କନକ ବ୍ୟୁରୋ: ସାରା ଦେଶରେ ଏବେ ଚନ୍ଦ୍ରଯାନ-୩କୁ ନେଇ ଖୁସିର ମାହୋଲ ଲାଗି ରହିଛି । ଆଉ ଏହାରି ଭିତରେ ମିଶନ୍ ଗଗନୟାନକୁ ନେଇ ବଡ ବୟାନ ଦେଇଛନ୍ତି ଜଣେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରୀୟ ବିଜ୍ଞାନ ଏବଂ ପ୍ରାଦ୍ୟୋଗିକ ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଭାରତର ମିଶନ ଗଗନୟାନରେ ଜଣେ ମହିଳା ରୋବୋଟକୁ ମହାକାଶକୁ ପଠାଯିବ । ଯାହାର ପ୍ରଥମ ପରୀକ୍ଷଣ ଅକ୍ଟୋବର ମାସର ପ୍ରଥମ ସପ୍ତାହ କିମ୍ବା ଦ୍ୱିତୀୟ ସପ୍ତାହରେ ହେଇପାରେ ।

Advertisment

ଏକ ନିର୍ଦ୍ଧିଷ୍ଟ ଜାତୀୟ ଗଣମାଧ୍ୟମକୁ ଇଣ୍ଟରଭ୍ୟୁ ଦେଇ ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ମହାମାରୀ କାରଣରୁ ଗଗନୟାନ ପରିଯୋଜନାରେ ଡେରି ହେଲା । ଏବେ ଅକ୍ଟୋବର ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଏହି ମିଶନର ପ୍ରଥମ ପରୀକ୍ଷଣ ପାଇଁ ଯୋଜନା ଚାଲିଛି । ତେବେ ଦ୍ୱିତୀୟ ମିଶନରେ ଜଣେ ମହିଳା ରୋବୋଟକୁ ମହାକାଶକୁ ପଠାଯିବ ବୋଲି ସେ କହିଛନ୍ତି । ଯିଏକି ମହାକାଶରେ ମାନବୀୟ ଗତିବିଧିର ନକଲ କରିବ । ଯଦି ସବୁକିଛି ଠିକ୍ ରୁହେ, ତେବେ ଆମେ ନିଶ୍ଚୟ ଆଗକୁ ବଢିବା ବୋଲି ସେ ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁର ନିକଟରେ ପହଞ୍ଚିଲା ସେତେବେଳେ ସେ ଆଶ୍ୱସ୍ତି ଅନୁଭବ କରିଥିଲେ । ଯେଉଁ ଲୋକମାନେ ଇସ୍ରୋ ଟିମ ସହିତ ଜଡିତ ଥିଲେ, ସେମାନେ ପ୍ରଥମେ ଚିନ୍ତିତ ମଧ୍ୟ ଥିଲେ । ତେବେ ଚନ୍ଦ୍ର ପୃଷ୍ଠରେ ଇସ୍ରୋ ଏବଂ ଭାରତର ଏ ଯାତ୍ରା ନିଶ୍ଚୟ ଏକ ଲମ୍ବା କୁଦ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ପ୍ରଂଶସା କରିଛନ୍ତି ।