ବେଆଇନ୍ ନିର୍ମାଣ ନେଇ ସରକାରଙ୍କ ବଡ଼ ନିଷ୍ପତି: ଆଉ କୋହଳ ହେବନି ‘ସର୍ବକ୍ଷମା’ ସମୟସୀମା । ଫେବ୍ରୁଆରି ୫ ପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।

1,212

କନକ ବ୍ୟୁରୋ: ସହରାଞ୍ଚଳରେ ବେଆଇନ୍ ନିର୍ମାଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି । ଆଉ କୋହଳ ହେବନି ସର୍ବକ୍ଷମା ସମୟସୀମା । ଫେବ୍ରୁଆରି ୫ ତାରିଖ ପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ବୋଲି ରୋଗଠୋକ୍ କହିଛନ୍ତି ରାଜ୍ୟ ସରକାର । ଯଦି ସହରାଞ୍ଚଳରେ ବେଆଇନ୍ ନିର୍ମାଣ କରିଥିବେ ତାହାହେଲେ ମିଳିବନି ସର୍ବକ୍ଷମା ସୁବିଧା । ପୂର୍ବରୁ ଫେବ୍ରୁଆରି ୫ ଯାଏଁ ସରକାର ଏକ୍ଷେତ୍ରରେ ଡେଡଲାଇନ୍ ଦେଇଥିଲେ । ଏପରିକି ଯେଉଁମାନେ ବେଆଇନ୍ ଭାବେ ନିର୍ମାଣ କରିଥିବା ଉଚ୍ଚ ଅଟ୍ଟାଳିକା ବା ପ୍ଲଟ୍ ଧାରୀ ସର୍ବକ୍ଷମାରେ ଆବେଦନ କରିନଥିବେ ତାଙ୍କ କ୍ଷେତ୍ରରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଗତବର୍ଷ ଜୁନ୍ ୧୯ ତାରିଖରେ ସର୍ବକ୍ଷମାର ଆବେଦନର ଅବଧି ୬ମାସ ବଢ଼ାଇଥିଲେ ରାଜ୍ୟ ସରକାର । ବେଆଇନ ନିର୍ମାଣକୁ ଆଇନ ସମ୍ମତ କରିବା ପ୍ରକ୍ରିୟା ‘ସର୍ବକ୍ଷମା’ ଆବେଦନର ଅବଧି ବଢ଼ାଇଥିଲେ । ଗତ ୨୦୧୮ ଜୁନ ୨୦ରେ ନଗର ଉନ୍ନୟନ ବିଭାଗ ସର୍ବକ୍ଷମା ଯୋଜନା ଆରମ୍ଭ କରିଥିଲା । ହେଲେ ଏହାରି ମଧ୍ୟରେ ସର୍ବକ୍ଷମା ଯୋଜନା କୋହଳ ନହୋଇଥିବାରୁ ଏଥିରେ ଆଶାତୀତ ହିତାଧିକାରୀ ଆବେଦନ କରିନଥିବା ସୂଚନା ମିଳିଛି ।

ଏପରିକି ଯୋଜନାରେ ହିତାଧିକାରୀଙ୍କୁ ବିଭିନ୍ନ ବିଭାଗ ବଣ୍ଟାଯାଇଥିଲା । ମହାନଗର ନିଗମ, ମ୍ୟୁନିସିପାଲିଟି, ଏନଏସି ଓ ଗ୍ରାମାଞ୍ଚଳ ଭଳି ୪ଟି ଭାଗରେ ବିଭକ୍ତ କରାଯାଇଥିଲା । କମ୍ପାଉଣ୍ଡିଂ ଫି, ଏଫଏଆର ମୁଲ୍ୟ(ବେଞ୍ଚମାର୍କ ମୁଲ୍ୟ) ଏବଂ ପାର୍କିଂ ଫି ହିସାବ କରି ଜରିମାନା ଧାର୍ଯ୍ୟ କରାଯାଇଥିଲା । ବିଭିନ୍ନ କର୍ତ୍ତୃପକ୍ଷଙ୍କ ପାଇଁ ଭିନ୍ନ ନିୟମ ଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା । ଏହାକୁ ନେଇ ରାଜ୍ୟ ସରକାର ଫେବ୍ରୁଆରି ୫ ତାରିଖ ପର୍ଯ୍ୟନ୍ତ ଡେଡ୍ ଲାଇନ୍ ଦେଇଥିଲେ । ଏହାପରଠୁ ଯେଉଁମାନେ ସର୍ବକ୍ଷମାରେ ଆବେଦନ ନକରି ବେଆଇନ୍ ନିର୍ମାଣ କରିଥିବେ ସେମାନଙ୍କ ବିରୋଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି ।

ସର୍ବକ୍ଷମା ଯୋଜନା କ’ଣ?

