ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଢିଲା, ନିଲମ୍ବିତ ହେଲେ ଫିରୋଜପୁର ଏସଏସପି ହରମନ ହଂସ

202

କନକ ବ୍ୟୁରୋ : ପଞ୍ଜାବରେ ସୁରକ୍ଷା ଢିଲା ହୋଇଥିବା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଫିରୋଜପୁର ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି । ସେ ଫିରୋଜପୁର ଠାରୁ ୩୦ କିଲୋମିଟର ଦୂରରୁ ନିଜର କାର୍ଯ୍ୟକ୍ରମ ବାତିଲ କରି ଫେରିଆସିଛନ୍ତି । ଏନେଇ ସୁରକ୍ଷା ଦାୟିତ୍ୱରେ ଥିବା ଏସଏସପି ହରମନ ହଂସଙ୍କ କାର୍ଯ୍ୟରେ ଅବହେଳା ଦର୍ଶାଇ ତାଙ୍କୁ ନିଲମ୍ବିତ କରାଯାଇଛି ।

କହିରଖୁ କି, ଆଜି ପଞ୍ଜାବରେ ମଝି ରାସ୍ତାରେ ଅଟକିଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ କାରକେଡ । ଫ୍ଲାଏଓଭର ଉପରେ ପ୍ରାୟ ୧୫ରୁ ୨୦ ମିନିଟ୍ ପ୍ରଧାନମନ୍ତ୍ରୀଙ୍କ କାରକେଡ ଫଶି ରହିଥିଲା । ଆଉ ଏହିଠାରୁ ସଭାସ୍ଥଳକୁ ଯିବା ପରିବର୍ତ୍ତେ ପୁଣିଥରେ ବିମାନବନ୍ଦର ଅଭିମୁଖେ ବାହାରିଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ । ଆଉ ଶେଷ ମୁହୂର୍ତ୍ତରେ ବାତିଲ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ସଭା । ପ୍ରଥମେ ବର୍ଷା କାରଣରୁ ମୋଦୀଙ୍କ ସଭା ବାତିଲ ହୋଇଥିବା କୁହାଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୁରକ୍ଷା ସମ୍ବନ୍ଧୀୟ କାରଣରୁ ସଭା ବାତିଲ ହୋଇଥିବା କୁହାଯାଉଛି । ଏପରିକି ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ପଞ୍ଜାବ ସରକାରଙ୍କୁ ଜବାବ ମଗାଯାଇଛି ।

ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଆଜି ସକାଳୁ ପ୍ରଧାନମନ୍ତ୍ରୀ ମୋଦୀ ଭଟିଣ୍ଡାରେ ପହଞ୍ଚିଥିଲେ । ମେଘୁଆ ପାଗ ଯୋଗୁ ପ୍ରାୟ ୨୦ ମିନିଟ୍ ଅଟକିବା ପରେ ସଡକପଥରେ ରାଷ୍ଟ୍ରୀୟ ସହିଦ ସ୍ମାରକ ଯାଇଥାନ୍ତେ । ଯେଉଁଥିରେ ପ୍ରାୟ ୨ ଘଣ୍ଟା ସମୟ ଲାଗିଥାନ୍ତି । ଆଉ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ସଙ୍ଗେ ସଙ୍ଗେ ପଞ୍ଜାବ ପୋଲିସ ଡିଜିଙ୍କୁ ଜଣାଇବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ କୁହାଯାଇଥିଲା ।

 ତେବେ ରାଷ୍ଟ୍ରୀୟ ସହିଦ ସ୍ମାରକ ଠାରୁ ୩୦ କିଲୋମିଟର ଦୂରରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଥିବା ବେଳେ ଏକ ଫ୍ଲାଏଓଭରରେ ଅଟକିବାକୁ ପଡିଲା । କାରଣ ଆଗକୁ ପ୍ରତିବାଦ କରୁଥିଲେ ପ୍ରଦର୍ଶନକାରୀ । ଆଉ ଉକ୍ତ ଫ୍ଲାଏଓଭର ଉପରେ ୧୫ରୁ ୨୦ ମିନିଟ୍ ଫଶି ରହିବା ପରେ ବିମାନବନ୍ଦର ଅଭିମୁଖେ ମୋଦୀଙ୍କ କାରକେଡ ବାହାରିଥିଲା । ଆଉ ଏହାକୁ ଗୃହ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ବୋଲି ଦର୍ଶାଇଛି । କାରଣ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ପୂର୍ବରୁ ପଞ୍ଜାବ ସରକାରଙ୍କୁ କୁହାଯାଇଥିଲା । ଯାହାକୁ ଧ୍ୟାନରେ ରଖି ସମସ୍ତ ପ୍ରକାର ପ୍ରସ୍ତୁତି, ବ୍ୟବସ୍ଥା କରିବା କଥା । ଏପରିକି ଜରୁରୀକାଳୀନ ସ୍ଥିତି ପାଇଁ ମଧ୍ୟ ପ୍ରସ୍ତୁତି ରହିବାର ଆବଶ୍ୟକ ଥିଲା । ଯେହେତୁ ପ୍ରଧାନମନ୍ତ୍ରୀ ସଡକ ମାର୍ଗରେ ଯାଉଥିଲେ ତେଣୁ ଅତିରିକ୍ତ ପୋଲିସ ନିୟୋଜିତ କରିବା କଥା । ଯାହା କରାଯାଇନଥିଲା । ଯେଉଁଥିପାଇଁ ପଞ୍ଜାବ ସରକାରଙ୍କୁ ଏ ସମ୍ବନ୍ଧରେ ବିସ୍ତୃତ ରିପୋର୍ଟ ଦେବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।