୩ ରାଜ୍ୟକୁ ବାତ୍ୟା ଭୟ : ଘନୀଭୂତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣିଝଡ; ଘଂଟାକୁ ୫କିଲୋମିଟର ବେଗରେ ପଶ୍ଚିମ ମୁହାଁ ‘ନିଭାର’

ବାତ୍ୟାର ରୁପ ନେଇ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ହୋଇପାରେ ମାଡ; ଆନ୍ଧ୍ର ଓ ରାୟଲସୀମାରେ ପଡିବ ପ୍ରଭାବ

3,791

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶ ଘନୀଭୂତ ହୋଇ ଘୂର୍ଣ୍ଣିଝଡରେ ପରିଣତ ହୋଇଛି । ଏହା ଘଂଟାକୁ ପ୍ରାୟ ୫କିଲୋମିଟର ବେଗରେ ପଶ୍ଚିମ ଦିଗରେ ଗତି କରୁଛି । ମଧ୍ୟରାତ୍ର ବେଳକୁ ଏହା ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଛି । ଆସନ୍ତା ୨୪ ଘଂଟାରେ  ଏହା ସମୁଦ୍ର ମଧ୍ୟରେ  ଅଧିକରୁ ଅଧିକ ବଳ ଗୋଟାଇ ଭୀଷଣ ବାତ୍ୟାର ରୁପ ନେବ । ଆଜି ସନ୍ଧ୍ୟା ସୁଦ୍ଧା ଏହା ତାମିଲନାଡୁ ଏବଂ ପୁଡୁଚେରୀ ନିକଟରେ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।

ଏହି ସମୟରେ ଘଂଟା ପ୍ରତି ୧୨୦ରୁ ୧୩୦ କିଲୋମିଟର ବେଗରେ ପବନ ବୋହିବା ସହ ସର୍ବାଧିକ ୧୪୫କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି । ସାଇକ୍ଲୋନିକ ଷ୍ଟର୍ମ ‘ନିଭାର’ ପ୍ରଭାବରେ ତାମିଲନାଡୁ, ପୁଡୁଚେରି, କରାଇକେଲ, ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ଓ ରୟାଲ ସୀମା, ଦକ୍ଷିଣ ପୂର୍ବ ତେଲେଙ୍ଗାନାରେ ଆସନ୍ତା ଦୁଇ ଦିନ ଧରି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥି ଯୋଗୁଁ ଓଡିଶାକୁ ବିପଦକୁ ନଥିଲେ ମଧ୍ୟ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । କିନ୍ତୁ ପବନର ପ୍ରଭାବ ଓଡିଶାରେ ରହିବ ନାହିଁ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୨୫ ଓ ୨୬ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମଧରଣର ବର୍ଷା ହେବ ବାତ୍ୟା ।

‘ନିଭାର’ର ମୁକାବିଲା ପାଇଁ ତାମିଲନାଡୁ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଉଦ୍ଧାରକାରୀ ଦଳଙ୍କ ସହ ଏନଡିଆରଏଫକୁ ନିୟୋଜିତ କରାଯାଇଛି । ଏବେ ଠାରୁ ଏହାର ପ୍ରକୋପ ତାମିଲନାଡୁରେ ଦେଖିବାକୁ ମିଳିଛି । ବାତ୍ୟା ନିଭାର ପ୍ରଭାବରେ ଚେନ୍ନାଇ ସମେତ ଅଧିକାଂଶ ସ୍ଥାନରେ ଆରମ୍ଭ ହୋଇଛି ବର୍ଷା । ସେପଟେ ପରିସ୍ଥିତିକୁ ନଜରରେ ରଖି ୨୫ନଭେମ୍ବର ତାମିଲନାଡୁରେ ସାର୍ବଜନିକ ଛୁଟି ଘୋଷଣା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପଣ୍ଡିଚେରୀରେ ଜାରି ହୋଇଛି ୧୪୪ଧାରା । ତାମିଲନାଡୁ,ପଣ୍ଡିଚେରୀ ଓ ଆନ୍ଧ୍ରପ୍ରଦେଶରେ ୨୩ଟି ଏନଡିଆରଏଫ ଟିମ ମୁତୟନ କରାଯାଇଛି ।