କନକ ବ୍ୟୁରୋ : ଚାଷ ଆରମ୍ଭରୁ ଡ଼ିଏପି ସାରର ଅଭାବ ନବରଙ୍ଗପୁର ଜିଲ୍ଲାର ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। ନବରଙ୍ଗପୁର ଜିଲ୍ଲାରେ ଲ୍ୟାମ୍ପରେ ମିଳୁନି ସାର। ବଜାରରୁ ଚଢ଼ା ଦରରେ ସାର ବିକ୍ରି କରୁଛନ୍ତି ବ୍ୟବସାୟୀ। ଗୋଟିଏ ପଟେ ଡିଏପି ସାର ଅଭାବ ଓ ଅନ୍ୟପଟେ ବଜାରରେ ଡିଏପି ସାରର ଚଢା ଦର ଚାଷୀଙ୍କୁ ହତାଶ କରିଦେଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍କକ, ଉମରକୋଟ, ରାଇଘର, ଡାବୁଗାଁ ଅଂଚଳରେ ମକା ଓ ଧାନ ଚାଷ ବହୁଳ ମାତ୍ରାରେ କରନ୍ତି ଚାଷୀ। ଚାଷ ଆରମ୍ଭରୁ ଡିଏପି ସାର ଦରକାର ହୋଇଥାଏ। କିନ୍ତୁ ଚଳିତ ବର୍ଷ ଲ୍ୟାମ୍ପରେ ଡିଏପି ସାର ନମିଳିବା ଚାଷୀଙ୍କୁ ହତାଶ କରିଛି। ସଠିକ ସମୟରେ ସାର ମିଳୁନଥିବାରୁ ଚାଷ କାମ ମଧ୍ୟ ଆଗେଇ ପାରୁନାହିଁ। ତେଣୁ ବାଧ୍ୟ ହୋଇ ଚାଷୀ ସ୍ବୀକୃତିପ୍ରାପ୍ତ ବେସରକାରୀ ସାର ଦୋକାନରୁ ଚଢା ଦରରେ କିଣି କ୍ଷତି ସହୁଛନ୍ତି। ଡିଏପି ସାରର ମୂଲ୍ୟ ଲ୍ୟାମ୍ପରେ ୧୩୫୦ ଟଙ୍କା ରହିଥିବା ବେଳେ ବଜାରରୁ ତାକୁ ୧୮୦୦ ଟଙ୍କାରେ ଚାଷୀ କିଣୁଛନ୍ତି। ଦିନକୁ ଦିନ ସାରର କଳାବଜାରୀ ବଢୁଥିଲେ ମଧ୍ୟ ଏହାକୁ ରୋକିବାକୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଡିଏପି ସାରର ଯୋଗାଣରେ ବିଫଳତାକୁ ନେଇ ଡବଲ ଇଞ୍ଜିନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ତୁରନ୍ତ ଚାଷୀଙ୍କ ଡିଏପି ସାର ଯୋଗାଇ ନଦେଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।