କନକ ବ୍ୟୁରୋ: ବିଲରେ କାମ କରୁଥିବା, ଗାଁରେ ମୁଲ ଲାଗୁଥିବା ଯୁବକଙ୍କୁ ଦେଖିଲେ ହୁଏତ କେହି କହିବେ ନାହିଁ ଯେ, ଇଏ ଜଣେ ଡାକ୍ତରୀ ଛାତ୍ର । କାରଣ, ଡାକ୍ତର କିମ୍ବା ଡାକ୍ତରୀ ଛାତ୍ରଙ୍କୁ ନେଇ ସାଧାରଣରେ ଯେଉଁ ଧାରଣା ରହିଛି, ସେଇ ଧାରଣା ସହ ଏହି ଚିତ୍ର ମେଳଖାଉନାହିଁ । ଗରିବ ଘରର ପୁଅଟିଏ ପରିଶ୍ରମ କରି ଯେତେବେଳେ ଶିଖରକୁ ଚଢ଼ିବାକୁ ଉଦ୍ୟମ କରେ, ବୋଧେ ପରୀକ୍ଷାର ଏମିତି ଗୋଟିଏ ଗୋଟିଏ ସୋପାନ ଦେଇ ତାକୁ ଆଗକୁ ବଢ଼ିବାକୁ ହୁଏ । ଏହି ଯୁବକ ହେଉଛନ୍ତି, ଇଫୁ ମଲ୍ଲିକ । ଘର କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ବାଗ୍ରାମିଲା ଗାଁରେ । ଇଫୁ ବର୍ତମାନ କୋରାପୁଟ, ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ଏମବିବିଏସ୍ ପ୍ରଥମବର୍ଷରେ ପଢ଼ୁଛନ୍ତି । ହେଲେ ଡାକ୍ତରୀ ପଢ଼ିବା ପାଇଁ ଅର୍ଥର ଆବଶ୍ୟକତା ଥିବାରୁ ଗାଁରେ ମୂଲ ଲାଗୁଛନ୍ତି ଇଫୁ ।

Advertisment

ଖଡ଼଼ି ଛୁଇଁବାଠୁ ମାଟ୍ରିକ୍ ଯାଏଁ ସ୍ଥାନୀୟ ସ୍କୁଲରେ ପାଠ ପଢ଼ିଥିଲେ ଇଫୁ । ଇଫୁ ଭଲ ପଢ଼ୁଥିବା ଦେଖି, ଜଣେ ସମାଜସେବୀ ତାଙ୍କୁ ଭୁବନେଶ୍ୱର ନେଇ ଆସିଥିଲେ । ଭୁବନେଶ୍ୱରରେ ଯୁକ୍ତଦୁଇ ବିଜ୍ଞାନରେ ପାଠପଢ଼ିବାର ସୁଯୋଗ ପାଇଥିଲେ । ଏମିତି କି ମେଡ଼ିକାଲ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ କୋରାପୁଟ ମେଡ଼ିକାଲ କଲେଜରେ ନାଁ ଲେଖାଇଥିଲେ ।

ସଂଘର୍ଷରୁ ସଫଳତା ଆଡକୁ ବଢୁଥିବା ଏହି ମେଧାବୀ ଛାତ୍ରଙ୍କ ପାଖକୁ ଏବେ ପହଂଚିଛି ସହାୟତା । ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ପ୍ରଶାସନ ଓ ସରକାର, ଇଫୁ ପାଖରେ ପହଞ୍ଚିବା ସହ ତାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି । ଏମିତି କି ଏସସିଏସଟି ବିଭାଗ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ଇଫୁଙ୍କ ଭଳି କୌଣସି ପ୍ରତିଭାବାନ ପିଲାଙ୍କ ପାଖରେ ସହଯୋଗର ହାତ ପହଞ୍ଚିବା ପାଇଁ ଗଣମାଧ୍ୟମର ଖବର ପ୍ରସାରଣକୁ ଅପେକ୍ଷା କରାନଯାଉ, ନହେଲେ କେତେ ପ୍ରତିଭାବାନ ଯୁବକ ବଣରେ ଫୁଟି ବଣରେ ମଉଳି ଯିବେ ।