କନକ ବ୍ୟୁରୋ: ଲୋକଙ୍କୁ ଘାରିଛି ଅଜଣା ରୋଗର ଭୟ । ଘରେ ଘରେ ଶୋଇଛନ୍ତି ରୋଗୀ । ରାୟଗଡ଼ା ସଦର ବ୍ଲକ ବିଲେଷୁ ଗାଁରୁ ଆସିଛି ଏଭଳି ଖବର । ରୋଗର କାରଣ ଜଣାପଡ଼ିନଥିବା ବେଳେ ଗାଁରେ ପହଞ୍ଚିଛନ୍ତି ଡାକ୍ତରୀ ଟିମ୍ ।
ରାୟଗଡା ସଦର ବ୍ଳକ ଗାଜିଗାଁ ପଚାଂୟତ ଅନ୍ତର୍ଗତ ବିଲେଷୁ ଗାଁରେ ଅଜଣା ରୋଗ ଆତଙ୍କ । ୪ ଦିନରେ ଗାଁର ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଜରରେ ଆକ୍ରାନ୍ତ । ଲୋକଙ୍କ କହିବା ମୁତାବକ ହଠାତ୍ ଜ୍ୱର ହେଉଛି, ଜ୍ୱର ହବା ପରେ ଝାଡା ହୋଇ ଗୋଡ ହାତ ଫୁଲି ଯାଉଛି । ଗୋଡ ହାତ ଫୁଲି ଯାଇ ଚାଲିବା ଅସମ୍ଭବ ହୋଇପଡୁଛି । ୪ ଦିନରେ ଗାଁର ଦୁଇ ଜଣଙ୍କ ମୃତ୍ୟୁ ପରେ ଆଜି ଗାଁରେ ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ ପହଂଚି ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରୁଛନ୍ତି ।
ଗାଁରେ ପାଖାପାଖି ୧୨୦ଟି ପରିବାର ରହୁଥିବା ବେଳେ ଜନସଂଖ୍ୟା ପ୍ରାୟ ୪୦୦ ହେବ । ସୂଚନା ଅନୁସାରେ ଗତ ୨୦ ଦିନ ତଳେ ସେହି ଗାଁର ହରିଶ ଚନ୍ଦ୍ର ପ୍ରଧାନ ଜ୍ୱର ଝାଡା ହୋଇ ମୃତ୍ୟୁ ବରଣ କରିଥିଲେ । ସେହିଦିନ ଠାରୁ ଗାଁରେ ଏପରି ଅବସ୍ଥା ଲାଗି ରହିଛି । ଏହି ୪ ଦିନ ତଳେ ପ୍ରଥମେ ୨୩ ବର୍ଷୀୟ ଟୁକୁନା ହଂସବଂଶଙ୍କର ମୃତ୍ୟୁ ହୋଇଥିଲା ତାର ଦୁଇଦିନ ପରେ ସେହି ଗାଁର ୪୦ ବର୍ଷୀୟ ରାମକୃଷ୍ଣ ଗୌଡଙ୍କ ଜ୍ୱର ଓ ଝାଡା ହୋଇ ମୃତ୍ୟୁ ହୋଇଛି ।
ବର୍ତ୍ତମାନ ଗାଁରେ ଘରେ ଘରେ ଜ୍ୱରରେ ଆକ୍ରାନ୍ତ ହୋଇ ରୋଗୀ ପଡି ରିହଛନ୍ତି । କିଛି ଲୋକଙ୍କୁ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ହେଲେ କାହିଁକି ଓ କେଉଁ କାରଣରୁ ଏହି ରୋଗ ବ୍ୟାପୁଛି ତାର କାରଣ ଜଣାପଡ଼ିନାହିଁ ।