଂ ନିଜର ସମ୍ମାନ ବଂଚାଇବା ପାଇଁ ରାହୁଲ ଗାନ୍ଧୀ ଜତିବାକୁ କୌଣସି ସୁଯୋଗ ହାତଛଡା କରିବେନି ।