ଦାଦାବଟି ପାଇଁ ଖଣି ବ୍ୟବସାୟୀଙ୍କୁ ଅପରହଣ କରି ନେଲେ ୱେବ ପୋର୍ଟାଲର ସାମ୍ବାଦିକ : ୨ଦିନ ନିସ୍ତୁକ ପିଟିବା ପରେ ମାଗିଲେ ୧୦ ଲକ୍ଷ

ମହିଳା ସାମ୍ବାଦିକଙ୍କ ସମେତ ୪ ଅଭିଯୁକ୍ତ ଅଟକ

297

କନକ ବ୍ୟୁରୋ : ଦାଦାବଟି ପାଇଁ ୱେବ ପୋର୍ଟାଲ ସାମ୍ବାଦିକଙ୍କ ଥାର୍ଡ ଡିଗ୍ରୀର ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଆଗଧାଡିର ସାମ୍ବାଦିକ ବୋଲି ପରିଚୟ ଦେଇ ଖଣି ଦୁର୍ନୀତିରେ ଫସାଇ ଦେବାକୁ କହିବା ସହ ୨ଜଣ ଖଣି ବ୍ୟବସାୟୀଙ୍କୁ ଅପହରଣ କରିନେଇଥିଲେ । ଗୋଟିଏ ଘରେ ୨ ଦିନ ବନ୍ଦୀ ରଖିବା ପରେ ବ୍ୟବସାୟୀଙ୍କୁ ନିସ୍ତୁକ ପିଟିଥିଲେ । ପରେ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିଥିଲେ ଏହି ସାମ୍ବାଦିକ । ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ ପରେ ପୁରା କଥା ପଦାକୁ ଆସିଛି ।

ପୋଲିସ ଘଟଣାର ତଦନ୍ତ କରି ଜଣେ ମହିଳା ସାମ୍ବାଦିକଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି । କନ୍ଦ୍ରୋପଡା ଅଂଚଳର ପୂର୍ଣ୍ଣଚନ୍ଦ୍ର ସାହୁ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ସେ କୋଲକାତାର ଜଣେ ବ୍ୟବସାୟୀଙ୍କ ସହ ମିଶି କେନ୍ଦୁଝରର ଖଣି ଅଂଚଳରୁ ଖଣିଜ ପଦାର୍ଥ ପରିବହନ କରୁଥିଲେ । ଯୋଡା- ବଡବିଲରୁ ସେମାନଙ୍କ ଟ୍ରକ ପାରାଦୀପ ବନ୍ଦର ଓ ଅନନ୍ୟା ସ୍ଥାନକୁ ମାଲ ପରିବହନ କରିଥାଏ । ଦୁଇ ସପ୍ତାହ ତଳେ ୱେବ ପୋର୍ଟାଲ ସାମ୍ବାଦିକ ତାଙ୍କୁ ଫୋନ କରି ଷ୍ଟିଙ୍ଗ ଅପରେସନରେ ତାଙ୍କ ଦୁର୍ନୀତି ଧରା ପଡିଥିବା କହି ବ୍ଲାକମେଲ କରିଥିବା ଅଭିଯୋଗ ହୋଇଛି ।

ପୋଲିସ ଏହି ଘଟଣାରେ ଲାଇଭ କଳିଙ୍ଗ ୱେବ ପୋର୍ଟାଲର ସାମ୍ବାଦିକା ପ୍ରିୟମ୍ବଦା ନାୟକଙ୍କୁ ଅଟକ ରଖିଛି । ସେହିପରି ମହିଳା ସିକ୍ୟୁରିଟି ଗାର୍ଡଙ୍କ ସହ ଅନ୍ୟ ୨ କର୍ମଚାରୀଙ୍କୁ ଅଟକ ରଖିଛି । ତେବେ ଘଟଣାର ମାଷ୍ଟର ମାଇଣ୍ଡ ୱେବ ପୋର୍ଟାଲର ସିଇଓ ରାଜ ନାମକ ଯୁବକ ଫେରାର ହୋଇଯାଇଛି ।