କନକ ବ୍ୟୁରୋ : କାର୍ତ୍ତିକ ନ ଆସୁଣୁ ପ୍ରାୟେ ମାସେ ପୂର୍ବରୁ ପରିବା ଦର ଅହେତୁକ ବୃଦ୍ଧି ପାଇଥିଲା । କୌଣସି ପରିବା ୫୦ ଟଙ୍କା ତଳେ ନଥିବା ବେଳେ କଲରା, କାକୁଡ଼ି, ବିନ୍ସ୍, ଝୁଡ଼ୁଙ୍ଗ, ପୋଟଳ ଓ କାଙ୍କଡ଼ ଆଦି ପରିବା ୮୦ ଟଙ୍କା ପାର ହୋଇ ୧୦୦, ୧୨୦ ଟଙ୍କାରେ ପହଞ୍ଚିଥିଲା । ଏପରିକି ଆଳୁ କେଜି ପ୍ରତି ୩୫ ଟଙ୍କାରେ ପହଞ୍ଚିଥିଲା । ଦର ଆକାଶଛୁଆଁ ଥିବା ବେଳେ ଏହାକୁ ଆହୁରି ଇନ୍ଧନ ଯୋଗାଇଛି ଧର୍ମ ମାସ କାର୍ତ୍ତିକ ।
ଅନେକଙ୍କ ଘରେ କାର୍ତ୍ତିକ ମାସସାରା ଆମିଷ ନିଷେଧ ଥିବାରୁ ସାତ୍ବିକ ଭୋଜନ ପାଇଁ ପରିବା ଏକ ମାତ୍ର ବିକଳ୍ପ । ତେଣୁ କାର୍ତ୍ତିକ ଆସିଲେ ଚାହିଦା ବୃଦ୍ଧି ପାଉଥିବାରୁ ପରିବା ଦର ଆକାଶଛୁଆଁ ରୁହେ । ମାତ୍ର ଚଳିତ ବର୍ଷ କରୋନା ମହାମାରୀ ଓ ଲଗାତାର ଲଘୁଚାପ ବର୍ଷା କାରଣରୁ ଗତ କିଛି ଦିନ ହେଲା ପରିବା ଦର ଥମୁନାହିଁ। ପୁଣି ଆଜି କାର୍ତ୍ତିକ ପ୍ରବେଶ କରିଥିବାରୁ ପରିବା ଦରକୁ ନେଇ ଗ୍ରାହକଙ୍କୁ ଚିନ୍ତା ଘାରିଲାଣି । ଏପରିକି ଆଗକୁ ପରିବା ଦର ଆହୁରି ବଢ଼ିପାରେ ବୋଲି ବ୍ୟବସାୟୀମାନେ କହିଲେଣି ।