ଦକ୍ଷିଣକୁ ନିଭାର ଭୟ : ଘଂଟାକୁ ୧୧ କିଲୋମିଟର ବେଗରେ ପଶ୍ଚିମ ମୁହାଁ ‘ନିଭାର’

ତାମିଲନାଡୁ-ପୁଡୁଚେରୀ ଉପକୂଳରେ ମଧ୍ୟରାତ୍ରୀରେ ଛୁଇଁବ ସ୍ଥଳଭାଗ ; ଆନ୍ଧ୍ର , କର୍ଣ୍ଣାଟକ ଓ ରାୟଲସୀମାରେ ପଡିବ ପ୍ରଭାବ  

2,969

କନକ ବ୍ୟୁରୋ : ଦକ୍ଷିଣକୁ ନିଭାର ଭୟ । ଭୀଷଣ ବାତ୍ୟାର ରୂପ ନେଉଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ନିଭାର । ଏହା ଘଂଟାକୁ ପ୍ରାୟ ୧୧ କିଲୋମିଟର ବେଗରେ ପଶ୍ଚିମ ଦିଗରେ ଗତି କରୁଛି । ଆଜି ମଧ୍ୟରାତ୍ରିରେ ଏହା ତାମିଲନାଡୁ ଏବଂ ପୁଡୁଚେରୀ ନିକଟରେ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଓଡିଶାରେ କୋହଲା ପାଗ ଜାରି ରହିଛି । ଯାହା ଫଳରେ ହାଲକା ପବନ ବହିବା ସହିତ ଥଣ୍ଡା ଅନୁଭୁତ ହେଉଛି । ବାତ୍ୟା ପ୍ରଭାବରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।

‘ନିଭାର’ ପ୍ରଭାବରେ ତାମିଲନାଡୁ, ପୁଡୁଚେରି, କରାଇକେଲ, ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ଓ ରୟାଲ ସୀମା, ଦକ୍ଷିଣ ପୂର୍ବ ତେଲେଙ୍ଗାନା ଓ କର୍ଣ୍ଣାଟକରେ ଆସନ୍ତା ଦୁଇ ଦିନ ଧରି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥି ଯୋଗୁଁ ଓଡିଶାକୁ ବିପଦକୁ ନଥିଲେ ମଧ୍ୟ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । କିନ୍ତୁ ପବନର ପ୍ରଭାବ ଓଡିଶାରେ ରହିବ ନାହିଁ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୨୫ ଓ ୨୬ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମଧରଣର ବର୍ଷା ହେବ ।

ଏଥିସହ ଉଦ୍ଧାରକାରୀ ଦଳଙ୍କ ସହ ଏନଡିଆରଏଫକୁ ନିୟୋଜିତ କରାଯାଇଛି । ଏବେ ଠାରୁ ଏହାର ପ୍ରକୋପ ତାମିଲନାଡୁରେ ଦେଖିବାକୁ ମିଳିଛି । ବାତ୍ୟା ନିଭାର ପ୍ରଭାବରେ ଚେନ୍ନାଇ ସମେତ ଅଧିକାଂଶ ସ୍ଥାନରେ ଆରମ୍ଭ ହୋଇଛି ବର୍ଷା । ସେପଟେ ପରିସ୍ଥିତିକୁ ନଜରରେ ରଖି ଆଜି ତାମିଲନାଡୁରେ ସାର୍ବଜନିକ ଛୁଟି ଘୋଷଣା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପୁଡୁଚେରୀରେ ଜାରି ହୋଇଛି ୧୪୪ଧାରା । ତାମିଲନାଡୁ,ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶରେ ୨୩ଟି ଏନଡିଆରଏଫ ଟିମ ମୁତୟନ କରାଯାଇଛି ।