ଖୋଲିଲା ୧୩ ବର୍ଷ ତଳର କ୍ରାଇମ୍ ଫାଇଲ । ୨୦୦୮ରେ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ମାମଲାରେ ପଞ୍ଚମ ଅଭିଯୁକ୍ତ ଗିରଫ

358

କନକ ବ୍ୟୁରୋ: କଙ୍କାଳର କାହାଣୀକୁ ନେଇ ପ୍ରଶ୍ନ ଘେରରେ ଥିବା କମିଶନରେଟ୍ ପୁଲିସ୍, ପୁରୁଣା ଫାଇଲ୍ ଖୋଲି ୧୩ ବର୍ଷ ତଳର ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଧରି ପ୍ରଶଂସା ବି ସାଉଁଟିଛି । ପୁରୁଣା ଅପରାଧୀଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ଯେଉଁ ଅଭିଯାନ ଆରମ୍ଭ କରିଥିଲା, ସେହି ଅଭିଯାନକୁ ଆଉ ଏକ ସଫଳତା ମିଳିଛି, ଯେତେବେଳେ ୨୦୦୮ ମସିହାରେ ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କ ହତ୍ୟା ମାମଲାରେ ଫେରାର ଥିବା ପଂଚମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ବିକ୍ରମାଦିତ୍ୟ ଜେନା ଓରଫ ଲିଟୁଆକୁ ୧୩ ବର୍ଷ ପରେ ଧରିବାରେ ସଫଳ ହୋଇଛି ସ୍ପେଶାଲ ସ୍କ୍ୱାର୍ଡ । ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିବା ବିକ୍ରମାଦିତ୍ୟ ପୁନେ ଥିଲା । ଆଉ ମଝିରେ ମଝିରେ ପରିବାର ସହିତ ସଂପର୍କରେ ଥିଲା । ଆଇବିଏମରୁ ଟ୍ରେନିଂ ନେବା ପରେ ଜଣେ ଜିମ ଟ୍ରେନର ଭାବେ କାମ କରୁଥିଲା ଅଭିଯୁକ୍ତ । ତେବେ ତାର ଗତିବିଧିକୁ ଟ୍ରାକ କରିବା ସହ ତାକୁ ବାକୁ କରିଛି ପୁଲିସ । ହେଲେ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛି ଗିରଫ ଅଭିଯୁକ୍ତ ।

ମଂଚେଶ୍ୱରର ଥାନା ଅଂଚଳରେ ଆସୁଥିବା ଏହି ଅଂଚଳର କେନାଲ କଡରୁ ସକାଳୁ ସକାଳୁ ଏକ ମାରୁତି କାର ଡିକି ଭିତରୁ ମିଳିଥିଲା ସୁମନ୍ତଙ୍କ ମୃତ ଶରୀର । ଏହି ଖବର ମାତ୍ର କିଛି ସମୟ ଭିତରେ ସାରା ସହରରେ ବ୍ୟାପି ଯାଇଥିଲା । ଗୀତ ଗାଇ ସମସସ୍ତଙ୍କ ମନୋରଞ୍ଜନ କରୁଥିବା ସୁମନ୍ତଙ୍କୁ କିଏ ଓ କାହିଁକି ମାରିଲେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ହେଲେ, ପାରିପାଶ୍ୱର୍କ ଅବସ୍ଥାରୁ ସ୍ପଷ୍ଟ ଜଣାପଡୁଥିଲା କେହି ତାଙ୍କୁ ହତ୍ୟା କରିଛି ।

ସୁମନ୍ତ ମହାନ୍ତିଙ୍କ ହତ୍ୟାକାଣ୍ଡ ସେତେବେଳେ ରାଜ୍ୟରେ ଯେତେ ବଡ଼ ଆଲୋଡ଼ନ ସୃଷ୍ଟି କରିଥିଲା, ଘଟଣା ପଛର କାହାଣୀ ମଧ୍ୟ ସେତିକି ଚର୍ଚ୍ଚା ସୃଷ୍ଟି କରିଥିଲା । ସୁମନ୍ତ ମହାନ୍ତି ସଂଗୀତ ମହାବିଦ୍ୟାଳୟରେ ପଢ଼ିବା ସମୟରେ କିଛି ଛାତ୍ରୀଙ୍କୁ ମାନସ ରଞ୍ଜନ ବେଦାନ୍ତ ନାମକ ଜଣେ ଛାତ୍ର କମେଂଟ କରିଥିଲା । ଏହାର ପ୍ରତିବାଦ କରିଥିଲେ ସୁମନ୍ତ ।

ଏଥିରେ ଉତକ୍ଷିପ୍ତ ହୋଇ ମାନସ ସୁମନ୍ତଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲା । ଏଥିପାଇଁ ମାନସଙ୍କୁ ଜେଲ ଯିବାକୁ ପଡିଥିଲା ଓ କଲେଜରୁ ତଡା ଖାଇଥିଲା । ସେହି ଦିନର ରାଗକୁ ଭୁଲି ପାରିନଥିଲା ମାନସ । ଆଉ ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ମାନସ ବେଦାନ୍ତ । ଆଉ ଏସବୁ ଭିତରେ ଫେରାର ଅଭିଯୁକ୍ତ ବିକ୍ରମାଦିତ୍ୟ ଜେନା ଓରଫ ଲିଟୁଆକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ ।