ବ୍ରିଟେନରେ ଭୟ ବଢାଇଲା ନୂଆ ଭାରିଆଣ୍ଟ । ଦିନକରେ ଆଖି ବୁଜିଲେ ୨୨୩ କୋଭିଡ୍ ଆକ୍ରାନ୍ତ ।

149

କନକ ବ୍ୟୁରୋ: ଗୋଟିଏ ପଟେ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ କୋଭିଡ ସଂକ୍ରମଣ କମୁଥିବାବେଳେ, ଏବେ ବ୍ରିଟେନରେ କୋଭିଡ୍ ସଂକ୍ରମଣ ବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟା ଭିତରେ ସେଠାରେ ୨୨୩ ଜଣ କୋଭିଡ୍ ରୋଗୀଙ୍କ ମୃତ୍ୟୁ ଏବେ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଛି ।

ସରକାରୀ ସୂଚନା ମୁତାବକ, ମଙ୍ଗଳବାର ବ୍ରିଟେନରେ କରୋନା କାରଣରୁ ୨୨୩ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ସେହିପରି ସେଠାରେ ଗୋଟିଏ ଦିନରେ ୪୩,୭୩୮ ନୂଆ ମାମଲା ମଧ୍ୟ ଚିହ୍ନଟ ହୋଇଛି । ଯାହାକି ଚଳିତ ବର୍ଷ ମାର୍ଚ୍ଚ ମାସରୁ ଆଜି ଭିତରେ ସବୁଠୁ ଅଧିକ । ତେବେ ବଢୁଥିବା ଏହି ସଂକ୍ରମଣ ପଛରେ ଡେଲ୍ଟାର ନୂଆ ଭାରିଆଣ୍ଟ  ଏ. ୱାଇ.୪.୨ ହିଁ ଦାୟୀ ବୋଲି କୁହାଯାଉଛି ।

ମିଳିଥିବା ସୂଚନା ମୁତାବକ, ଡେଲ୍ଟାର ଏହି ନୂଆ ଭାରିଆଣ୍ଟ  ଏ. ୱାଇ.୪.୨ ସେତେଟା ସଂକ୍ରାମକ ନୁହେଁ । ହେଲେ ଏହାଫଳରେ ବ୍ରିଟେନରେ ବଢୁଥିବା ମୃତ୍ୟୁସଂଖ୍ୟା କିନ୍ତୁ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଚଳିତ ବର୍ଷ ଜୁଲାଇ ମାସରେ ପ୍ରଥମ କରି ଏହି ନୂଆ ଭାରିଆଣ୍ଟକୁ ଠାବ କରାଯାଇଥିଲା । ତେବେ ବୈଜ୍ଞାନିକମାନଙ୍କର କହିବା କଥା ହେଲା, ଏହି ଭାରିଆଣ୍ଟ ଅଧିକ ସଂକ୍ରାମକ ନୁହେଁ ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ଧରି ଭାରତରେ କୋଭିଡ୍ ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ଭିତରେ ଦେଶରୁ ୧୪,୬୨୩ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୧୯୭ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି । ହେଲେ ଏହା ତୁଳନାରେ ବ୍ରିଟେନରେ ଏବେ ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି । ଯାହାକି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।