କରୋନାରେ କବଳିତ ଥିଲେ ବାପାମାଆ, ବର୍ତ୍ତି ଯାଇଥିଲା କୁନିଛୁଆ । ୬ ମାସର ଛୁଆର କିଏ ନେବ ଯତ୍ନ ? ମନାକରିଦେଲେ ସମ୍ପର୍କୀୟ, ପାଖକୁ ଆସିଲେନି ପରିଜନ । କଅଁଳା ପିଲାର ସେବା ପାଇଁ ଧାଇଁଆସିଲେ, କୋଳେଇ ନେଇ ମମତା ଦେଲେ ଲେଡି କନଷ୍ଟେବଲ ରାକ୍ଷୀ…

270

କନକ ବ୍ୟୁରୋ : ମହାମାରୀ ସହ ଲଢେଇ ଭିତରେ, ଜଣେ ମା’ଙ୍କ ପାଇଁ ଏହାଠୁ ବଡ ଉପହାର କଣ ହୋଇପାରେ, ଯେତେବେଳେ ଏକୁଟିଆ ହୋଇପଡିଥିବା ତାଙ୍କର ୬ ମାସର କୁନି ଛୁଆଟିକୁ ମମତାର ଏକ ପଣତକାନି ତଳେ ଆଶ୍ରା ମିଳିଯାଏ । ଆମେ ସେମିତି ଏକ ଛୋଟ ଛୁଆର କଥା କହୁଛୁ, ଯାହାର ବାପା ମା ଦୁଇଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ଛୁଆଟିର କରୋନା ରିପୋର୍ଟ କିନ୍ତୁ ନେଗେଟିଭ୍ ଆସିଛି । ଆଉ ଏମିତି ସମୟରେ ବାପା ମା ଚିନ୍ତାରେ ପଡିଯାଇଥିଲେ ଯେ, କୁନି ଛୁଆଟିକୁ କଉଠି ରଖିବେ । କିଏ ତାକୁ ଖାଇବାକୁ ଦବ ଆଉ ଦେଖାରେଖା କରିବ ।

କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଥିବାରୁ କେହି ସମ୍ପର୍କୀୟ ମଧ୍ୟ ପାଖକୁ ଆସିବାକୁ ମନା କରିଦେଲେ । ଏପରିକି ଛୁଆଟିକୁ ପାଖରେ ରଖିବାକୁ ବି କେହି ରାଜି ହେଲେନାହିଁ । କଣ କରିବେ, ଛୁଆଟିର ଯତ୍ନ କେମିତି ନେବେ, ଚିନ୍ତାରେ ପଡିଯାଇଥିଲେ ବାପା ମା’ । ଆଉ ଏତିକି ବେଳେ ମାନବିକତାର ମହାଦେବୀ ସାଜି ଆଗକୁ ଆସିଥିଲେ ଜଣେ ମହିଳା କନଷ୍ଟେବଳ ।

ମାନବିକତା ଦେଖାଇଲେ ମହିଳା କନଷ୍ଟେବଳ । କୁନି ଛୁଆକୁ ଦେଲେ ମାର ସ୍ନେହ । ଛୁଆଟିର ବାପା ଦିଲ୍ଲୀର ଆକାଶବାଣୀରେ ଚାକିରି କରନ୍ତି । ଛୁଆଟିର ଯତ୍ନ କେମିତି ନେବେ କିଛି ଉପାୟ ନପାଇ ଶେଷରେ ଦିଲ୍ଲୀ ପୋଲିସକୁ ସାହାଯ୍ୟ ମାଗିଥିଲେ । ଆଉ ଏ ବିଷୟରେ ଜାଣିବା ପରେ ଶାହଦରା ଜିଲ୍ଲାରେ ନିୟୋଜିତ ଥିବା ମହିଳା ହେଡ୍ କନଷ୍ଟେବଳ ରାକ୍ଷୀ ଛୁଆଟିର ବାପା ମା’ଙ୍କୁ ଯୋଗାଯୋଗ କରିଥିଲେ । ଏବଂ ବାପା ମା’ଙ୍କ ଅନୁମତି ପରେ ନିଜ ପଣତକାନି ତଳେ ଛୁଆଟିକୁ ଆଶ୍ରା ଦେଇଛନ୍ତି ଏହି ମହିଳା କନଷ୍ଟେବଳ । ମା ପରି ଛୁଆଟିର ସବୁ ଯତ୍ନ ନେଉଛନ୍ତି ରାକ୍ଷୀ । ଆଉ ଖାକି ବର୍ଦ୍ଦି ତଳେ ଲୁଚି ରହିଥିବା ମମତାକୁ ସମସ୍ତେ ସଲାମ୍ କରୁଛନ୍ତି ।