କେବିଏନ ଗ୍ୟାଙ୍ଗର ସଦସ୍ୟଙ୍କୁ ରିମାଣ୍ଡ ବେଳେ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ : ଦାଦାବଟି ଓ ପତିଆରା ପାଇଁ ଟାଉନ ଟାଇଗର ନାଁରେ କରିଥିଲେ ହ୍ୱାଟ୍ସଆପ୍ ଗ୍ରୁପ

ସନାତନ ବେହେରା ଥିଲା ଆଡମିନ୍; ଗ୍ରୁପରେ ଥିଲେ ୨୯ସଦସ୍ୟ

176

କନକ ବ୍ୟୁରୋ : କେବିଏନ ଗ୍ୟାଙ୍ଗର ସଦସ୍ୟଙ୍କୁ ରିମାଣ୍ଡ ବେଳେ ମିଳିଲା ଚଂଚଲ୍ୟକର ତଥ୍ୟ । ଗ୍ୟାଙ୍ଗର ସଦସ୍ୟ ତିଆରି କରିଥିଲେ ଆଉ ଏକ ନୂଆ ଗ୍ୟାଙ୍ଗ । ଟାଉନ ଟାଇଗର ନାମରେ କରିଥିଲେ ନୂଆ ହ୍ୱାଟ୍ସଆପ୍ ଗ୍ରୁପ୍ । ଭୁବନେଶ୍ୱରକୁ କବଜା କରିବା ଲକ୍ଷ ନେଇ ଏପରି ଗ୍ରୁପ୍ ତିଆରି କରିଥିଲେ ଅଭିଯୁକ୍ତ । କେବିଏନ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ସନିଆ ଓରଫ ସନାତନ ବେହେରା ଥିଲା ଏହି ଗ୍ରୁପର ଆଡମିନ୍ ।

ବିଶେଷକରି ଭାଇଗିରି, ଦାଦାବଟି ଓ ପତିଆରା ଜାହିର କରିବା ଉଦ୍ଦେଶ୍ୟରେ ତିଆରି ହୋଇଥିଲା ଏହି ଗ୍ରୁପ୍ । ଗ୍ରୁପ୍ରେ ଥିଲେ ମୋଟ୍ ୨୯ ଜଣ ସଦସ୍ୟ । ସେହି ହ୍ୱାଟ୍ସଗ୍ରୁପ୍ ଏବେ ପୋଲିସ ହାତରେ ଲାଗିବା ପରେ ଗ୍ୟାଙ୍ଗ ସଦସ୍ୟ ମାନେ ଧୀରେ ଧୀରେ ଗ୍ରୁପରୁ ଲେପ୍ଟ ହେବାରେ ଲାଗିଛନ୍ତି । ତେବେ ଲେପ୍ଟ ହେଉଥିବା ସଦସ୍ୟଙ୍କ ତାଲିକା ଏବେ ପୋଲିସ ତିଆରି କରିଛି, ଖୁବଶୀଘ୍ର ସେମାନଙ୍କୁ ଧରାଯିବ ବୋଲି କହିଛି ପୋଲିସ ।

ଜେରା ବେଳେ ଗ୍ୟାଙ୍ଗ୍ ଲିଡର୍‌ ଦେବୀପ୍ରସାଦ ଜେନା ଓରଫ ବୁବୁ ବାବଦରେ ଏମାନେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ପୁଲିସ ଭୟରେ କୋର୍ଟ‌ରେ ଆତ୍ମସମର୍ପଣ କରିଥିବା ଚେଙ୍ଗ ବହୁତ କିଛି ଉଗାରି ପକାଇଥିବା ଜଣାପଡ଼ିଛି। ସେମାନେ କିଭଳି କାହାକୁ ଭୟଭୀତ କରୁଥିଲେ ଓ କାହାଠାରୁ ବଟି ଆଦାୟ କରୁଥିଲେ, ସବୁ ତଥ୍ୟ ଚେଙ୍ଗ ଓ ସନିଆ ପୁଲିସକୁ କହିଛନ୍ତି । ସେହିଭଳି ରାତିରେ ରାଜରାସ୍ତାରେ ଅସ୍ତ୍ରଶସ୍ତ୍ର ସହ ଭିଡିଓ କରିବା ପରେ ସେସବୁକୁ କିଭଳି ଅମ୍ଳାନ ମହାନ୍ତି ଏଡିଟ୍ କରୁଥିଲା ଓ ଟା‌ଉନ୍‌ ଟାଇଗର୍ସ ନାମକ ଅନ୍ୟ ଏକ ଗ୍ୟାଙ୍ଗ୍‌ର ଆକାଉଣ୍ଟରେ ପୋଷ୍ଟ କରୁଥିଲା ବୋଲି ମଧ୍ୟ ସେମାନେ ପୁଲିସକୁ କହିଛନ୍ତି ।

ତେବେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶଙ୍କ କହିବା କଥା ଏମାନେ ଖଣ୍ଡା ବୁଲାଇବା ସହିତ ଯେଉଁ ବନ୍ଧୁକ ଧରି ଭିଡିଓ କରୁଥିଲେ । କିନ୍ତୁ ସେସବୁ ବନ୍ଧୁକ ଖେଳଣା ଥିଲା । କେବଳ ଖଣ୍ଡଗିରିର ରାହୁଲ ଜେନା ଲାଇସେନ୍ସପ୍ରାପ୍ତ ବନ୍ଧୁକ ଚୋରି କରିଥିବା ବେଳେ ବାକି ସମସ୍ତ ବନ୍ଧୁକ ନକଲି ଥିଲା । ଏଭଳି ଭୟଙ୍କର ଭିଡିଓ କରିବା ପଛରେ ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ରାଜଧାନୀରେ ପତିଆରା ଜାହିର୍ କରିବା ।