କନକ ବ୍ୟୁରୋ: କାତାରରେ ଖେଳାଯାଉଥିବା ଫିଫା ୱାର୍ଲ୍ଡ କପର ଆଜି ଫାଇନାଲ ମ୍ୟାଚ୍ । ଆଜି ରାତି ୮ଟା ୩୦ ମିନିଟରେ ଖେଳା ହେବାକୁ ଥିବା ମ୍ୟାଚରେ ମୁହାଁମୁହିଁ ହେବେ ଫ୍ରାନ୍ସ ଓ ଆର୍ଜେଣ୍ଟିନା । ଫ୍ରାନ୍ସ ତୃତୀୟ ଥର ବିଜେତା ହେବାକୁ ଲକ୍ଷ୍ୟ ରଖିଥିବାବେଳେ ଆର୍ଜେଣ୍ଟିନା ମଧ୍ୟ ତୃତୀୟ ଥର ପାଇଁ ବିଶ୍ୱ କପ୍ ଜିତିବାକୁ ଲକ୍ଷ୍ୟ ରଖିଛି । ମୋରୋକ୍କୋକୁ ହରାଇ ଫ୍ରାନ୍ସ ଓ କ୍ରୋଏସିଆକୁ ହରାଇ ଆର୍ଜେଣ୍ଟିନା ଫାଇନାଲରେ ପ୍ରବେଶ କରିବା ପରେ ଆଜିର ରୋମାଞ୍ଚକର ମ୍ୟାଚ୍ ପାଇଁ ସମସ୍ତଙ୍କ ମନରେ ଉକ୍ରଣ୍ଠା ।

Advertisment

ତେବେ କଥା ହେଉଛି ଆଜିର ମ୍ୟାଚରେ ବିଜେତା ଯିଏ ବି ହେଉନା କାହିଁକି କାହାକୁ ବି ପ୍ରକୃତ ବା ଓରିଜିନାଲ ଟ୍ରଫି ମିଳିବ ନାହିଁ । ଫିଫା ଟ୍ରଫି ପଛରେ ରହିଛି ଏକ ରୋଚକ କାହାଣୀ । ଫିଫା ୱାର୍ଲ୍ଡ କପର ଫାଇନାଲରେ ବିଜୟୀଙ୍କ ହାତରେ ଯେଉଁ ଟ୍ରଫି ଆପଣ ଦେଖନ୍ତି ତାହା ପ୍ରକୃତ ନୁହେଁ ବରଂ ପ୍ରତିକୃତି । ପ୍ରକୃତ ଟ୍ରଫି ଖାଣ୍ଟି ସୁନାରେ ତିଆରି ହୋଇଥିବାବେଳେ ବିଜୟୀଙ୍କୁ ଦିଆଯାଇଥିବା ଟ୍ରଫି ବ୍ରୋଞ୍ଚରେ ତିଆରି ଯାହା ଉପରେ ସୁନାର ଏକ ପରସ୍ତ ଦିଆଯାଇଥାଏ ।

ସୂଚନା ଅନୁସାରେ ପ୍ରଥମ ଫିଫା ବିଶ୍ୱ କପ୍ ୧୯୩୦ରେ ଉରୁଗୁଏରେ ଅନୁଷ୍ଠିତ ହୋଇଥିଲା । ସେ ସମୟରେ ଖେଳାଳିଙ୍କୁ ଯେଉଁ ଟ୍ରଫି ମିଳୁଥିଲା ତାହା ପ୍ରକୃତ ତଥା ଖାଣ୍ଟି ସୁନାର ଥିଲା । ୧୯୭୦ ପର୍ଯ୍ୟନ୍ତ ବିଜୟୀ ଟିମକୁ ଓରିଜିନାଲ ଟ୍ରଫି ମିଳୁଥିଲା । ହେଲେ ୧୯୭୪ ବର୍ଷଠାରୁ ଏହି ନିୟମ ବଦଳିଲା । ଫିଫା ଟ୍ରଫିର କଳେବର ପରିବର୍ତ୍ତନ କରାଗଲା । ନୂଆ ଟ୍ରଫିକୁ ଇଟାଲୀର ସ୍ଥପତି ସିଲଭିଓ ଗଜାନିୟା ପ୍ରସ୍ତୁତ କରିଥିଲେ ।

publive-image

ଏହି ଟ୍ରଫିର ଓଜନ ୬,୧୭୫ କେଜି । ଏହାର ନିର୍ମାଣରେ ୧୮ କ୍ୟାରେଟ ସୁନାର ବ୍ୟବହାର କରାଯାଏ । ଟ୍ରଫିର ଲମ୍ବ ୩୬.୮ ସେଣ୍ଟିମିଟର ହୋଇଥିବାବେଳେ ବ୍ୟାସ ୧୩ ସେଣ୍ଟିମିଟର ।
ଆପଣଙ୍କୁ କହିରଖୁଁ , ଫାଇନାଲ ମ୍ୟାଚରେ ବିଜୟୀ ଟିମକୁ କାଂସ୍ୟ ଟ୍ରଫି ସହ ୩୪୭ କୋଟି ଟଙ୍କା ମିଳୁଥିବାବେଳେ ରନର୍ସଅପ୍ ଟିମକୁ ୨୪୮ କୋଟି ମିଳେ । ଦ୍ୱିତୀୟ ରନର୍ସଅପ ଟିମକୁ ୨୨୩ କୋଟି ଓ ମୋରୋକ୍କୋ ଟିମକୁ ୨୦୬ କୋଟି ଟଙ୍କା ପୁରସ୍କାର ରାଶି ଦିଆଯାଏ ।