କୁଚିଣ୍ଡା ଉପଖଣ୍ଡରେ ସାର କେଳେଙ୍କାରୀ : ଏକ ଏକରରୁ କମ ଥିବା ଚାଷୀଙ୍କ ନାଁରେ ଉଠାଯାଇଛି ୫୦ ବସ୍ତାରୁ ଅଧିକ ସାର, କୃଷକଙ୍କ ପାଖରେ ନାହିଁ ଖବର; କୃଷି ବିଭାଗର ତଦନ୍ତ

62

କନକ ବ୍ୟୁରୋ : ପ୍ରତିବର୍ଷ ଚାଷ ସମୟରେ କୁଚିଣ୍ଡା ଉପଖଣ୍ଡରେ ସାରର ଘୋର ଅଭାବ ଦେଖାଦିଏ । ଆଉ ଅନେକ ଯାଗାରେ କଳାବଜାରୀ ସହିତ ୨ରୁ ୩ ଗୁଣା ଦେଇ ଚାଷୀ ସାର କିଣିଥାଆନ୍ତି । ସେ ଯାହା ହେଉ ଆବଶ୍ୟକ ଅନୁଯାୟୀ ସାର ନମିଳିଲେ ଚାଷୀ ଆନ୍ଦୋଳନ କରିବା ସହ କୃଷି କାର୍ଯାଳୟ ଘେରିଥାଆନ୍ତି । ହେଲେ ଏବେ ସାରକୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟ ସରକାରଙ୍କ ତରଫରୁ ଏକ ଚିଠି ସମ୍ବଲପୁର ଜିଲ୍ଲାପାଳଙ୍କୁ ଦିଆଯାଇଛି ଏବଂ ସେଥିରେ ପ୍ରତି ଲ୍ୟାମ୍ପସରୁ ୟୁରିଆ ସାର ନେଇଥିବା ପ୍ରଥମ ୨୦ ଜଣଙ୍କ ରିପୋର୍ଟ ଦେବା ପାଇଁ କୁହାଯାଇଛି ।

ଆଉ ସେହି ଚିଠି ଆସିବା ପରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ପରୁଆଭାଡି ଲ୍ୟାମ୍ପସ ଅଧିନ ପ୍ରଥମ ୨୦ ଜଣଙ୍କ ତାଲିକା କରାଯାଇ ତଦନ୍ତ କରାଯାଇଛି । ଆଉ ସେଥିରୁ ଯେଉଁ ତଥ୍ୟ ଆସିଛି ସେଥିରେ ଏକ ବଡ ଧରଣର ଘୋଟାଲାର ସୁରାକ ମିଳିଛି । ଯେଉଁମାନଙ୍କର ଅଧ ଏକର ବା ଏକ ଏକର ଜମି ଅଛି ବା ମୁଳରୁ ଚାଷ କରିନାହାଁନ୍ତି ସେମାନଙ୍କ ନାଁରେ ୫୦ ରୁ ଅଧିକ ବସ୍ତା ସାର ଉଠାଯାଇଛି । ହେଲେ ସେମାନେ ଜାଣିନଥିବା କହିଥିବା ବେଳେ କୁଚିଣ୍ଡା କୃଷି ବିଭାଗର ତଦନ୍ତ ବେଳେ ଏହା ଜଣାପଡିଛି ।

ତେବେ କୁଚିଣ୍ଡା ଅଂଚଳରେ ଯେତେ ଚାଷ ଜମି ଅଛି ତାର ତିନି ଗୁଣା ୟୁରିଆ ସାର ଦିଆଯାଇଥିବା ସରକାରୀ ରିପୋର୍ଟରେ ଲେଖା ହୋଇଛି । ପ୍ରକୃତ ଚାଷୀ ଏତେ ପରିମାଣର ସାର ପାଇ ନଥିବା ବେଳେ ସାର ସବୁ କଳାବଜାରରେ ବିକ୍ରି କରାଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି । ତେବେ ଏହାର ତଦନ୍ତ ପରେ ଅନ୍ୟ ଲ୍ୟାମ୍ପସର ତଥ୍ୟ ସାମ୍ନାକୁ ଆସିବ ବୋଲି ଅତିରିକ୍ତ କୃଷିଅଧିକାରୀ କହୁଥବା ବେଳେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି ।