କୃଷି ଯନ୍ତ୍ରାଂଶ କିଣାରେ ବ୍ୟାପକ ଦୁର୍ନୀତି । ଆତ୍ମା ଯୋଜନାରେ ପାଣିପମ୍ପ, ମିନି ରାଇସ ମିଲ ଯୋଗାଇ ଦେବାକୁ କହି ସବସିଡ୍ ଟଙ୍କା ହଡପ ଅଭିଯୋଗ । 

66

କନକ ବ୍ୟୁରୋ: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ କୃଷି ସବସିଡି ନାଁରେ ଚାଷୀଙ୍କୁ ଠକେଇ। କୃଷି ଓ କୃଷକର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଉନ୍ନତ ମାନର କୃଷି ଯନ୍ତ୍ରପାତି କିଣିବାକୁ ଆତ୍ମା ଯୋଜନା ମାଧ୍ୟମରେ ସବସିଡ୍ ମଧ୍ୟ ଯୋଗାଇଥାନ୍ତି । ହେଲେ କୃଷି ବିଭାଗର କିଛି ଅସାଧୁ କର୍ମଚାରୀ କୃଷି ଉପକରଣ ଯୋଗସିବା ନାଁରେ ଗରିବ ଆଦିବାସୀ ଚାଷୀଙ୍କୁ ଚଞ୍ଚକତା କରି କରି ଠକିବା ସାଙ୍ଗକୁ ସବସିଡ୍ ହାତେଇ ନେଇ ସରକାରଙ୍କୁ ଚୂନ ଲଗାଇ ଚାଲିଛନ୍ତି । 

ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଡାଙ୍ଗସୋରଡା ପଂଚାୟତରୁ ଆସିଛି ଏଭଳି ଅଭିଯୋଗ । ଆତ୍ମା ଯୋଜନାରେ ପାଣିପମ୍ପ, ମିନି ରାଇସ ମିଲ ଯୋଗାଇ ଦେବା ନାଁରେ ଚାଷୀଙ୍କ ପ୍ରଲୋଭନ ଦେଖାଇ କୃଷି ବିଭାଗର କର୍ମଚାରୀ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି । ମିନି ହଲର ଯୋଗାଇ ଦେବାକୁ କହି ଚାଷୀଙ୍କ ବ୍ୟାଙ୍କ ଆକାଉଂଟଟକୁ ଆସୁଥିବା ସବସିଡ୍ ଟଙ୍କାକୁ ବି ହଡପ କରିନେଇଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଚାଷୀଙ୍କ ବ୍ୟାଙ୍କ ଚେକ୍ ଆଗୁଆ ଦସ୍ତଖତ ନିଅନ୍ତି ବିଭାଗୀୟ ଅଧିକାରୀ ! ଫର୍ମପୂରଣ ବେଳେ ଚାଷୀଙ୍କ ବଦଳରେ ନିଜ ମୋବାଇଲ ନମ୍ବର ଦେଇ ଠକି ନିଅନ୍ତି ସବସିଡ ଟଙ୍କା! ଡାଙ୍ଗସୋରଡାରେ ଆତ୍ମାର ଆସିଷ୍ଟାଂଟ ଟେକନିକାଲ ମ୍ୟାମେନଜର  ଭାବେ କାମ କରୁଥିବା ପ୍ରଭାତ କୁମାର ସାହୁ, ବ୍ୟାଙ୍କ କାଗଜ ପତ୍ର ଓ ଚେକବୁକରେ ଚାଷୀଙ୍କ ଠାରୁ ଆଗକୁ ହସ୍ତଖତ ନେଇ ଫର୍ମ ପୂରଣ କରନ୍ତି । ଏବଂ ଫର୍ମ ପୂରଣ ବେଳେ ନିଜ ନମ୍ବର ଦେଇ ଚଂଚକତା କରି ଏନଇଏଫଟି ଜରିଆରେ ନିଜ ଆକାଉଂଟକୁ ସବସିଡ୍ ଟଙ୍କା ଟ୍ରାନ୍ସଫର କରିଥିବା ଅଭିଯୋଗ ହୋଇଛି । ଏହି ସଂପର୍କରେ ପ୍ରତିକ୍ରିୟା ରଖି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ଅଭିଯୋଗର ତଦନ୍ତ କରାଯାଇ ଦୃଷି କାର୍ଯ୍ୟାନୁଷ୍ଠାନ ନିଆଯିବ ।

ତେବେ ବ୍ଲକ କୃଷି କର୍ମଚାରୀଙ୍କ ଦ୍ୱାରା ଚାଷୀଙ୍କୁ ବାରମ୍ବାର ଠକେଇ କରାଯାଉଛି । ଚାଷୀଙ୍କ ନାଁରେ କିଣା ଯାଉଥିବା ବିଭିନ୍ନ କୃଷି ଯନ୍ତ୍ରାଂଶର ସବସିଡ ଟଙ୍କାକୁ ବିଭାଗୀୟ ଅଧିକାରୀ ଠକି ନେଉଥିବା ବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି ହୋଇଛି ।