ପୁଣି ଫେରିଲା ଅନୁଭବ-ବର୍ଷା ବିବାଦ : ଅଭିନେତ୍ରୀ ବର୍ଷାଙ୍କୁ ନେଇ ପୁରୀଘାଟ ଥାନାର ଦ୍ୱାରସ୍ଥ ହେଲେ ଅନୁଭବଙ୍କ ମା’, ସେପଟେ ବର୍ଷା ପାଲଟା ଅଭିଯୋଗ, ଘରୁ ବାହାର କରିବାକୁ ଯୋଜନା

5,541

କନକ ବ୍ୟୁରୋ : ଅନୁଭବ ଓ ବର୍ଷାକୁ ନେଇ ବିବାଦ ଥମି ନଥିବାବେଳେ ଏବେ ଏକ ନୂଆ ବିବାଦ ସାମ୍ନାକୁ ଆସିଛି । ବର୍ଷାଙ୍କୁ ନେଇ ଥାନାକୁ ଯାଇଛନ୍ତି ଅଭିନେତା ଅନୁଭବ ମହାନ୍ତିଙ୍କ ମା’ ମଧୁସ୍ମିତା ମହାନ୍ତି । ଆଉ ଏହା ଉପରେ ପାଲଟା ଅଭିଯୋଗ ଆଣିଛନ୍ତି ବର୍ଷା ପ୍ରିୟଦର୍ଶନୀ । ଅନୁଭବଙ୍କ ମା କରିଥିବା ପୁଲିସ ନିକକଟରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁରୁଣା ଘରର ମରାମତି ଆବଶ୍ୟକ । ଏଥିପାଇଁ ୧୦ ଦିନ ଲାଗି ବାପଘରକୁ ଯିବାକୁ ବର୍ଷାଙ୍କୁ କୁହାଗଲେ ବି ସେ ଯାଉନଥିବା ଅଭିଯୋଗରେ ଦର୍ଶାଇଛନ୍ତି ମଧୁସ୍ମିତା । କଟକର ପୁରୀଘାଟ ଥାନାରେ କରିଥିବା ଅଭିଯୋଗରେ ଅନୁଭବଙ୍କ ମା ଦର୍ଶାଇଛନ୍ତି ଯେ, କଟକ ଚୌଧୁରୀ ବଜାର ନନ୍ଦିସାହିରେ ସେ ରହୁଥିବା ଘର ୬୦ ବର୍ଷ ତଳର ।

କିଛିଦିନ ତଳେ ପାଇଖାନା ଟାଙ୍କିରେ ସମସ୍ୟା ଦେଖାଦେବାରୁ ଏହାର ମରାମତି ପାଇଁ ସେ ଯୋଗାଯୋଗ କରିଥିଲେ । ମିସ୍ତ୍ରୀ ମରାମତି ୧୦ ଦିନ ଲାଗିବ ବୋଲି କହିଥିଲେ । ତେଣୁ ଏହି ୧୦ ଦିନ ଲାଗି ଘର ଛାଡି ବକ୍ସିବଜାର ସ୍ଥିତ ତାଙ୍କ ବାପଘରକୁ ଯିବାକୁ ବାହୂ ବର୍ଷାଙ୍କୁ ସେ ଅନୁରୋଧ କରିଥିଲେ । କିନ୍ତୁ କୌଣସି କାରଣ ନ ଦର୍ଶାଇ ବର୍ଷା ଘର ଛାଡୁନଥିବା ଅନୁଭବଙ୍କ ମା ଅଭିଯୋଗ କରିଛନ୍ତି । ଏହାଦ୍ୱାରା ସେ , ତାଙ୍କ ସ୍ୱାମୀ ଓ ଘରର ଅନ୍ୟ ସଦସ୍ୟ ସମସ୍ୟା ଭୋଗୁଛନ୍ତି । ତେଣୁ ଥାନା କର୍ତୃପକ୍ଷ ଘରକୁ ଆସି ସମସ୍ତ ତଥ୍ୟ ଦେଖି ପଦକ୍ଷେପ ନେବାକୁ ଅନୁଭବଙ୍କ ମା ଅନୁରୋଧ କରିଛନ୍ତି । ଯାହାଦ୍ୱାରା କାମକୁ ସହଜରେ ସଂପୂର୍ଣ୍ଣ କରାଯାଇପାରିବ ।

ଅନୁଭବଙ୍କ ମାଙ୍କ ଏହି ଅଭିଯୋଗ ପରେ ବର୍ଷା ବି ପାଲଟା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ମରାମତି ବାହାନାରେ ଘରୁ ବାହାରିବାକୁ ଯୋଜନାବଦ୍ଧ ଚକ୍ରାନ୍ତ କରିବାକୁ ଉଦ୍ୟମ କରାଯାଉଛି । ଶାଶୁଘର ଛଡା ଅନ୍ୟ କେଉଁଠି ରହିବା ସୁବିଧା ନାହିଁ ଏଭଳି ସ୍ଥିତିରେ ସୁରକ୍ଷା ଉପରେ ନଜର ଦେଉ ପୁଲିସ ।