କନକ ବ୍ୟୁରୋ: ସଂଧ୍ୟା ହେଲେ କମ୍ପୁଛି ବେଳାଭୂମୀ ମହୋତ୍ସବ । ବେଳଭୂମୀରେ ଜମୁଛି ଦର୍ଶକଙ୍କ ଭିଡ । ବଲିଓଡ, ଓଲିଉଡ ଜଗତର କଣ୍ଠଶିଳ୍ପୀଙ୍କ ସଂଗୀତ ଓ ନୃତ୍ୟଶିଳ୍ପୀଙ୍କ ନୃତ୍ୟରେ ଝୁମୁଛନ୍ତି ଦର୍ଶକ । ହେଲେ ଏହି ମହୋତ୍ସବ ଦେଖିବା ପାଇଁ କିଏ ସଡକ ପଥରେ ତ କିଏ ଜଳପଥରେ ଆସୁଛନ୍ତି । ରାସ୍ତା ଦେଇ ଗାଡିରେ ଲୋକେ ଆସୁଥିବା ବେଳେ ଅତି ବିପଦ ସଂକୁଳ ଭାବେ ଡଙ୍ଗାରେ ପାଣି ପାରି ହେଉଛନ୍ତି ଲୋକେ ।

Advertisment

publive-image

ଗୋଟିଏ ପଟେ ବେଳଭୂମୀରେ ଜମୁଛି ମହୋତ୍ସବ । ଅନ୍ୟପଟେ ମହୋତ୍ସବ ଦେଖିବା ପାଇଁ ଅନ୍ଧାର ରାତିରେ ଲୋକଙ୍କ ବିପଦପୂର୍ଣ୍ଣ ନୌକା ଯାତ୍ରା । ଗୋପାଳପୁର ବେଳାଭୂମୀ ମହୋତ୍ସବରେ ସାମିଲ ହୋଇ ସାଂସ୍କୃତିକ କାଯ୍ୟକ୍ରମର ମଜା ଉଠାଇବା ପାଇଁ ପାଣି ପାରି ହେଉଛନ୍ତି ଲୋକେ । ଗୋଟିଏ ଡଙ୍ଗାରେ ଏକାଥରେ ୪୦ରୁ ଅଧିକ ଲୋକ ବସି ବେଳାଭୂମୀ ମହୋତ୍ସବ ଦେଖିବା ପାଇଁ ପାଣି ପାରିହେଉଥିବାର ଚିତ୍ର ସାମ୍ନାକୁ ଆସିଛି । ପ୍୍ରଥମେ ତ ଅନ୍ଧାର ରାତିରେ ନୌକା ଯାତ୍ରା । ପୁଣି ଡଙ୍ଗାରେ କ୍ଷମତା ଠାରୁ ଅଧିକ ଲୋକ ସବାର । ହେଲେ କାହା ପାଖରେ ଲାଇଫ ଜ୍ୟାକେଟ୍ ନାହିଁ । କେବଳ ଗୋଟିଏ ଦଉଡି ଭରସାରେ ଦିନକୁ ପ୍ରାୟ ଶହେ ଥର ପାଣି ପାରି ହେଉଛି ଏହି ଡଙ୍ଗା ।

publive-image

ତେବେ ଡଙ୍ଗା ବୁଡି ଜୀବନ ଯିବା ଘଟଣା ଅନେକ ସମୟରେ ସାମ୍ନାକୁ ଆସିଛି । ଆଉ ଏବେ ଗୋପାଳପୁର ମହୋତ୍ସବ ଦେଖିବା ପାଇଁ କ୍ଷମତା ଠାରୁ ଅଧିକ ଯାତ୍ରୀଙ୍କ ନୌକା ଯାତ୍ରା ପ୍ରଶାସନକୁ ଚିନ୍ତା କରିବା ପାଇଁ ବାଧ୍ୟ କରିଛି । ଗୁରୁବାର ଥିଲା ଗୋପାଳପୁର ବେଳଭୂମୀ ମହୋତ୍ସବର ତୃତୀୟ ସଂଧ୍ୟା । ଏହି ସଂଧ୍ୟାରେ ପରିବେଷଣ ହୋଇଥିବା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ବେଳଭୂମୀରେ ପ୍ରବଳ ଜନସମାଗମ ହୋଇଥିଲା । ହେଲେ ଏହାରି ଭିତରେ ସାମ୍ନାକୁ ଆସିଥିବା ବିପଦପୂର୍ଣ୍ଣ ନୌକା ଯାତ୍ରା ଦିଗରେ ପ୍ରଶାସନ ନଜର ଦେବା ଜରୁରୀ ।