ବିଭିନ୍ନ କାରଣରୁ ସରକାରୀ ଅନୁମୋଦନ ନେଇ ନଥିବା ଅଥବା ଅନୁମୋଦିତ ନକ୍ସାରେ ବ୍ୟତିକ୍ରମ କରି ଗୃହ ନିର୍ମାଣ କରିଥିବା ବ୍ୟକ୍ତିବିଶେଷଙ୍କ ଲାଗି ରାଜ୍ୟ ସରକାର ଏକ ଯୋଜନା ଆଣିଥିଲେ। ଏହି ଯୋଜନାର ନାଁ ଥିଲା ‘ସର୍ବକ୍ଷମା’।

ଏହି ଯୋଜନା ଅନୁସାରେ ହିତାଧିକାରୀ ଜରିମାନା ଦେଇ ଅନିୟମିତତାକୁ ନିୟମିତ କରିପାରିବେ। ରାଜ୍ୟର ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷ ଓ ଆଞ୍ଚଳିକ ବିକାଶ ପରିଷଦ ଏବଂ ପୌର ସଂସ୍ଥା ଅଧିନରେ ଥିବା ନିର୍ମାଣ ଲାଗି ଏହା ଉଦ୍ଦିଷ୍ଟ।
କେଉଁ ଅଂଚଳ ପାଇଁ କେତେ ଜରିମାନା କରିଥିଲେ ସରକାର?

• ମହାନଗର ନିଗମ ଅଂଚଳ ବାସଗୃହ ପାଇଁ ବର୍ଗମିଟର ପିଛା ୧୦,୦୦୦ ଟଙ୍କା ଓ ବ୍ୟବସାୟିକ କୋଠା ପାଇଁ ୧୭,୫୦୦ ଟଙ୍କା ।
• ପୌରାଂଚଳରେ ବାସଗୃହ ପାଇଁ ବର୍ଗମିଟର ପିଛା ୮,୦୦୦ ଟଙ୍କା ଓ ବ୍ୟବସାୟିକ କୋଠା ପାଇଁ ୧୫,୦୦୦ ଟଙ୍କା ।
• ଏନଏସିରେ ବାସଗୃହ ପାଇଁ ବର୍ଗମିଟର ପିଛା ୬,୦୦୦ ଟଙ୍କା ଓ ବ୍ୟବସାୟିକ କୋଠା ପାଇଁ ୧୩,୦୦୦ ଟଙ୍କା ।
• ଉନ୍ନୟନ କର୍ତ୍ତୃପକ୍ଷ ଅନ୍ତର୍ଗତ ଗ୍ରାମାଂଚଳରେ ବାସଗୃହ ପାଇଁ ବର୍ଗମିଟର ପିଛା ୫,୦୦୦ ଟଙ୍କା ଓ ବ୍ୟବସାୟିକ କୋଠା ପାଇଁ ୧୦,୦୦୦ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି ।
• ସେହିପରି ଆଗ, ପଛ, ଦୁଇ ପାଶ୍ୱର୍ ନଛାଡି ପ୍ଲାନ ନିୟମ ଉଲଘଂନ କରି ବେଆଇନ ନିର୍ମାଣ ହୋଇଥିଲେ କମ୍ପାଉଣ୍ଡ ଫି ଆଦାୟ କରାଯିବା ବ୍ୟବସ୍ଥା ରହିଛି ।

ତେବେ ସରକାରୀ ଜମି ଜବରଦଖଲ, ସର୍ବସାଧାରଣ ରାସ୍ତା, ପ୍ରାକୃତିକ ଡ୍ରେନର ଜବରଦଖଲ ହୋଇଥିଲେ ତାହା ସର୍ବକ୍ଷମା ଯୋଜନାରେ ସାମିଲ ହୋଇପାରିବ ନାହିଁ । ଏହି ଯୋଜନା ଅନ୍ତର୍ଭୁକ୍ତ ହେବା ପାଇଁ ଗୃହନିର୍ମାଣ ପ୍ଲାନର ୪ କିତା ନକଲ, ଏନଓସି, ଫାୟାର ସେଫ୍ଟି ସାର୍ଟିଫିକେଟ୍ ସହ ଧାର୍ଯ୍ୟ ଦେୟ ପୈଠ କରି ସଂପୃକ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିପାରିବେ ବୋଲି ପୂର୍ବରୁ ସର୍ବକ୍ଷମାରେ ଉଲ୍ଲେଖ ରହିଛି ।