କନକ ବ୍ୟୁରୋ: ଗୁରୁବାର ଦିନ ଭୁବନେଶ୍ୱର ଫିକି ମହିଳା ଅନୁଷ୍ଠାନ ଭୁବନେଶ୍ୱରର କର୍ମକର୍ତ୍ତାମାନେ କଟକ ସ୍ଥିତ ଓଡ଼ିଶାର ୧ନଂ ମସଲା ଉଦ୍ୟୋଗ ତଥା ପୂର୍ବ ଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ପ୍ରତିଷ୍ଠାନ ରୁଚି ଓ ଫ୍ରୋଜିଟ୍ ପରିଦର୍ଶନରେ ଆସିଥିଲେ । ଫିକି ମହିଳା ଅନୁଷ୍ଠାନ ଭୁବନେଶ୍ୱରର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ ଓ ୨୦୨୧-୨୨ର ଚାପ୍ଟର ଅଧ୍ୟକ୍ଷା ସୁନୀତା ମହାନ୍ତିଙ୍କ ନେତୃତ୍ୱରେ ୧୪ ଜଣିଆ ମହିଳା ଦଳ ଆଜି ଏହି ସ୍ୱତନ୍ତ୍ର ଉଦ୍ୟୋଗ ପରିଦର୍ଶନରେ ଆସିଥିବାବେଳେ ଫ୍ରୋଜିଟର ପ୍ରତିଷ୍ଠାତା ତଥା ରୁଚିର ନିର୍ଦ୍ଦେଶିକା ରଶ୍ମି ସାହୁଙ୍କ ଅଧ୍ୟକ୍ଷତାରେ ସେମାନଙ୍କୁ ସ୍ୱାଗତ କରିଥିଲେ ଫ୍ରୋଜିଟର କର୍ମକର୍ତ୍ତାମାନେ ।

Advertisment

ଏହି ଅବସରରେ ସେମାନେ ଫ୍ରୋଜିଟ୍ ଉଦ୍ୟୋଗ, ରୁଚିର ପାସ୍ତା ଉଦ୍ୟୋଗ ଏବଂ ଫ୍ରୋଜିଟ୍ ଆଉଟଲେଟ୍ ଆଦି ବୁଲି ଦେଖିବାବେଳେ ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ ସମ୍ପର୍କରେ ରଶ୍ମି ସାହୁଙ୍କଠାରୁ ବିଭିନ୍ନ କଥା ଜାଣିଥିଲେ ।ଏହାପରେ ରୁଚି କର୍ପୋରେଟ୍ ଅଫିସରେ ରୁଚି ଓ ଫ୍ରୋଜିଟ୍ ସଂପର୍କିତ ବୃତ୍ତ ଚିତ୍ର ଦେଖିଥିଲେ ଏବଂ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁଙ୍କ ସହ ଆଲୋଚନା କରିଥିଲେ ।

ସମସ୍ତ କର୍ମକର୍ତ୍ତାମାନେ ରୁଚି ଓ ଫ୍ରୋଜିଟର ୪୭ବର୍ଷର ନିରନ୍ତର ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଇବା ସହ ଡ. ଶରତ କୁମାର ସାହୁଙ୍କ ରୁଚି ପରିବାରର ଉଦ୍ୟମକୁ ବେଶ ପ୍ରଶଂସା କରିଥିଲେ । ପରିଶେଷରେ ସମସ୍ତ ଫିକି ମହିଳା ଅନୁଷ୍ଠାନ ଭୁବନେଶ୍ୱରର ମେମ୍ବରମାନଙ୍କୁ ରୁଚିର ନିର୍ଦ୍ଦେଶିକା ସଙ୍ଗୀତା ସାହୁ ଓ ସଲିନା ସାହୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିଳ୍ପା ଦାସ, ଶ୍ରୀକାନ୍ତ ମହାପାତ୍ର, ଆଦ୍ୟାଶା ପଟ୍ଟନାୟକ, ଦେବସ୍ମିତା ମିଶ୍ର, ସାଗନିକା ମହାପାତ୍ର ପ୍ରମୁଖ ପରିଚାଳନା କରିଥିବାବେଳେ ଚିଣ୍ଟୁ ମିଶ୍ର, ଉଲ୍ଲାସ ବେହୁରା, ସନ୍ତୋଷ ନାୟକ ପ୍ରମୁଖ ସହଯୋଗ କରିଥିଲେ ।