କରୋନା ସଂକ୍ରମଣ ଭୟ : ଜୀବନ ଓ ଜୀବିକା ଭିତରେ ଆରମ୍ଭ ହୋଇଗଲା ଯୁଦ୍ଧ; କାମଧନ୍ଧା ହରାଇବା ଆଶଙ୍କାରେ ମହାରାଷ୍ଟ୍ର ଛାଡିଲେ ଶହଶହ ଶ୍ରମିକ

148

କନକ ବ୍ୟୁରୋ : ଗତବର୍ଷ ଠିକ୍ ଏହି ସମୟରେ ସାରା ଦେଶରେ ଲାଗୁ ହୋଇଥିଲା ଲକଡାଉନ । ଲୋକେ ଘର ଭିତରେ ବନ୍ଦ ହୋଇ ରହିଲେ, କଳକାରଖାନା ସବୁ ଠପ୍ ହୋଇଗଲା । କରୋନାର ସଂକ୍ରମଣ ଭୟ ଭିତରେ ଜୀବନ ଓ ଜୀବିକା ଭିତରେ ଆରମ୍ଭ ହୋଇଗଲା ଯୁଦ୍ଧ । ସରକାରଙ୍କ ପାଇଁ ଜୀବନ ବଂଚାଇବା ଜରୁରୀ ଥିଲା ହେଲେ ଜୀବିକା ହରାଇ ଲୋକେ ଜୀବନ ଜିଇଁବାକୁ ସଂଘର୍ଷ କରୁଥିଲେ ।

ଏତିକି ବେଳେ କାମଧନ୍ଧା ହରାଇ, ଖାଇବାକୁ ପିଇବାକୁ ନପାଇ ମାଇଲ ମାଇଲ ବାଟ ଚାଲି ଚାଲି ଅତିକ୍ରମ କଲେ ଲକ୍ଷ ଲକ୍ଷ ଶ୍ରମିକ । ଏଥର ଯେମିତି ସେହି ପରିସ୍ଥିତି ନଉପୁଯେ ସେଥିପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି ପ୍ରବାସୀ ଶ୍ରମିକ । ଦେଶର ସର୍ବାଧିକ କରୋନା ସଂକ୍ରମିତ ମହାରାଷ୍ଟ୍ରରେ ପ୍ରଥମ ରାଜ୍ୟ ଭାବେ ଲାଗୁ ହୋଇଛି ଜନତା କର୍ଫ୍ୟୁ । ଏଥିସହ କଳକାରଖାନା ବନ୍ଦ ହୋଇଯିବା ଆଶଙ୍କାରେ ମହାରାଷ୍ଟ୍ର ଛାଡୁଛନ୍ତି ଶହଶହ ଶ୍ରମିକ । ଟ୍ରେନ, ବସ୍ ସବୁ ବନ୍ଦ ହୋଇଯିବା ଆଗରୁ ନିଜ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି ଏମାନେ । ନହେଲେ ଗତବର୍ଷ ଭଳି ଘରକୁ ଫେରିବାର ବାଟ ନପାଇ ଅନେକ ହଇରାଣ ହରକତ ହେବାକୁ ପଡିବ ।

ଶହଶହ ମାଇଲ ପିଲାଛୁଆଙ୍କୁ ଧରି ପାଦରେ ଚାଲି ଚାଲି ଫେରିବାକୁ ହେବ । ମହାରାଷ୍ଟ୍ରରେ ଆଜି ରାତି ୮ଟାରୁ ରାଜ୍ୟବ୍ୟାପୀ ୧୪୪ ଧାରା ଜାରି ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ବୁଧବାର ରାତି ୮ଟାରୁ ଏପ୍ରିଲ ୩୦ ତାରିଖ ଯାଏଁ ସାରା ରାଜ୍ୟରେ ଲକଡାଉନ ଭଳି କଟକଣା ଜାରି ହେବ । ୧୪୪ ଧାରା ଜାରି ହେଲେ ସକାଳ ୭ରୁ ରାତି ୮ଟା ଯାଏଁ ଜରୁରୀକାଳିନ ସେବା ଛଡା ସବୁ କିଛି ବନ୍ଦ ରହିବ । ଟ୍ରେନ ଓ ବସର ବ୍ୟବହାର ଜରୁରୀକାଳୀନ ପରିସ୍ଥିତି ପାଇଁ କେବଳ କରାଯିବ ବୋଲି କହିଛନ୍ତି ଉଦ୍ଧବ ।