କନକ ବ୍ୟୁରୋ: ଝାଡ଼ଖଣ୍ଡ ରାଜନୀତିରେ ହାଇଭୋଲଟେଜ୍ ଡ୍ରାମା । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗାଦି ଟଳମଳ ହେବା ପରେ ଝାଡ଼ଖଣ୍ଡ ରାଜନୀତିରେ ହଲଚଲ ଆରମ୍ଭ ହୋଇଛି । ଅପରେସନ୍ ଲୋଟସ୍ ଭୟରେ ନିଜ ବିଧାୟକଙ୍କୁ ଲୁଚାଇବାକୁ ଉଦ୍ୟମ କରିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଜେଏମଏମର ସମସ୍ତ ବିଧାୟକଙ୍କୁ ସ୍ୱତନ୍ତ୍ର ବସରେ କଂଗ୍ରେସ ଶାସିତ ଛତିଶଗଡ଼କୁ ନେଇ ଯାଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ଏପଟେ ହେମନ୍ତ ସୋରେନ୍ ଯଦି ମୁଖ୍ୟମନ୍ତ୍ରୀ ପଦ ଛାଡ଼ନ୍ତି, ତେବେ ତାଙ୍କ ସ୍ଥାନରେ କିଏ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment

ହେମନ୍ତ ସୋରେନଙ୍କୁ ଘାରିଛି ଅପରେସନ୍ ଲୋଟସ୍ ଭୟ । କାଳେ ବିଧାୟକଙ୍କୁ ପ୍ରଭାବିତ କରି ନିଜ ଆଡକୁ ଟାଣିନେବ ବିଜେପି, ଜେଏମଏମର ବିଧାୟକଙ୍କୁ ନିଜ ଆଖି ଆଗରେ ରଖିôବା ପାଇଁ ଉଦ୍ୟମ କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ବିଧାୟକଙ୍କ କିଣାବିକାର ଆଶଙ୍କା କରି ଆରମ୍ଭ ହୋଇଛି ରିସର୍ଟ ପଲିଟିକ୍ସ ।

ରାଞ୍ଚିରୁ ଛତିଶଗଡ଼ର ରାୟପୁର ଅଭିମୁଖେ ସ୍ୱତନ୍ତ୍ର ବସରେ ଯାଇଛନ୍ତି ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ବିଧାୟକ । ଆଉ ବସରେ ନିଜେ ଉପସ୍ଥିତ ରହିଛନ୍ତି ହେମନ୍ତ ସୋରେନ୍ । ତାଙ୍କ ମନରେ ଭୟ ରହିଛି, ହୁଏତ ତାଙ୍କ ବିଧାୟକମାନଙ୍କୁ ପ୍ରଭାବିତ କରିପାରେ ବିଜେପି । ତେବେ ମୁଖ୍ୟମନ୍ତ୍ରୀ ବଦଳିଲେ ବି ମେଣ୍ଟରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଆଶା ରଖିଛନ୍ତି ସୋରେନଙ୍କ ଶିବିର ।

ତେବେ ହେମନ୍ତ ସୋରେନ୍ ଯଦି ଅଯୋଗ୍ୟ ଘୋଷିତ ହୁଅନ୍ତି ତାହେଲେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ଏହି ଚର୍ଚ୍ଚା ଭିତରେ ହେମନ୍ତଙ୍କ ପତ୍ନୀ କଳ୍ପନା ଏବଂ ତାଙ୍କ ବିଧାୟକ ଭାଇ ବସନ୍ତଙ୍କ ନାଁ ରହିଛି । ରାଜ୍ୟରେ ସୋରେନ୍ ପରିବାରର ଏକ ବଡ ଭୋଟ୍ ବ୍ୟାଙ୍କ ରହିଛି । ଏପରି ସ୍ଥିତିରେ ଦଳର ଅନ୍ୟ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ଅପେକ୍ଷା ହେମନ୍ତ ସୋରେନ ପରିବାର ସଦସ୍ୟଙ୍କୁ ନିଜ ଆସନରେ ବସାଇବାକୁ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି ।  ସେହିପରି ହେମନ୍ତ ସୋରେନଙ୍କ ବାପା ଶିବୁ ସୋରେନ୍, ମାଆ ରୁପି ସୋରେନଙ୍କ ନାଁ ମଧ୍ୟ ସିଏମ୍ ପଦ ପାଇଁ ଚର୍ଚ୍ଚାରେ ରହିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବିଧାୟକ ଦଳ ବୈଠକରେ ଭାଇ ବସନ୍ତ ସୋରେନ୍ ତାଙ୍କ ମାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଦାବି କରିଛନ୍ତି ।

ତେବେ ହେମନ୍ତ ସୋରେନଙ୍କ ସ୍ତ୍ରୀ, ମୟୂରଭଞ୍ଜର ଝିଅ କଳ୍ପନା ସୋରେନଙ୍କ ନାଁ ସିଏମ୍ ରେସରେ ଆଗରେ ରହିଛି । ତାଙ୍କ ରାଜନୈତିକ ଅନୁଭବକୁ ନେଇ ପ୍ରଶ୍ନ ଉଠାଯାଉଛି । କିନ୍ତୁ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ହେମନ୍ତ କ୍ଷମତାର ଚାବିକୁ ପାଖରେ ରଖିବାକୁ ପସନ୍ଦ କରିବେ ବୋଲି କୁହାଯାଉଛି । ଯଦି କଳ୍ପନା ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ମୟୁରଭଞ୍ଜର ଝିଅ ପାଲଟିବେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ।