ଶୁଣିଲାନି ପ୍ରଶାସନ ! ୨ କିଲୋମିଟର ନାଳ ଖୋଳି ଗାଁରୁ ବର୍ଷା ଜଳ ନିଷ୍କାସନ କଲେ ଗ୍ରାମବାସୀ ।

457

କନକ ବ୍ୟୁରୋ : ଗ୍ରାମବାସୀଙ୍କ ଅକ୍ଳାନ୍ତ ପରିଶ୍ରମ ବଳରେ ଜଳବନ୍ଦୀରୁ ମୁକ୍ତ ହେଲେ ବାଲେଶ୍ୱର ଭୋଗରାଇ ବ୍ଲକ ଉଦୟପୁର ଗାଁର ବାସିିନ୍ଦା । ଲଘୁଚାପ ଜନିତ ବର୍ଷା ଗାଁକୁ ଜଳବନ୍ଦୀ କରିଥିବା ବେଳେ ୨କିଲୋମିଟର ନାଳ ଖୋଳି ବର୍ଷା ଜଳ ନିଷ୍କାସନ କରିଛନ୍ତି ଗାଁ ଲୋକେ । ଅସ୍ଥାୟୀ ଭାବେ ଏହି ନାଳ ଖୋଳା ଯାଇଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରାଯାଇଛି ।

ବହି ଯାଉଥିବା ପାଣି ଧାର ପଛରେ ରହିଛି ବହୁ ପରିଶ୍ରମ । ପାଣିରେ ସ୍ରୋତ ଯେତିକି କ୍ଷୀପ୍ର ଗ୍ରାମବାସୀଙ୍କ ପରିଶ୍ରମ ବୋଧ ହୁଏ ତାଠୁ ଢେର ଅଧିକ । ଲଘୁଚାପ ଜନିତ ଲଗାଣ ବର୍ଷା ଗାଁକୁ ଜଳବନ୍ଦୀ କରିଥିବା ବେଳେ ୨ କିଲୋମିଟର ନାଳ ଖୋଳି ଗାଁରୁ ଜଳ ନିଷ୍କାସନ କଲେ ଗ୍ରାମବାସୀ ।

ପ୍ରଶାସନ କଲାନି ଗ୍ରାମବାସୀ କଲେ । ନାଳ ଖୋଳିଲେ ପାଣି ନିଷ୍କାସନ କଲେ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସୀମାନ୍ତ ବର୍ତି ଗାଁ ଉଦୟପୁର । ଏହି ଗାଁକୁ ଓଡିଶା ମାନଚିତ୍ରରୁ ଛଡାଇ ନେବା ପାଇଁ ବାରମ୍ବାର ଉଦ୍ୟମ କରିଛି ପଶ୍ଚିମବଙ୍ଗ । କିନ୍ତୁ ଗ୍ରାମବାସୀଙ୍କ ଓଡିଆ ପ୍ରେମ ଆଗରେ ନିରାସ ହୋଇଛି । ସେଇ ଉଦୟପୁର ଗାଁ ଆଜି ଜଳବନ୍ଦୀ ।

ପ୍ରତିବର୍ଷ ବର୍ଷା ଦିନେ ଗାଁରେ ପାଣି ଜମି ରହୁଥିବାରୁ ନିଷ୍କାସନ ପାଇଁ ପ୍ରଶାସନ ଓ ନେତା ମନ୍ତ୍ରୀଙ୍କୁ ବାରମ୍ବାର ଗୁହାରି କରିଛନ୍ତି ଗ୍ରାମବାସୀ । ହେଲେ କେହି ଶୁଣିଲେନି । ତେଣୁ ଜଳବନ୍ଦୀ ଜୀବନରୁ ମୁକ୍ତି ପାଇଁ ଅଂଟା ଭିଡିଲେ ଗ୍ରାମବାସୀ । ଏକାଠି ହୋଇ କୋଦାଳରେ ୨ କିଲୋମିଟର ଏକ ନାଳ ଖୋଳି ଗାଁରୁ ଜଳ ନିଷ୍କାସନ କରିଛନ୍ତି ଗ୍ରାମବାସୀ । ଅସ୍ଥାୟୀ ଭାବେ ଏକ ନାଳ ଖୋଳି ଗ୍ରାମବାସୀ ସିନା ଗାଁରୁ ବର୍ଷା ଜଳକୁ ନିଷ୍କାସନ କରି ଦେଇଛନ୍ତି । ହେଲେ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ।