ଧାନ ଚାଷ ସମୟରେ ମିଳୁନି ସାର । ଅଭାବ ଯୋଗୁ ଚଢ଼ା ଦାମରେ ବିକ୍ରି ହେଉଥିବା ଅଭିଯୋଗ । 

108

କନକ ବ୍ୟୁରୋ: ଚାଷୀମାନେ ଯେମିତି ସୁବିଧାରେ ସାର ପାଇବେ ସେଥିପାଇଁ ସୁଲଭ ମୂଲ୍ୟରେ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ହେଲେ, ସାରର ଚାହିଦାକୁ ଦେଖି ଦଲାଲ ମାନେ ସକ୍ରିୟ ହେବା ସହ ଚଢ଼ା ଦାମରେ ବିକ୍ରି କରୁଥିବା ଅଭିଯୋଗ ଆଣି ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଏପରିକି ବଲାଙ୍ଗୀରରେ ସାରରେ ମାଟି ମିଶାଯାଇ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।

ଜମିରେ ପାଣି ହେବା ପରେ ଧାନ ଚାଷ ଜୋରସୋରରେ ଆଗେଇ ଚାଲିଛି । ହେଲେ, ଭଳ ଅମଳ ପାଇଁ ସାର ଅଭାବ, ଚାଷୀକୁ ଚିନ୍ତାରେ ପକାଇଛି । ସରକାର ସୁଲଭ ମୂଲ୍ୟରେ ସାର ଯୋଗାଇ ଦେଉଥିଲେ, ବି ସାର ନମିଳିବାରୁ ବଢ଼ୁଛି ଅସନ୍ତୋଷ । ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛନ୍ତି ନବରଙ୍ଗପୁର ଉମରକୋଟର ଚାଷୀ । ରାସ୍ତା ଅବରୋଧ କରିବା ସହ ବିରାଟ ଶୋଭାଯାତ୍ରା କରିଛନ୍ତି । ଏବଂ ଚାଷୀଙ୍କୁ ଠିକ୍ ମୂଲ୍ୟରେ ସାର ଯୋଗାଇ ଦେବାକୁ ଦାବି କରି ସ୍ଥାନୀୟ ତହସିଲଦାରକୁ ଦାବି ପତ୍ର ଦେଇଛନ୍ତି ।

ପୋଲସରାରେ ମଧ୍ୟ ସାର ଅଭାବର ଚିତ୍ର ସାମନାକୁ ଆସିଛି । ସାର କିଣିବାକୁ ସେବା ସମବାୟ ସମିତି ଆଗରେ ଲାଗିଥିବା ଏହି ଭିଡ ହିଁ ବୟାନ କରୁଛି ସାର ପାଇଁ କେତେ ଆତୁର ଅଛନ୍ତି ଚାଷୀ । ବର୍ଷା ହେଉଥିଲେ ବି ସାର ନେବାକୁ ଧାଡି ବାନ୍ଧି ଅପେକ୍ଷା କରିଛନ୍ତି । କିନ୍ତୁ ଆବଶ୍ୟକ ଥିବା ସାର ମିଳୁନଥିବା ଓ ଧାର୍ଯ୍ୟ ମୂଲ୍ୟଠାରୁ ଚଢ଼ା ଦାମରେ ସାର ବିକ୍ରି ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବଲାଙ୍ଗୀରରୁ ଆସିଥିବା ଏହି ଖବର ଆହୁରି ସାଂଘାତିକ । ସାର ବସ୍ତା ଭିତରେ ମାଟି ମିଶାଯାଇଥିବା ଦେଖିବାକୁ ମିଳିଛି । ସାର ଅଭାବର ସୁଯୋଗ ନେଇ ଲାଭଖୋର ବ୍ୟବସାୟୀ ଅଧିକ ମୁନାଫା କମାଇବା ପାଇଁ ଏଭଳି କରିଥିବା ଅଭିଯୋଗ କରିଛନ୍ତି ଚାଷୀ ।

ତେବେ ପ୍ରଶ୍ନ ଉଠୁଛି, ପ୍ରକୃତରେ ସାରର ଅଭାବ ରହିଛି ନା ଜାଣିଶୁଣି କୁତ୍ରିମ ଅଭାବ ସୃଷ୍ଟି କରାଯାଉଛି? ଅଭାବ ସୃଷ୍ଟି କରି ମାଲାମାଲା ହେଉଛନ୍ତିି କି ମୁନାଫାଖୋର ବ୍ୟବସାୟୀ ଓ ଅସାଧୁ କର୍ମଚାରୀ? ଚାଷୀଙ୍କ ଅଭିଯୋଗ ସତ ହୋଇଥିଲେ ସାଂଘାତିକ ।