ଆଗକୁ ଆସୁଛି ପାର୍ବଣ ଋତୁ, ସାଙ୍ଗରେ ଆଣିପାରେ ତୃତୀୟ ଲହର । ରାଜ୍ୟଗୁଡିକୁ ସତର୍କ କଲା କେନ୍ଦ୍ର, ରାଜ୍ୟ ସରକାରଙ୍କ ନୂଆ ମାର୍ଗଦର୍ଶିକାକୁ ଅପେକ୍ଷା ।

1,735

କନକ ବ୍ୟୁରୋ : ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍ ଜାରି କଲେ କେନ୍ଦ୍ର ସରକାର । ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ସାଙ୍ଗରେ ତୃତୀୟ ଲହର ଆଣିବା ନେଇ ଆଶଙ୍କା ଥିବାରୁ ରାଜ୍ୟ ଗୁଡିକୁ ସତର୍କ କରାଇଛି କେନ୍ଦ୍ର । କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଚିଠି ଲେଖି ଟେଷ୍ଟିଂ, ଟ୍ରାକିଂ ଓ ଟିକାକରଣକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ଏପଟେ ରାଜ୍ୟ ସରକାର ସେପ୍ଟେମ୍ବର ମାସ ପାଇଁ କିଭଳି ମାର୍ଗଦର୍ଶିକା ଜାରି କରିବେ ଏହା ଉପରେ ରହିଛି ସମସ୍ତଙ୍କ ନଜର ।

ଆସିଲା କେନ୍ଦ୍ର ସରକାରଙ୍କ ସେପ୍ଟେମ୍ବର ଗାଇଡଲାଇନ୍ । ଆଗକୁ ଆସୁଛି ପାର୍ବଣ ଋତୁ, ସାଙ୍ଗରେ ଆଣିପାରେ ତୃତୀୟ ଲହର ! ତୃତୀୟ ଲହର ଆଶଙ୍କା ଭିତରେ ସେପ୍ଟେମ୍ବର ମାସର କରୋନା ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କୁ ଚିଠି ଲେଖି ସତର୍କ କରାଇଛି କେନ୍ଦ୍ର । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଭିଡ଼ ବଢିବା ଆଶଙ୍କା ଥିବାରୁ ଗହଳି ସ୍ଥାନରେ କଟକଣା କଡାକଡି କରିବାକୁ ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା । ଟେଷ୍ଟିଂ, ଟ୍ରାକିଂ ଓ ଟିକାକରଣକୁ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ ରହିଛି ।

ଆସନ୍ତା ୩୧ରେ ଅଗଷ୍ଟ ଗାଇଡଲାଇନ ଶେଷ ହେଉଥିବାରୁ ପାର୍ବଣ ପାଇଁ ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର କି ଗାଇଡଲାଇନ ଆଣୁଛନ୍ତି, ତା ଉପରେ ରହିଛି ସମସ୍ତଙ୍କ ନଜର ।

ନାଇଟ କର୍ଫ୍ୟୁ ହଟାଇବେ କି ରାଜ୍ୟ ସରକାର? କଟକ, ଭୁବନେଶ୍ୱର ଓ ପୁରୀ ସହରରୁ ହଟିବ କି ସପ୍ତାହନ୍ତ ସଟଡାଉନ୍? ଏପଟେ କେରଳରେ ସଂକ୍ରମଣ ବଢ଼ି ଚାଲିଥିବାରୁ ଏଥିପ୍ରତି ସରକାର ସତର୍କ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଯଦିଓ ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ନିୟନ୍ତ୍ରଣରେ ଅଛି, ହେଲେ ଆଗକୁ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଋତୁ ପାଇଁ ନୂଆ ଗାଇଡଲାଇନ ଆଣିବେ ବୋଲି ସେ ସୂଚନା ଦେଇଛନ୍ତି ।

ଏପଟେ ତୃତୀୟ ଲହରରେ ଛୋଟ ପିଲାଙ୍କ ପାଇଁ ବିଶେଷ ଘାତକ ସାବ୍ୟସ୍ତ ହେବା ଆଶଙ୍କା ଥିବାରୁ ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କେହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏପଟେ ପୁଣି ଜିଲ୍ଲାପାଳଙ୍କୁ ଦିଆଯାଇଛି ଟିକା ଟାର୍ଗେଟ୍ । ଦୈନିକ ସାଢେ ତିନି ଲକ୍ଷ ଟିକାକରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଦ୍ୱିତୀୟ ଡୋଜକୁ ପ୍ରାଥମିକତା ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି ।