କନକ ବ୍ୟୁରୋ: ଫିନାଇଲ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହେଉଛନ୍ତି ଗାଁ ମହିଳା । କୃଷ୍ଣପ୍ରସାଦ ସାତପଡ଼ା ପଂଚାୟତ ନୂଆଗାଁର ୧୫ ଜଣ ମହିଳା ଏକାଠି ହୋଇ ଏଭଳି କିଛି କାମ କରି ଅନ୍ୟମହିଳା ମାନଙ୍କ ପାଇଁ ଏବେ ପ୍ରେରଣା ପାଲଟିଛନ୍ତି । ମହିଳା ମାନେ ତିଆରି କରୁଥିବା ଏହି ଫିନାଇଲ କଟକ, ଭୁବନେଶ୍ୱର, ପୁରୀ ଏବଂ ସ୍ଥାନୀୟ ବଜାରକୁ ପଠାଯାଉଛି । ଏସଏଚଜି ଗ୍ରୁପ୍ ମାଧ୍ୟମରେ ବ୍ୟାଙ୍କରୁ କିଛି ରୁଣ ନେଇ ମହିଳା ଫିନାଇଲ ତିଆରି କରୁଛନ୍ତି । ହେଲେ ବିକ୍ରି କରିବା ପାଇଁ ମାର୍କେଟିଂ ବ୍ୟବସ୍ଥା ନଥିବାରୁ ମହିଳା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଘର କାମ ସାରି ବଳକା ସମୟକୁ ଅପବ୍ୟୟ ନକରି ଫିନାଇଲ ପ୍ରସ୍ତୁତ କରି ରୋଜଗାର କରିବାର ପନ୍ଥା ବାଛିଛନ୍ତି ଏହି ମହିଳା ମାନେ । ପ୍ରତିଦିନ ଏହି କାମ ପାଇଁ ସେମାନେ ୨ ଘଂଟା ଲେଖାଏଁ ସମୟ ଦେଉଛନ୍ତି । ବିଭିନ୍ନ ଅନୁଷ୍ଠାନକୁ ବିକ୍ରି କରିବା ସହ ଗାଁ ଲୋକମାନେ ମହିଳାମାନଙ୍କ ଠାରୁ ଫିନାଇଲ କିଣି ନିଜ ଘରେ ବ୍ୟବହାର କରୁଛନ୍ତି । ଫିନାଇଲ ପ୍ରସ୍ତୁତି ପାଇଁ ଏହି ଗ୍ରୁପର ମହିଳା ମାନଙ୍କୁ ୨୦୨୨ରେ ରାଜ୍ୟପାଳ ପୁରସ୍କୃତ କରିଥିଲେ । ଆଉ ସେବେଠାରୁ ଏହି କାମ ପ୍ରତି ମହିଳାଙ୍କ ମାନଙ୍କ ମନରେ ଉତ୍ସାହ ବଢ଼ିଥିଲା । ଏହି କାମକୁ ଆପଣାଇ କିଛି ରୋଜଗାର କରିବାର ଆଶା ନେଇ ସେମାନେ ଆଗକୁ ବଢ଼ିଚାଲିଛନ୍ତି ।
ପୂର୍ବରୁ ଏହି ମହିଳା ମାନେ ନିଜ ଖର୍ଚ୍ଚ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ହେଲେ ଏବେ ଫିନାଇଲ ପ୍ରସ୍ତୁତ କରି ଏମାନେ କିଛି ରୋଜଗାର କରିପାରୁଛନ୍ତି । ନିଜ ଖର୍ଚ୍ଚ ନିଜେ କରିପାରୁଛନ୍ତି ।