କନକ ବ୍ୟୁରୋ : ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଆଉ ଦିନ କେଇଟା ବାକି ଅଛି । ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତିକୁ ଜୋରଦାର ମଧ୍ୟ କରିଛନ୍ତି ବିଭିନ୍ନ ଟିମ୍ । ଏପରିକି ପ୍ରାୟତଃ ସବୁ ଟିମ୍ ଟି-୨୦ ବିଶ୍ୱକପ ପାଇଁ ନିଜର ଦଳ ଘୋଷଣା କରିଛନ୍ତି । ଟିମ୍ ଇଣ୍ଡିଆ ମଧ୍ୟ ନିଜର ୧୫ ଜଣିଆ ଦଳ ଘୋଷଣା କରିଥିବା ବେଳେ ୪ ଜଣଙ୍କୁ ଷ୍ଟାଣ୍ଡବାଏରେ ରଖିଛି । କିନ୍ତୁ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି ଆହତ ସମସ୍ୟା । ଯାହା ଟି-୨୦ ବିଶ୍ୱକପ ପୂର୍ବରୁ ଦଳର ଚିନ୍ତାକୁ ଦ୍ୱିଗୁଣିତ କରିଛି । କିନ୍ତୁ ଏହା ଭିତରେ ବି ଟିମ୍ ଇଣ୍ଡିଆ ପାଇଁ ଏକ ଖୁସି ଖବର ମଧ୍ୟ ରହିଛି । କାରଣ ଟି-୨୦ ବିଶ୍ୱକପ ପୂର୍ବରୁ ପୁଣିଥରେ ଟିମର ସ୍କ୍ୱାର୍ଡ ବଦଳାଇବାକୁ ଭାରତ ପାଖରେ ସୁଯୋଗ ରହିଛି । ଆଉ ଯଦି ଟିମରେ ପରିବର୍ତ୍ତନ କରାଯାଏ ତେବେ କାହାକୁ ଦଳରେ ସାମିଲ କରାଯିବ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ଆଇସିସି ନିୟମ କଣ କହୁଛି ତାହା ଉପରେ ଥରେ ନଜର ପକାନ୍ତୁ ।
ଆଇସିସିର ନିୟମ ମୁତାବକ, ୯ ଅକ୍ଟୋବର ପର୍ଯ୍ୟନ୍ତ ନିଜ ସ୍କ୍ୱାର୍ଡରେ ପରିବର୍ତ୍ତନ କରିପାରିବେ ଦଳ । ତେବେ ସୁପର-୧୨ ପର୍ଯ୍ୟାୟରେ ଯେଉଁ ଟିମ ପହଞ୍ଚିଛନ୍ତି ସେହି ଦଳ ଗୁଡିକ ପାଇଁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ସମୟସୀମା ରହିଛି । ଅଥାର୍ତ ୧୫ ଅକ୍ଟୋବର ମଧ୍ୟରେ ଏହି ଟିମ ଗୁଡିକ ନିଜର ସ୍କ୍ୱାର୍ଡରେ ପରିବର୍ତ୍ତନ କରିପାରିବେ । ଆଉ ଏହି ସୁପର-୧୨ ଟିମ୍ ମଧ୍ୟରେ ଭାରତ ରହିଛି । ତେଣୁ ଟିମ୍ ଇଣ୍ଡିଆ ପାଖରେ ମଧ୍ୟ ଦଳ ପରିବର୍ତ୍ତନ ପାଇଁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ସମୟ ରହିଛି । ଏହାପରେ ଯଦି କେହି ଟିମରେ ପରିବର୍ତ୍ତନ କରିବାକୁ ଚାହିଁବେ ତେବେ ଏଥିପାଇଁ ଆଇସିସି ଠାରୁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡିବ ।
ଯେହେତୁ ଟି-୨୦ ବିଶ୍ୱକପ୍ ପାଇଁ ଆହୁରି କିଛି ଦିନ ବାକି ଅଛି ତେଣୁ ଘୋଷଣା ହୋଇଥିବା ଦଳରେ ପରିବର୍ତ୍ତନ କରିପାରେ ଟିମ୍ ଇଣ୍ଡିଆ । ପୂର୍ବରୁ ଆହତ ସମସ୍ୟା କାରଣରୁ ଦଳରୁ ବାଦ୍ ପଡିଛନ୍ତି ରବୀନ୍ଦ୍ର ଜାଡେଜା । ସେହିଭଳି ବିଶ୍ୱକପ ଦଳରେ ସାମିଲ ହୋଇଥିବା ଦୀପକ ହୁଡା ଏବେ ଆହତ ହୋଇଛନ୍ତି । ଷ୍ଟାର ବୋଲର ବୁମରାଙ୍କୁ ନେଇ ମଧ୍ୟ ଏବେ ଆଶଙ୍କା ରହିଛି । କାରଣ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ବୁମରାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇନଥିଲା । ତେଣୁ ବୁମରା ଏବେ ଆଘାତ ସମସ୍ୟାରୁ ପୂରା ମୁକୁଳିନଥିବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେଣୁ ଆଗକୁ ଯଦି ଟିମ୍ ଇଣ୍ଡିଆ ଘୋଷିତ ହୋଇଥିବା ସ୍କ୍ୱାର୍ଡରେ ପରିବର୍ତ୍ତନ କରେ ତେବେ ପ୍ରଥମେ ଷ୍ଟାଣ୍ଡବାଏରେ ଥିବା ଖେଳାଳୀଙ୍କ ମଧ୍ୟରୁ କାହାକୁ ଏଣ୍ଟ୍ରି ମିଳିପାରେ । ଘୋଷଣା ହୋଇଥିବା ଦଳରେ ମହମ୍ମଦ ସାମି, ଶ୍ରେୟସ ଆୟର, ରବି ବିଷ୍ଣୋୟୀ, ଦୀପକ ଚହର ରହିଛନ୍ତି । ଯେହେତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ପ୍ରଥମ ମ୍ୟାଚରେ ଦୀପକ ଚହର ଦମଦାର ପ୍ରଦର୍ଶନ କରିଛନ୍ତି ତେଣୁ ଟି-୨୦ ବିଶ୍ୱକପ ଦଳରେ ତାଙ୍କୁ ସୁଯୋଗ ମିଳିପାରେ । ସେହିଭଳି ସଞ୍ଜୁ ସାମସନ ଓ ଇଶାନ କିଷାନଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ତେଣୁ ଦଳରେ ପରିବର୍ତ୍ତନ କରାଗଲେ କାହାକୁ ସୁଯୋଗ ମିଳିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।