କନକ ବ୍ୟୁରୋ :ହାତୀକୁ ହର୍ପିସ୍ । ନନ୍ଦନକାନନରେ ୫ ବର୍ଷର ମାଈ ହାତୀ ମାମା ହର୍ପିସ୍ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଛି । ଗତ ୫ ଦିନ ହେବ ମାମାର ସ୍ୱାସ୍ଥ୍ୟବସ୍ଥା ଖରାପ ଥିଲା । ତାର ରକ୍ତ ନମୁନା ପରୀକ୍ଷା ପାଇଁ ଓୟୁଏଟିକୁ ପଠାଯାଇଥିଲା । ନମୁନା ପରୀକ୍ଷାରେ ସେ ହର୍ପିସ୍ ଭାଇରସରେ ସଂକ୍ରମିତ ଥିବା ଜଣାପଡ଼ିଛି ।

Advertisment

ପ୍ରତିଷେଧକ ଟିକା ଦେଇ ତା’ର ଚିକିତ୍ସା ଚାଲୁ ରହିଥିବା ବେଳେ ଖାଦ୍ୟପେୟ ଉପରେ ନଜର ରଖାଯାଇଛି । ତା’ର ରକ୍ତ ନମୁନା ପରୀକ୍ଷା ପାଇଁ ଭୁବନେଶ୍ବରସ୍ଥିତ ଓୟୁଏଟି ପ୍ରାଣୀ ବିଭାଗକୁ ପଠାଯାଇଥିଲା। ସେଥିରୁ ହର୍ପିସ୍ ଭୂତାଣୁ ସଂକ୍ରମଣର ଲକ୍ଷଣ ମିଳିଛି । ମାମା ୩୦ ପ୍ରତିଶତ ସଂକ୍ରମିତ ଥିବା ଜଣାପଡ଼ିଛି । ମାମାର ରକ୍ତ ନମୁନା ଅଧିକ ପରୀକ୍ଷା ଲାଗି ସେଣ୍ଟର ଫର ୱାଇଲ୍ଡ ଲାଇଫ୍ ଆଣ୍ଡ ରିସର୍ଚ ସେଣ୍ଟରକୁ ପଠାଯାଇଛି ।

୨୦୧୭ ନଭେମ୍ବର ୩ରେ ମାମା ୫ ମାସର ହୋଇଥିବା ବେଳେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ଅଞ୍ଚଳରୁ ଉଦ୍ଧାର ହୋଇଥିଲା । ୨୦୧୯ରେ ନନ୍ଦନକାନନରେ ହର୍ପିସ୍ ଭୂତାଣୁ ସଂକ୍ରମଣ କାରଣରୁ ହାତୀ ମଡ଼କ ହୋଇଥିଲା । ମାମା ସହିତ ଚନ୍ଦନ, କମଳା, ଜୁଲି ଓ ଗୌରୀ ଆକ୍ରାନ୍ତ ହୋଇଥିଲେ । ମାମା ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ବେଳେ ବାକି ୪ଟି ହାତୀଙ୍କର ମୃତ୍ୟୁ ହୋଇଥିଲା । ଅଗଷ୍ଟ ୨୬ରେ ଚନ୍ଦନ, ୧୯ ସେପ୍ଟେମ୍ବରରେ ଜୁଲି, ୨୪ ଡିସେମ୍ବରରେ କମଳା ଓ ୨୬ ଡିସେମ୍ବରରେ ଗୌରୀର ମୃତ୍ୟୁ ହୋଇଥିଲା ।

ସେହିଭଳି ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ଏକ ୧୦ ବର୍ଷର ଦନ୍ତା ହାତୀ ହର୍ପିସ୍ ଭୂତାଣୁ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲା । ସେତେବେଳେ ହାରପିସ୍‌ ସଂକ୍ରମଣରେ ହାତୀ ମଡ଼କକୁ ନେଇ ନନ୍ଦନକାନନ ଓ ରାଜ୍ୟ ସରାକାର ଆତଙ୍କିତ ହୋଇ ପଡ଼ିଥିଲେ । ଏବେ ମାମା ଠାରେ ଲକ୍ଷଣ ପ୍ରକାଶ ପାଇବାରୁ ପୁଣି ପୁଣି ସଂକ୍ରମଣ ଆଶଙ୍କା ବଢ଼ିଯାଇଛି । ନନ୍ଦନକାନନରେ ବର୍ତ୍ତମାନ ପ୍ରେମା, ବାସନ୍ତୀ ଓ ହୀରା ୩ଟି ମାଈ ହାତୀ ଅଛନ୍ତି ।