କନକ ବ୍ୟୁରୋ : ବାତ୍ୟା ୟାସ୍ ବୁଧବାର ଓଡ଼ିଶା ଉପକୂଳ ଛୁଇଁବ । କିନ୍ତୁ ମଙ୍ଗଳବାରଠାରୁ ବିଭିନ୍ନ ଅଞ୍ଚଳରେ ବର୍ଷା ପବନ ଆରମ୍ଭ ହେବାକୁ ଥିବାରୁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ମଙ୍ଗଳବାର ଅପରାହ୍ନ ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରିବାକୁ କହିଛନ୍ତି । ହେଲେ ଭୁବନେଶ୍ବରରେ ଲୋକ ସ୍ଥାନାନ୍ତର ହେବେ କି ନାହିଁ ତାହା ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।
ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ବରର ବିଭିନ୍ନ ବସ୍ତି ଅଞ୍ଚଳ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ହୋଇଛି। ଏଥିପାଇଁ ସ୍କୁଲ, କଲେଜ ଓ କଲ୍ୟାଣମଣ୍ଡପ, କମ୍ୟୁନିଟି ସେଣ୍ଟରକୁ ମିଶାଇ ୭୨ଟି କେନ୍ଦ୍ର ବଛା ଯାଇଥିଲା। କିନ୍ତୁ ଆମେ ଏବେ କେଉଁଠି ପ୍ରକୃତ ଆବଶ୍ୟକ ଅଛି ତାହା ଦେଖୁଛୁ। ଏବେ ଆମେ ଜୋନ୍ ଅନୁସାରେ ତିନି ଜୋନ୍ ପାଇଁ ୭୨ଟି ବାଛିଥିବାବେଳେ ମଙ୍ଗଳବାର ଯେଉଁ ଅନୁସାରେ ଲୋକ ସ୍ଥାନାନ୍ତର ହେବେ ସେହି ଅନୁଯାୟୀ ଆଶ୍ରୟସ୍ଥଳ ଖୋଲାଯିବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।
ବାତ୍ୟାର ପ୍ରଭାବ ଯଦି ଭୁବନେଶ୍ବରରେ ଅଧିକ ପଡ଼ିବ ତେବେ ଆମେ ଲୋକଙ୍କୁ ସ୍ଥାନାନ୍ତର କରିବୁ। ଯଦି କେବଳ ପ୍ରବଳ ବର୍ଷା ହେବ ତେବେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିବୁ। ବିଭିନ୍ନ ବସ୍ତିରୁ ଲୋକଙ୍କୁ ସ୍ଥାନାନ୍ତର କଲେ ସର୍ବାଧିକ ୨୦ହଜାର ଲୋକ ସ୍ଥାନାନ୍ତର ହେବେ । ତେଣୁ ସେହି ଅନୁଯାୟୀ ଆମେ ଚାଉଳ, ଚୁଡ଼ା, ଗୁଡ଼, ମହମବତୀ, କିରୋସିନ୍, ଛତୁଆ, ଡାଲି ଆଦି ସଂରକ୍ଷିତ ରଖିଛୁ । ୮୪ କୁଇଣ୍ଟାଲ ଚୁଡ଼ା, ୧୪ କୁଇଣ୍ଟାଲ ଗୁଡ଼ ଓ ବିସ୍କୁଟ ମହଜୁଦ ରହିଛି। ଲୋକଙ୍କୁ ଆଶ୍ରୟସ୍ଥଳୀକୁ ଆଣିଲେ ସେମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବାରେ କିଛି ଅସୁବିଧା ହେବନି। ଅପରପକ୍ଷେ ବିଏମ୍ସିର ଇଞ୍ଜିନିୟରିଂ ଟିମ୍ ଆଜି ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଡ୍ରେନ୍ ସଫା କରିବା ସହ ପାଣି ପମ୍ପ ମୁତୟନ କରିଛି । ଗତକାଲି ଦିନତମାମ୍ ବର୍ଷା ଲାଗି ରହିଥିବାରୁ ବିଏମ୍ସି କର୍ତ୍ତୃପକ୍ଷ ସ୍ଥିତି କାଳେ ଅଣାୟତ୍ତ ହେବ ଭାବି ପାଣି ପମ୍ପ ମୁତୟନ କରିଦେଇଛନ୍ତି । ଏହାସହ ଆସ୍କା ଲାଇଟ୍, କଟର୍, ଡିଜେଲ୍ ଆଦି ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍ ରଖାଯାଇଛି। ସମସ୍ତ ସଫେଇ କର୍ମଚାରୀ ଓ ସଫେଇ ସଂସ୍ଥାଙ୍କୁ ସଜାଗ ରହିବାକୁ କୁହାଯାଇଛି।
ବାତ୍ୟା ୟାସ୍ ପ୍ରଭାବରେ ଭୁବନେଶ୍ବରରେ ବୁଧବାର ପ୍ରବଳ ବର୍ଷା ଓ ୧୦୦କିମି ପର୍ଯ୍ୟନ୍ତ ପବନ ବହିପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । କିନ୍ତୁ ମଙ୍ଗଳବାର କି ବୁଧବାର ରାଜଧାନୀରେ ଟିକାଦାନ ବନ୍ଦ ରହିବନି ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି । ବିଏମ୍ସି କମିସନର ସଂଜୟ ସିଂହ କହିଛନ୍ତି ଯେ, ଆମେ ଟିକାକରଣ ଜାରି ରଖିବୁ। କିନ୍ତୁ ବାତ୍ୟାର ସ୍ଥିତି ଓ ପ୍ରଭାବ ନେଇ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳିପାରେ। ଯାହା ନିଷ୍ପତ୍ତି ହେବ ତୁରନ୍ତ ଜଣାଇ ଦିଆଯିବ । ଅପରପକ୍ଷେ ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଟିକା ନେବାକୁ ଲୋକମାନେ ସ୍ଲଟ୍ ବୁକିଂ କରିଛନ୍ତି । ଆମେ ଟିକା ଦେବୁ ଯାହାର ନେବାର ଥିବ ଆସିବେ । ଏବେ ସ୍ଲଟ୍ ବାତିଲ୍ କଲେ ପରେ ସେମାନଙ୍କୁ ଆଡଜଷ୍ଟ କରିବା କଷ୍ଟକର ହେବ ।