ଚାଷୀ ଉପରେ ମହଙ୍ଗା ମାଡ଼ : ରୁଷ-ୟୁକ୍ରେନ ଯୁଦ୍ଧ ସାଙ୍ଗକୁ ଅନ୍ୟାନ୍ୟ କାରଣରୁ ଅନ୍ତର୍ଜାତୀୟ ବଜାରରେ ବଢ଼ୁଛି ସାର ଦର

Advertisment
ଚାଷୀ ଉପରେ ମହଙ୍ଗା ମାଡ଼ : ରୁଷ-ୟୁକ୍ରେନ ଯୁଦ୍ଧ ସାଙ୍ଗକୁ ଅନ୍ୟାନ୍ୟ କାରଣରୁ ଅନ୍ତର୍ଜାତୀୟ ବଜାରରେ ବଢ଼ୁଛି ସାର ଦର

କନକ ବ୍ୟୁରୋ : ମହଙ୍ଗା ମାଡ଼ରେ ଚାଷୀ ଘାଇଲା । ବର୍ତ୍ତମାନ ରସାୟନିକ ସାରର ଦର ବୃଦ୍ଧି ଚାଷୀ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଏଣେ ଏପ୍ରିଲ୍‌ ୧ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହେବାକୁ ଥିବା ସାର ସବ୍‌ସିଡି ବିଳମ୍ବିତ ହେଉଥିବାରୁ, ଆଗାମୀ ଦିନରେ ସାର ଦର ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରିଛି ରାଜ୍ୟ କୃଷି ବିଭାଗ । ରାଜ୍ୟର ୧୭ଟି ଜିଲ୍ଲାରେ ରବି ଧାନ ଫସଲ ଅମଳ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି ।

ବାକି ଜିଲ୍ଲାରେ ଖରିଫ୍‌ ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଭଳି ସ୍ଥିତିରେ ରୁଆ ବେଳେ ବ୍ୟବହୃତ ହେଉଥିବା ୫୦ କେଜିର ଡିଏପି ୧୨୦୦ରୁ ୧୩୫୦ ଟଙ୍କା, ଗ୍ରୋମୋର ୧୩୭୦ରୁ ୧୯୦୦ ଟଙ୍କା, ପଟାସ ୧୦୦୦ ରୁ ୧୭୦୦ ଟଙ୍କା, ଏନ୍‌ପିକେ ୧୧୫୦ ରୁ ୧୨୯୦ ଟଙ୍କାକୁ ବୃଦ୍ଧି ପାଇଛି । ଚାଷୀ ନେତା ଅଶୋକ ପ୍ରଧାନଙ୍କ କହିବା ଅନୁସାରେ, ସାଧାରଣତଃ ଚାଷୀ କରଜରେ ସାର କ୍ରୟ କରୁଥିବାରୁ ଏହି ଦର ଠାରୁ ଆହୁରି ୨୦୦ରୁ ୩୦୦ ଟଙ୍କା ଅଧିକ ଦେବାକୁ ପଡ଼ିବ ।

ତେଣୁ ସାରର ଏତେ ଦର ବୃଦ୍ଧି ଚାଷୀକୁ ତଳିତଳାନ୍ତ କରିଦେବ। ବର୍ତ୍ତମାନ ମାଟିର ସ୍ଥିତି ଏଭଳି ହୋଇଛି ଯେ ସାର ବ୍ୟବହାରର ମାତ୍ରା ମଧ୍ୟ ବୃଦ୍ଧି ପାଉଛି । ଜଳସେଚିତ ଅଞ୍ଚଳରେ ପୂର୍ବରୁ ଯେଉଁଠି ୨ ଥର ସାର ସିଞ୍ଚନ କରିବାକୁ ପଡ଼ୁଥିଲା, ବର୍ତ୍ତମାନ ୫ ଥର ସିଞ୍ଚନ କରିବାକୁ ପଡ଼ୁଛି । ନଚେତ ଉତ୍ପାଦନ ବଢୁନାହିଁ । ସେଥିରେ ପୁଣି ସାର ବ୍ୟବହାର ବଢ଼ିବା ସହିତ କୀଟନାଶକ ବ୍ୟବହାର ବଢ଼ିବ। ଫଳରେ ଖର୍ଚ୍ଚ ବଢ଼ିବ । କିନ୍ତୁ ଏମ୍‌ଏସ୍‌ପି ସେଭଳି ମିଳିବ ନାହିଁ। ମଣ୍ଡି ଯାଇପାରୁନଥିବା କ୍ଷୁଦ୍ର ଚାଷୀଙ୍କ ଅବସ୍ଥା ଆହୁରି ଖରାପ ହେବ ।

ରାଜ୍ୟ କୃଷି ବିଭାଗ ଅନୁସାରେ, ରୁଷିଆ-ୟୁକ୍ରେନ ଯୁଦ୍ଧ ସହିତ ବିଭିନ୍ନ କାରଣରୁ ଅନ୍ତର୍ଜାତୀୟ ବଜାରରେ ରାସାୟନିକ ସାର ଦର ୩ରୁ୪ ଗୁଣ ବୃଦ୍ଧି ପାଇଛି । ଭାରତ ନିଜ ଆବଶ୍ୟକତା ଅନୁସାରେ କିଛି ସାର ନିଜେ ଉତ୍ପାଦନ କରିଥାଏ ଏବଂ ଆଉ କିଛି ବାହାରୁ ଆମଦାନି କରିଥାଏ । ନିଜ ଉତ୍ପାଦିତ ସାର ପାଇଁ ଫସ୍‌ଫରିକ ଏସିଡ୍‌, ଡିଏପି, ପଟାସିକ୍‌ ରକ୍‌ ସମେତ ଅନ୍ୟ କଞ୍ଚାମାଲ ରୁଷ, ୟୁକ୍ରେନ, କାନାଡ଼ା, ଜୋଡାନ, ଇଜିପ୍ଟ, ଓ ବେଲାରୁଷରୁ ଆମଦାନି କରିଥାଏ । ଯୁଦ୍ଧ ଯୋଗୁଁ ଏସବୁର ଦର ବୃଦ୍ଧି ପାଇଛି। ପୁଣି ମିଳୁନାହିଁ ମଧ୍ୟ ।

ସେଥିରେ ପୁଣି ପ୍ରତିବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖରିଫ ସାର ସବ୍‌ସିଡି ଏପ୍ରିଲ ୧ରେ ଘୋଷଣା କରାଯାଏ । ଚଳିତ ବର୍ଷ କେବେ କରାଯିବ, ତାକୁ ନେଇ ଅନିଶ୍ଚିତତା ରହିଛି । ତେଣୁ ସାର ଦର ଆହୁରି ବଢ଼ିବା ଭଳି ସ୍ଥିତି ଉପୁଜିଛି । ଏହା ହେଲେ ଅବସ୍ଥା ଅସମ୍ଭାଳ ହୋଇଯିବ। ଏଥିଯୋଗୁଁ ଡିଲରମାନେ ମଧ୍ୟ କେଉଁ ଦରରେ ସାର ବିକ୍ରି କରିବେ, ସାର ଦର ଏତେ ବୃଦ୍ଧି ପାଇଥିବାରୁ ପ୍ରକୃତ କେତେ ଚାହିଦା ରହିବ, ସେଥି ସମ୍ପର୍କରେ ମଧ୍ୟ ଆକଳନ କରିପାରୁନାହାନ୍ତି। ଚାଷୀଙ୍କ କହିବା କଥା ସାର ପରିବହନ ବେଳେ ହୁକ ବ୍ୟବହାର ଯୋଗୁଁ ବାଟରେ କିଛି ସାର ନଷ୍ଟ ହୋଇଯାଏ । ତେଣୁ ସମ୍ପୂର୍ଣ୍ଣ ୫୦ କେଜି ସାର ଚାଷୀଙ୍କୁ ମିଳିପାରେନାହିଁ । ଏହା ବି ଚାଷୀଙ୍କୁ କ୍ଷତି ପହଞ୍ଚାଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe